Home ଜିଲ୍ଲା ପରିକ୍ରମା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଶପଥପାଠ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଶପଥପାଠ

18

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଉଦ୍ଦିଷ୍ଟ ଶପଥ ପାଠ ପତ୍ର ପଠନ ପୂର୍ବକ ସମସ୍ତଙ୍କୁ ଶପଥ କରାଇଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ତଥା ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ବୈଷୟିକ ନିର୍ଦ୍ଦେଶକ, ଏନ୍‌.ଆଇ.ସି. ବିଜୟ କୁମାର ମିଶ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି, ଡ଼େପୁଟି କଲେକ୍ଟର ନିର୍ବାଚନ କସ୍ତୁରୀବାଳା ଜେନା, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ କୁମାର ମିଶ୍ର ପ୍ରମୁଖଙ୍କ ସହ ଜିଲ୍ଲା କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶପଥ ପାଠ କରିଥିଲେ। ଏହି ଶପଥ ପାଠ ପାଇଁ ଉଦ୍ଦିଷ୍ଟ ଶପଥ ପତ୍ରରେ ଉଲ୍ଲେଖ ଥିବା ବିଷୟ ପଠନ ପୂର୍ବକ ସମସ୍ତେ ଶପଥ ଗ୍ରହଣ କରିଥିଲେ।

ଦେଶର ଆର୍ଥିକ, ସାମାଜିକ ଓ ରାଜନୈତିକ ପ୍ରଗତିରେ ଦୁର୍ନିୀତି ହିଁ ସବୁଠୁ ବଡ଼ ବାଧକ। ଦୁର୍ନୀତିର ମୂଳଉତ୍ପାଟନ ନିମନ୍ତେ ସରକାରୀ, ଘରୋଇ ଏପରିକି ନାଗରିକ ସମୁଦାୟ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ। ତେଣୁ ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବା ଉଚିତ୍। ଏହି ଆଧାରରେ ସମସ୍ତେ ଶପଥ ନେଲେ ଯେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବେ। ଲାଞ୍ଚ ନେବେ ନାହିଁ କି ଦେବେ ନାହିଁ। ସମସ୍ତ ଦାୟିତ୍ୱକୁ ସାଧୁତାର ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବେ। ଜନସାଧାରଣଙ୍କ ହିତସାଧନ ପାଇଁ କାର୍ଯ୍ୟ କରିବେ। ନିଜ ବ୍ୟକ୍ତିଗତ ଆଚରଣରେ ଦୁଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ହେବେ। ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ। ଜିଲ୍ଲାର ବ୍ଲକ୍, ତହସିଲ, ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା, ଆର୍‌.ଡ଼ି., ଡ଼ି.ଏସ୍‌.ଡ଼ବ୍ଲ୍ୟୁ.ଓ., ପ୍ଲାନିଂ, ବନ୍ୟପ୍ରାଣୀ ବିଭାଗ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟମାନଙ୍କର କର୍ମଚାରୀମାନେ ମଧ୍ୟ ଏହି ସପ୍ତାହ ପାଳନ ଉପଲକ୍ଷେ ନିଜ ନିଜ କାର୍ଯ୍ୟାଳୟରେ ଶପଥ ପାଠ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.