Home ଓଡ଼ିଶା ଦୁର୍ନୀତିର ଗନ୍ତାଘର ଯୋଡା ପୌରପାଳିକା, ସୂଚନା ଫଳକରେ ଲକ୍ଷାଧିକ ଟଙ୍କା ଆତ୍ମସାତ

ଦୁର୍ନୀତିର ଗନ୍ତାଘର ଯୋଡା ପୌରପାଳିକା, ସୂଚନା ଫଳକରେ ଲକ୍ଷାଧିକ ଟଙ୍କା ଆତ୍ମସାତ

92

ଯୋଡା. ୩୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକାରେ କାଉନସିଲ ଭଙ୍ଗ ହେବା ପରେ ସରକାରୀ ଧନ କିଭଳି ଭାବେ ହରିଲୁଟ ହେଉଛି ତାହାର ଏକ ବଡ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । କାଉନସିଲ ନଥିବାରୁ ଚମ୍ପୁଆ ଉପଜିଲ୍ଲାପାଳ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଆସିଛନ୍ତି । ତେବେ ପୌର ଅଧିକାରୀଙ୍କ ମନମୁଖି ଖର୍ଚ୍ଚ ଏବେ ଯୋଡା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନକୁ ଦିନ ପୌରପାଳିକାର ରାସ୍ତାଘାଟର ଅବସ୍ଥା ମରାମତି ଅଭାବରୁ ଶୋଚନୀୟ ହୋଇପଡିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସୂଚନା ଫଳକ ଲଗାଇବା କାହା ସ୍ୱାର୍ଥରେ ବୋଲି ଅଭିଯୋଗ ହୋଇଛି । ଯୋଡା ସହରକୁ ପ୍ରବେଶ କରିଥିବା ପୂତ୍ତ ବିଭାଗ ରାସ୍ତା ଉପରେ ପୌରପାଳିକା ପକ୍ଷରୁ ୫୮ଲକ୍ଷ ଟଙ୍କା ବ୍ୟୟରେ ୨ଟି ସ୍ୱାଗତ ତୋରଣ ଲଗାଯାଇଥିବା ବେଳେ ଏବେ ପୌରପାଳିକାରେ ବିଭିନ୍ନ ୱାର୍ଡ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ମନ୍ଦିର ଏବଂ ଦୂରତା ଜାଣିବା ନିମନ୍ତେ ସୁଚନା ଫଳକ ମାନ ଲଗାଯାଇଛି । ଏକ ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି ଯେ, ଏହି ବାବଦକୁ ଶତାଧିକ ସୂଚନା ଫଳକ ଲଗାଯାଇଥିବା ବେଳେ ଗୋଟିଏ ସୂଚନା ଫଳକର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରେ ଭୁବନେଶ୍ୱର ସଂସ୍କୃତି ଆସୋସିଏଟ୍ ନାମକ ଏକ ଘରୋଇ ସଂସ୍ଥା ଠାରୁ ବିନା ଟେଣ୍ଡରେ କିଣାଯାଇଛି । ଏହି ସୂଚନା ଫଳକ ବାବଦକୁ ମୋଟ ୪୫ ଲକ୍ଷ ୫୯ ହଜାର ୬ଶହ ୫୫ ଟଙ୍କା ୫୦ ପଇସା ଖର୍ଚ୍ଚ କରାଯାଇଛି । ଯୋଡା ଏକ କ୍ଷୁଦ୍ର ସହର ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଯେଉଁଠି ଗୋଟିଏ ଫଳକରେ କାମ ଚଳାଯାଇପାରିଥାନ୍ତା ସେପରି ସ୍ଥଳେ ୨ରୁ ୩ଟି ଲେଖାଁ ଫଳକ ଗୋଟିଏ ସ୍ଥାନରେ ପୋତାଯାଇ ଯୋଡା ଜନସାଧାରଣଙ୍କ ଟିକସ ଅର୍ଥକୁ ଅପଚୟ କରାଯାଇଛି । ଭୁବନେଶ୍ୱରରୁ କିଣାଯାଇଥିବା ଏହି ସୂଚନା ଫଳକ (ଜିନ୍ଦଲ ଷ୍ଟିଲ ଓ ଓଜନ ୨୭ କେ.ଜି.) କେନ୍ଦୁଝର, ଯୋଡା, ବଡବିଲ ମଧ୍ୟରେ ତିଆରି ହୋଇ ଏହାର ସର୍ବୋଚ୍ଚ ଦାମ ୯ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ମିଳିପାରୁଥିବା ବେଳେ ୪୯ ହଜାର ୩ଶହ ୮୮ ଟଙ୍କା ୫୦ ପଇସାରେ ଦେଇ ପ୍ରତି ସୂଚନା ଫଳକ ବିନା ଟେଣ୍ଡରେ କିଣାଯାଇ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବାଟମାରଣା କରାଯାଇଥିବା ଯୋଡା ଜନସାଧାରଣ ଅଭିଯୋଗ କରିଛନ୍ତି । କାଉନସିଲ ଭଙ୍ଗ ହେବା ପରେ ଚମ୍ପୁଆ ଉପଜିଲ୍ଲାପାଳ ଅଧ୍ୟକ୍ଷ ଭାବେ ପୌରପାଳିକାର କାର୍ଯ୍ୟ ଭାର ତୁଲାଇଆସିଛନ୍ତି । ତେବେ ନିର୍ବାହୀ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ଉପରେ ଏବେ ଯୋଡା ବାସୀଙ୍କ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ଏହାର ଉଚ୍ଚ ସ୍ଥରିୟ ତଦନ୍ତ ହେଲେ ଏଥିରେ ସମ୍ପୃକ୍ତ ବହୁ ପଦାଧିକାରୀଙ୍କ ମୁଖା ଖୋଲିପାରିବା ସହିତ ରାଜ୍ୟ ସରକାରଙ୍କର ବହୁ ଅର୍ଥ ଭରଣା କରାଯାଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.