Home ଜିଲ୍ଲା ପରିକ୍ରମା ଦେଓପଦା ମହିଷପୁର ରାସ୍ତା ବିପର୍ଯ୍ୟସ୍ତ

ଦେଓପଦା ମହିଷପୁର ରାସ୍ତା ବିପର୍ଯ୍ୟସ୍ତ

30

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ୍ ରାଜେନ୍ଦ୍ରପୁର ଗ୍ରାମପଞ୍ଚାୟତ ଦେଓପଦା ଛକଠାରୁ ମେଘା ଦେଇ ବନ୍ଦାଳୋ ମଢିଆଳି ପଞ୍ଚାୟତ ମହିଷପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ଛତାବର-ନିଳୋକ ପୂର୍ତ୍ତ ରାସ୍ତାର ଦେଓପଦା ଛକ ସହ ସଂଯୁକ୍ତ ଏହି ରାସ୍ତା ଦେଇ ଗ୍ରାମର ଶହ ଶହ ଲୋକ ଯାତାୟତ କରିଥାନ୍ତି । ଏହାଛଡା ପ୍ରତିଦିନ ମହିଷପୁର, ମେଘା, ତୁଳପଦୀ, ଆମ୍ବଗଡିଆ ପ୍ରମୁଖ ଗ୍ରାମର ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ଏହି ରାସ୍ତାଟିକୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ବାରମ୍ବାର ଦାବି ସତ୍ୱେ ପ୍ରଶାସନ ଏହା ଉପରେ ଦୃଷ୍ଟି ନଦେବା ଦୁର୍ଭାଗ୍ୟ ଜନକ ବୋଲି ମତ ପ୍ରକାଶ ପାଇଛି । ଦୁଇବର୍ଷ ପୂର୍ବେ ବ୍ଲକ୍ ଅନୁଦାନରୁ ମୋହରମ୍ ଓ ମେଣ୍ଟାଲ ଯୋଗେ ଏହାର ମରାମତି ହୋଇଥିବାବେଳେ ଏହି ରାସ୍ତାରେ ଲୋକଙ୍କ ପାଇଁ ଏବେ ମରଣଯନ୍ତା ପାଲଟିଛି । ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତ ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟକୁ ଯାଇଥିବାର କୁହାଯାଇଥିବାବେଳେ ପ୍ରକୃତ ପକ୍ଷେ ଏ ନେଇ କୌଣସି ତଥ୍ୟ ସାର୍ବଜନୀନ ହୋଇପାରିନାହିଁ । ଗନମାଗମନ ସୁବିଧା ପାଇଁ ଗାଁ ଗାଁରେ ପକ୍କା ଓ ପିଚୁ ରାସ୍ତା ନିର୍ମାଣ ହେଉଥିବାବେଳେ ଏଭଳି ଏକ ରାସ୍ତାର ଦୂରାବସ୍ଥା ପ୍ରତି ପ୍ରଶାସନ ଆଖି ବୁଜିଦେବା ଦୁର୍ଭାଗ୍ୟ ଜନକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ରାସ୍ତା ନିର୍ମାଣ ପାଇଁ ସାଂସଦ, ବିଧାୟକ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏହି ରାସ୍ତାର ଉନ୍ନୟନ ପାଇଁ ଦୃଷ୍ଟି ଦେବା ସହ ଏହାକୁ ସବୁଦିନିଆ ରାସ୍ତାରେ ପରିଣତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.