Home ଓଡ଼ିଶା ଦେଶ ତଥା ରାଜ୍ୟରେ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି: ନିରଞ୍ଜନ

ଦେଶ ତଥା ରାଜ୍ୟରେ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି: ନିରଞ୍ଜନ

20

ଯୋଡା, ୧୮/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦେଶ ତଥା ରାଜ୍ୟରେ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି । ଲୋକେ ଟଙ୍କା ନେଇ ଭୋଟ ଦେଉଛନ୍ତି । ଫଳରେ କଂଗ୍ରେସ ସରକାର ରାଜ୍ୟରେ ୨୦ ବର୍ଷ ହେବ କ୍ଷମତାରେ ନାହିଁ । ରାଜ୍ୟରେ କି ଦେଶରେ ଯାହା କିଛି ବିକାଶ ଘଟିଛି ସେସବୁ କଂଗ୍ରେସ ଅମଳରେ । ଏବେ ଆମ ମୁଣ୍ଡରେ ସିନ୍ଦୁର ନାହିଁ କି ହାତରେ ସଙ୍ଖା ନାହିଁ । ତଥାପି ଲୋକଙ୍କ ପାଇଁ, ଲୋକଙ୍କ ସାଥିରେ ଆମେ ସବୁ ବେଳେ ଠିଆ ହୋଇ ଆସିଛୁ ବୋଲି କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର ବୁଡି ଅଞ୍ଚଳ ଚମକପୁର ଗ୍ରାମ ପରିଦର୍ଶନ କରି ଏକ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିସ୍ଥାପିତମାନଙ୍କୁ ଏକ ପ୍ରସଙ୍ଗକ୍ରମେ ଏହା କହିଛନ୍ତି । ଏହି ବୃହତ ଜଳସେଚନ ପ୍ରକଳ୍ପଟି ପୂର୍ଣ୍ଣାଙ୍ଗ ହେଲେ ୮୦ ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବା ସହ ଏ ଅଞ୍ଚଳର ଚାଷିମାନେ ସ୍ୱାବଲମ୍ବି ହୋଇପାରିବେ । ତେବେ ଏହି ପ୍ରକଳ୍ପ ପାଇଁ ଭିଟାମାଟି ଛାଡିବାକୁ ପଡୁଥିବା ୧୬ଟି ଗ୍ରାମର ପ୍ରାୟ ୪ ହଜାର ପରିବାର କିଭଳି ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇପାରିବେ ତାହା ଏବେ ଏକ ବଡ ଆହ୍ୱାନ । ୧୬ଟି ଗ୍ରାମର ବିସ୍ଥାପିତମାନଙ୍କୁ ୧୨ଟି ବିସ୍ଥାପିତ କଲୋନୀରେ ଥଇଥାନ କରାଯାଇଥିବା ବେଳେ ସେଠାରେ ଲୋକମାନଙ୍କୁ କୌଣସି ମୌଳିକ ସୁବିଧା ଯୋଗାଇଦିଆଯାଇନାହିଁ । ସ୍ନାନ, ଶୈାଚ, ବିଦ୍ୟାଳୟ, ପ୍ରାଥମିକ ଚିକିତ୍ସା ଭଳି ମୌଳିକ ସୁବିଧା ନଥିବା ସହିତ ଶବ ସଂସ୍କାର ପାଇଁ ଶଶ୍ମାନଟିଏ ମଧ୍ୟ ସରକାର ଯୋଗାଇଦେଇନାହାନ୍ତି । ୨୦୦୬ ବିସ୍ଥାପିତ ଆଇନ ମୁତାବକ ୨୦୦୮ରେ ସରକାର କ୍ଷତି ପୂରଣ କେତେକାଂଶରେ ଦେଇ ୨୦୧୪ ପର୍ଯ୍ୟନ୍ତ ନିରବ ରହିଗଲେ । ଏବେ ଯେଉଁମାନେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ସହାୟତା ରାଶି ପ୍ରଦାନ କ୍ଷେତ୍ରରେ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ବିସ୍ଥାପିତଙ୍କ ମଧ୍ୟରେ ରହିଥିବା ଭୁମୀହିନ ମାନଙ୍କୁ ସରକାରୀ ସ୍ଥରରେ ୨୩୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହା ତାହା ଠାରୁ ଢେର ଅଧିକ ହେବ ବୋଲି ଜଣାପଡିଛି । ସରକାର ୨୦୧୮ବିସ୍ଥାପିତ ନୀତି ଅନୁଯାଇ ଏହି କ୍ଷତିଗ୍ରସ୍ଥ ମାନଙ୍କୁ କ୍ଷତି ପୂରଣ ଦିଅନ୍ତୁ । ସରକାର ଜଦି ଏହି କ୍ଷତିପୂରଣ ଦେବାରେ ଅସମର୍ଥ ତେବେ ଜିଲା ଖଣିଜ ପାଣ୍ଠିରୁ ବିସ୍ଥାପିତମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପୈଠ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି । ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ସେ ଜିଲ୍‌ାପାଳଙ୍କୁ ଭେଟ କରି ଆଲୋଚନା କରିବେ ବୋଲି କହିବା ସହ ଯଦି ଜିଲ୍ଲାପାଳ ଏଥିରେ ସହମତ ନହୁଅନ୍ତୁ ଏ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ସେ ଆହୁରି କହିଛନ୍ତି, ବିସ୍ଥାପିତମାନଙ୍କର ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆବଶ୍ୟକ ପଡିଲେ ସେ ଚମକପୁର ଗ୍ରାମରେ ରହି ଲୋକଙ୍କ କଥା ବୁଝିବେ ବୋଲି ଦୃଢୋକ୍ତି ପ୍ରଦାନ କରିଛନ୍ତି । ତେବେ ଏହି ସଭାଟିରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର, କଂଗ୍ରେସ ସଦସ୍ୟ ଗୁରୁବକ୍ସ ସିଂ ଆଲୁୱାଲିଆ, ଅଶୋକ କୁମାର ଠକର, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣୀ ବାରିକ୍‌, ବିଦ୍ୟାଧର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ ବିସ୍ଥାପିତ ପରିବାର ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଦାବି କରି ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ । ଶେଷରେ ଶ୍ରୀ ପଟ୍ଟନାୟକ ଯୋଡା ପୌରାଞ୍ଚଳ ଗସ୍ତ କରି ୫୦ ସଜ୍ୟା ବିଶିଷ୍ଟ କେନ୍ଦ୍ରୀୟ ଚିକିତ୍ସାଳୟ ଏବଂ ୩୦ ସଜ୍ୟା ବିଶିଷ୍ଟ କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନା ର ଦୂରାବସ୍ଥା ବୁଲି ଦେଖିଥିଲେ । ଜିଲ୍ଲା ଖଣିଜ ପାଣ୍ଠୀରେ କୋଟି କୋଟି ଟଙ୍କା ଗଚ୍ଛିତ ଥାଇ ମଧ୍ୟ ତାଙ୍କ ସମୟରେ ନିର୍ମିତ ଡାକ୍ତରଖାନାଟି ପୂର୍ଣ୍ଣ୍ୟ କାର୍ଯ୍ୟକ୍ଷମ ନହୋଇପାରିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.