Home Top News ଦେଢ଼ ମାସ ପୂର୍ବେ ଉପ କାରାଗାରର ଅତିଥି, ସେହି ସ୍ଥାନ ଏବେ ଶର୍ମିଷ୍ଠାଙ୍କ ନୂଆ ଠିକଣା

ଦେଢ଼ ମାସ ପୂର୍ବେ ଉପ କାରାଗାରର ଅତିଥି, ସେହି ସ୍ଥାନ ଏବେ ଶର୍ମିଷ୍ଠାଙ୍କ ନୂଆ ଠିକଣା

86

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଭଦ୍ରକ ପୁଲିସକୁ ଯେତେବେଳେ ଯେମିତି ପାରିଛି ଦେଖାଇଛି ଚକ୍‌ମା। ସତ କହିଲେ ଶର୍ମିଷ୍ଠାର ଚାତୁରି(ମାୟା)ରେ ଭଦ୍ରକ ପୁଲିସ ବାୟା ହୋଇଯାଇଥିଲା। ଏବେ କ୍ରାଇମବ୍ରାଞ୍ଚ ଜେରା ବେଳେ ଶର୍ମିଷ୍ଠା ଯେଉଁ କଥା ଓଗାଳୁଛି ସେଥିରୁ ଏହା ସ୍ପଷ୍ଟ ହେଉଛି। ସୂଚନାଥାଉକି; ମାନସ ସ୍ୱାଇଁ ହତ୍ୟା ମାମଲାରେ ଆରମ୍ଭରୁ ଭଦ୍ରକ ପୁଲିସ ସମାଲୋଚନାର ଶରବ୍ୟ ହୋଇଛି। ଏହି ମାମଲାରେ ଦୁଇ ଦୁଇଥର ଶର୍ମିଷ୍ଠାଙ୍କୁ ଥାନାକୁ ଡାକି ପଚରା ଉଚୁରା କରି ପୁଲିସ ତାଙ୍କୁ ଛାଡି ଦେଇଥିଲା। ପଚରା ଉଚୁରା ବେଳେ ଶର୍ମିଷ୍ଠା ଭଦ୍ରକ ପୁଲିସକୁ ଯେମିତି ପାରିଛି ଭୁଆଁ ବୁଲାଇଥିଲା। ଏକଥାକୁ ପୁଲିସ ପରୋକ୍ଷରେ ସ୍ୱୀକାର କରିଛି। କାରଣ ଶର୍ମିଷ୍ଠାଙ୍କ ବିରୋଧରେ ସେତେବେଳେ କୌଣସି ପ୍ରାରମ୍ଭିକ ତଥ୍ୟ ପ୍ରମାଣ ପାଇନଥିଲୁ ବୋଲି ଭଦ୍ରକ ପୁଲିସ ସଫେଇରେ କହିଥିଲା। ଶର୍ମିଷ୍ଠାଙ୍କୁ ଖୋଜାଚାଲିଛି ଓ ସେ ଗିରଫ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଏବେ କ୍ରାଇମବ୍ରାଞ୍ଚ ଆଗରେ ଶର୍ମିଷ୍ଠାଙ୍କ ବୟାନରୁ ଜଣାପଡିଛି ଯେ: ଯେତେବେଳେ ଶର୍ମିଷ୍ଠାଙ୍କୁ ଭଦ୍ରକ ପୁଲିସ ଖୋଜୁଥିଲା ବୋଲି କହୁଥିଲା ସେତେବେଳେ ସେ ଭଦ୍ରକ ଜିଲାରେ ହିଁ ଅବସ୍ଥାନ କରୁଥିଲା। ଶର୍ମିଷ୍ଠାର ବୟାନ ଅନୁଯାୟୀ; ମାର୍ଚ୍ଚ ୧୦ ତାରିଖ ସଂଧ୍ୟାରେ ଭଦ୍ରକ ଜିଲାର ଆଗରପଡାରେ ଶର୍ମିଷ୍ଠା ନିଜ ଶାଶୁ ଓ ସହଯୋଗୀ ଝୁନୁ ସହ ପହଞ୍ଚିଥିଲେ। ଆଗରପଡା ପୁରୁଷଣ୍ଡ ଗ୍ରାମରେ ଥିବା ନଣନ୍ଦ ଘରେ ୩ ଦିନ ରହିଥିଲେ। ୧୩ ତାରିଖ ଅପରାହ୍ନରେ ପୁରୁଷଣ୍ଢରୁ ଏକ ଅଟୋ ଯୋଗେ କୁପାରୀ ବସଷ୍ଟାଣ୍ଡ ଯାଇ ସେଠାରୁ ବସ୍ ଯୋଗେ ବାଲେଶ୍ୱର ପହଞ୍ଚିଥିଲେ ଶର୍ମିଷ୍ଠା ଓ ଝୁନୁ।

ପରେ ବାଲେଶ୍ୱରରୁ ଟ୍ରେନ ଯୋଗେ କଲକତା ପଳାଇଥିଲେ। ଏଣୁ ଶର୍ମିଷ୍ଠା ଓ ସହଯୋଗୀ ଝୁନୁ ୧୦ ତାରିଖ ସଂନ୍ଧ୍ୟାରୁ ୧୩ ତାରିଖ ଅପରାହ୍ନ ଯାଏ ପ୍ରାୟ ୪ଦିନ ଭଦ୍ରକ ଜିଲାରେ ରହିଥିଲେ ବି ଟେର ପାଇନଥିଲା ଭଦ୍ରକ ପୁଲିସ। କଲକାତାର ନଦିଆ ଜିଲା କଲ୍ୟାଣୀରୁ ଆରମ୍ଭ କରି ମାୟାପୁରୀ ଓ ଜଳପାଇଗୁଡି ବୁଲି ପୁଣି ଓଡିଶାକୁ ଫେରିବା ବେଳେ ସେହି ଭଦ୍ରକରେ ହିଁ ଶର୍ମିଷ୍ଠାକୁ ଠାବ କରିଥିଲା କ୍ରାଇମବ୍ରାଞ୍ଚ। ଏଇଥିରୁ ଭଦ୍ରକ ପୁଲିସର ତଦନ୍ତ ତରିକାକୁ ନେଇ ଆରମ୍ଭରୁ ସୃଷ୍ଟ ସନ୍ଦେହ କ୍ରମଶଃ ଦୃଢୀଭୂତ ହେବା ସ୍ୱାଭାବିକ ନୁହେଁ କି? ମାତ୍ର ଦେଢ଼ ମାସ ପୂର୍ବେ ଶର୍ମିଷ୍ଠା ରାଉତ୍ ଭଦ୍ରକ ଉପ କାରାଗାରରେ ଅତିଥି ସାଜିଥିଲେ। ଉପ କାରାଗାରର ମହିଳା ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବୁଝିଥିଲେ। ସେମାନଙ୍କୁ ବହୁ ଭଲ ପରାମର୍ଶ ଦେଇଥିଲେ। ଅନ୍ତେବାସୀମାନଙ୍କୁ ଶାଢ଼ୀ ଓ ସାଲ ବଣ୍ଟନ କରିଥିଲେ। ସେତେବେଳେ ସେ କିନ୍ତୁ ଜାଣିନଥିଲେ, ଏହି କାରଗାର ହେବାକୁ ଯାଉଛି ତାଙ୍କ ପରବର୍ତ୍ତୀ ଠିକଣା। ଆଉ ସେ ସମସ୍ତ ଅନ୍ତେବାସୀଙ୍କ ସହ ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। କାରଣ ବହୁ ଚର୍ଚ୍ଚିତ କ୍ୟାମେରାମେନ ମାନସ ସ୍ୱାଇଁ ହତ୍ୟା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ। କ୍ରାଇମବ୍ରାଞ୍ଚ ତାଙ୍କୁ ସୋମବାର ସକାଳେ ଗିରଫ କରିଥିଲା। ଗିରଫ ପରେ ପୁଲିସ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବା ସହ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କିନ୍ତୁ କୋର୍ଟ ୫ଦିନିଆ ରିମାଣ୍ଡକୁ ଅନୁମତି ଦେଇଥିଲେ। ପରେ ସୋମବାର ରାତିରେ ଉଭୟଙ୍କୁ ଭଦ୍ରକ ଉପକାରାଗାରକୁ ନିଆଯାଇଥିଲା। ଉଭୟ ଶର୍ମିଷ୍ଠା ଓ ଝୁନାଙ୍କୁ ଦୁଇଟି ପୃଥମକ ମହିଳା ୱାର୍ଡ଼ରେ ରଖାଯିବା, ମଙ୍ଗଳବାର ସକାଳ ୯ଟାରେ ଏହି ୨ଜଣଙ୍କ ସମେତ କ୍ରାଇମବ୍ରାଞ୍ଚର ଏକ ଟିମ ପ୍ରାକ୍ତନ ସୂଚନା ଲୋକ ସମ୍ପର୍କ ନିର୍ଦ୍ଦେଶମକ ନିରଂଜନ ସେଠୀ ଓ ରାଜ କମ୍ୟୁନିକେସନର ମାଲିକ ରଂଜନ ନାୟକଙ୍କୁ ରିମାଣ୍ଡରେ ୫ଦିନ ପାଇଁ ନେଇ ଯାଇଥିଲା। ଏବେ ସେମାନଙ୍କୁ ମରାତଡ଼ ଜେରା ଚାଲିଥିବା ସୂଚନା ମିଳିଛି।

ରିମାଣ୍ଡ ଅବଧି ଶେଷ ହେବା ପରେ ଆସନ୍ତା ଏପ୍ରିଲ ମାସ ୩ ତାରିଖ ତାଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରଯିବ। କୋର୍ଟଙ୍କ ନିର୍ଦ୍ଦେଶ ବଳରେ ତାଙ୍କୁ ପୁଣି ହୁଏତ ଫେରିବାକୁ ପଡ଼ିବ ଏହି ଉପକାରାଗରକୁ। ଭଦ୍ରକ ସବଜେଲ୍‌ର ଅଧିକ୍ଷକ ରୁଶିନାଥ ନାଏକଙ୍କ କହିବାନୁଯାୟୀ ସେମାବାର ରାତିରେ ଉଭୟ ଶର୍ମିଷ୍ଠା ଓ ଝୁନୁଙ୍କୁ ଜେଲରେ ଥିବା ୨ଟି ମହିଳା ୱାର୍ଡ଼ରେ ପୃଥକ ଭାବେ ରଖା ଯାଇଥିଲା। ଯେହେତୁ ସେମାନେ ବିଚାରାଧିନ କଏଦୀ ଜେଲ ମାନୁଆଲ ଅନୁଯାୟୀ ସେମାନଙ୍କୁ ସାଧାରଣ କଏଦୀଙ୍କ ପରି ରହିବାକୁ ପଡ଼ିବ। କୌଣସି ସ୍ୱତନ୍ତ୍ର ସେଲ କିମ୍ବା ସୁବିଧା ସେମାନଙ୍କୁ ପ୍ରଦାନ କରାଯିବ ନାହିଁ। ସୂଚନାଯୋଗ୍ୟ ଗତ ନଭେମ୍ବର ମାସ ୧୫ ତାରିଖ ଏକ ସାମାଜିକ କାର୍ଯ୍ୟକ୍ରମରେ ପୂର୍ବତନ ମହିଳା ଆୟୋଗ ନମ୍ରତା ଚଢ଼ା ଭଦ୍ରକ ଉପକାରାଗାରକୁ ଆସିଥିଲେ। ତାଙ୍କ ସହ ଥିଲେ ଶର୍ମିଷ୍ଠା। ଜେଲ ମଧ୍ୟରେ ଥିବା ୧୭ ମହିଳା ବିଚାରାଧିନ ତଥା ସଜା କାଟୁଥିବା ବନ୍ଦିନୀଙ୍କୁ ସେମାନେ ଭେଟିଥିଲେ। ସେମାନଙ୍କ ଅନୁରୋଧରେ ଭଦ୍ରକର ଅତିରିକ୍ତ ଏସପି ଯତିନ ପଣ୍ଡା, ଚାଇଲ୍ଡଲାଇନର ସଂପାଦିକା ସୋଫିଆ ଶେଖ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଜା କାଟୁଥିବା ଓ ବିଚାରାଧିନ ବନ୍ଦିନୀଙ୍କ ସହ ସେମାନେ କିଛି ସମୟ ବିତାଇଥିଲେ। ସେମାନଙ୍କୁ ଶ୍ରୀମତୀ ଚଢ଼ା ଓ ଶର୍ମିଷ୍ଠା ସାଙ୍ଗରେ ଆଣିଥିବା ସାଲ ଓ ଶାଢ଼ୀ ବାଣ୍ଟିଥିଲେ। ତେବେ ଶର୍ମିଷ୍ଠାଙ୍କ ଭିତରେ ଏପରି ଏକ କୁତ୍ସିତ ଚେହେରା ଲୁଚି ରହିଥିଲା, ତାହା କେହି ଜାଣି ପାରିନଥିଲେ। ତେବେ ଶର୍ମିଷ୍ଠାଙ୍କ ପରବର୍ତ୍ତୀ ନୂଆ ଠିକଣା ହେବାକୁ ଯାଉଛି ଭଦ୍ରକ ଉପ କାରାଗାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.