Home ଜିଲ୍ଲା ପରିକ୍ରମା ଦୁର୍ଗାପୂଜା ଓ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳନ ନେଇ ଶାନ୍ତି କମିଟି ବୈଠକ

ଦୁର୍ଗାପୂଜା ଓ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳନ ନେଇ ଶାନ୍ତି କମିଟି ବୈଠକ

25

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାରଦୀୟ ପାର୍ବଣ ଏବଂ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ଆଜି ସଦ୍‌ଭାବନା ସମ୍ମିଳନୀ ସଭାଗୃହରେ, ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏସ୍‌.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଏବଂ ଡ଼େପୁଟୀ କଲେକ୍ଟର କସ୍ତୁରୀବାଳା ଜେନା ଯୋଗ ଦେଇଥିଲେ । ସହରର ବିଭିନ୍ନ ଦୁର୍ଗାପୂଜା କମିଟି ଓ ମୁସଲିମ୍ ଜମାତ୍‌ର କର୍ମକର୍ତ୍ତା, ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଅନ୍ୟ ପୋଲିସ୍ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେବାପରେ ସଭାପତି ହିସାବରେ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କ୍‌ୁ ଅଭିନନ୍ଦନ ଜଣାଇବା ସହିତ ସରକାରୀ ନିର୍ଦ୍ଦେଶ ଓ କୋଭିଡ଼୍ ନିୟମାବଳୀ ଅନୁପାଳନ ପୂର୍ବକ ଆଗାମୀ ପୂଜା ଓ ମହମ୍ମଦ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗ ଦର୍ଶିକାକୁ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ଉପସ୍ଥାପନ କରିଥିଲେ । ନିୟମାନୁଯାୟୀ କୌଣସି ପୂଜା ମଣ୍ଡପ ବା ଉତ୍ସବରେ ଜନସମାବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

ମୂର୍ତ୍ତିର ଉଚ୍ଚତା ୪ ଫୁଟ ରୁ ବେଶୀ ହେବନାହିଁ । ମେଢ଼ର ତିନିପାଖ ବନ୍ଦ କରିବା ସହ ସମ୍ମୁଖ ଭାଗ ମଧ୍ୟ ଆବଦ୍ଧ କରାଯିବ । ଜନ ସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ପୂଜକ ଓ କର୍ମକର୍ତ୍ତା ମିଶି ପୂଜା ମଣ୍ଡପରେ ୭ ଜଣରୁ ଅଧିକ ରହିବେ ନାହିଁ । ଡ଼ାକବାଜି ଯନ୍ତ୍ରବାଜିବ ନାହିଁ କୌଣସି ଧାର୍ମିକ ଶୋଭାଯାତ୍ର କି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ । ସାମୂହିକ ଭୋଜିଭାତ ହେବ ନାହିଁ କି ଭସାଣି ଶୋଭାଯାତ୍ରା ହେବନାହିଁ । କୁତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏହିସବୁ କଟକଣା ପରିସର ଭିତରେ ରହି ଶାନ୍ତି ଓ ଭାଇଚାରା ରକ୍ଷା ପୂର୍ବକ ଦୁର୍ଗାପୂଜା ଓ ମହମ୍ମଦଙ୍କ ଜୟନ୍ତୀ ଦିବସ ପାଳନ କରାଯିବାନେଇ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କଥା ପ୍ରକାଶ କଲାମାତ୍ରେ ବିଭିନ୍ନ ଦୁର୍ଗାପୂଜା କମିଟି କର୍ମକର୍ତ୍ତାମାନେ ସମସ୍ତେ ଏକମତ ହୋଇଥିଲେ । ପୂର୍ବ ବର୍ଷ ପରି ସମସ୍ତ କୋଭିଡ଼ ନିୟମ ଓ ସରକାରୀ ନିର୍ଦ୍ଦେଶ ମାନି ସବୁ ପୂଜାକମିଟି ପୂଜା କରିବେ ବୋଲି ପ୍ରକାଶ କରିଥିଲେ । ମୁସଲିମ୍ ଜାମାତ ତରଫରୁ ଅବଦୁଲ ବାରି ମଧ୍ୟ ପ୍ରଫେଟ୍ ମହମ୍ମଦ ଜୟନ୍ତୀ ଉତ୍ସବ ମଧ୍ୟ ସେହି କଟକଣା ଆଧାରରେ ଘରେ ଓ ମସଜିଦ୍‌ରେ ପାଳନ କରାଯିବ ବୋଲି ବୈଠକରେ ସୂଚନା ଦେଇଥିଲେ । ତେବେ ପାର୍ବଣ ସମୟରେ ପ୍ରତି ପୂଜାମଣ୍ଡପକୁ ସାନିଟାଇଜ୍ କରାଯିବା, ରାସ୍ତା ମରାମତି, ସଫେଇ ଆଲୋକ ବ୍ୟବସ୍ଥା, ଅଧିକ ପୋଲିସ୍ ମୂତୟନ ଓ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଯୋଗାଇ ଦେବା ନେଇ ପୂଜା କମିଟିର କର୍ମକର୍ତ୍ତା ମାନେ ଅନୁରୋଧ କରିବାରୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ସବୁଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.