Home ଜିଲ୍ଲା ପରିକ୍ରମା ଦୁଇଟି ବୁଥ୍‌ରେ ସାନି ଓ ଗୋଟିଏରେ ଅବଶିଷ୍ଟ ଭୋଟରଙ୍କ ପାଇଁ ମତଦାନ, ଗଣତି ପାଇଁ ପ୍ରଶାସନିକ...

ଦୁଇଟି ବୁଥ୍‌ରେ ସାନି ଓ ଗୋଟିଏରେ ଅବଶିଷ୍ଟ ଭୋଟରଙ୍କ ପାଇଁ ମତଦାନ, ଗଣତି ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୁଡ଼ାନ୍ତ

50

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଅନୁଷ୍ଠିତ ହୋଇଥିବା ଭଦ୍ରକ ପୌର ନିର୍ବାଚନରେ ୨୪ ନଂ ୱାର୍ଡ଼ର ନାଥସାହି ୟୁ.ପି.ସ୍କୁଲର ୬୫ ଓ ୬୬ ନଂ ବୁଥ୍‌ରେ ଇ.ଭି.ଏମ୍‌. ଭଙ୍ଗାରୁଜା ଓ ଗଣ୍ଡଗୋଳ ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ଆଜି ଉକ୍ତ ୨ଟି ବୁଥ୍‌ରେ ସାନିମତଦାନ ୧୦ଟା ରୁ ଆରମ୍ଭ ହୋଇ ୪ଟାରେ ଶେଷ ହୋଇଛି। ସେହି ସ୍କୁଲରେ ଅବସ୍ଥିତ ୬୭ ନମ୍ବର ବୁଥ୍‌ରେ ଉକ୍ତ ଗଣ୍ଡଗୋଳ ଯୋଗୁଁ ଅପରାହ୍ନ ୨ଘ. ୩୦ମି ପରେ କୌଣସି ଭୋଟର ମତଦାନ ପାଇଁ ଆସିନଥିଲେ। ଏହି ଘଟଣାକୁ ନେଇ ଭଦ୍ରକ ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ରିପୋର୍ଟ ଆଧାରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ମତଦାନ କରିପାରିନଥିବା ଭୋଟରମାନଙ୍କ ପାଇଁ ଆଜି ୬୭ ନଂ ବୁଥ୍‌ରେ ଅପରାହ୍‌ଣ ୨ଘ. ରୁ ୫ଘଟିକା ପର୍ଯ୍ୟନ୍ତ ଭୋଟ ନିଆଗଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପୋଲିଂ ଦଳ ପ୍ରେରଣ କରାଯିବା ସହ ଆବଶ୍ୟକ ପୋଲିସ୍ ବ୍ୟବସ୍ଥା ଓ ଭୋଟରଙ୍କ ସଚେତନା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଥିଲା। ସୂଚନା ଯୋଗ୍ୟକି ୬୭ନଂ ବୁଥ୍‌ରେ ଥିବା ସମୁଦାୟ ୮୬୪ ଜଣ ଭୋଟରଙ୍କ ମଧ୍ୟରୁ ଗତକାଲି ୫୫୭ ଜଣ ମତଦାନ କରିଥିବା ବେଳେ ୩୦୭ ଜଣ ମତଦାତା ଭୋଟ ଦେଇ ପାରିନଥିଲେ। ପୁନଶ୍ଚ ଆଜି ସେହି ୬୭ନଂ ବୁଥ୍‌ରେ ବାକିଥିବା ୩୦୭ ଭୋଟରଙ୍କ ମଧ୍ୟରୁ ପୁରୁଷ ୬୪ ଜଣ ଓ ମହିଳା ୩୯ ଜଣ ସମୁଦାୟ ୧୦୩ ଜଣ ମତଦାତା ଅର୍ଥାତ୍ ୩୩.୫୫ % ମତଦାନ କରିଛନ୍ତି।

ସାନି ମତଦାନ କରାଯାଇଥିବା ୬୫ ନଂ ବୁଥ୍‌ର ସମୁଦାୟ ଭୋଟର ସଂଖ୍ୟା ୯୬୮ ରୁ ୮୧୩ ଜଣ ଅର୍ଥାତ୍ ୮୩.୯୮ % ମତଦାନ କରିଥିବା ଭୋଟରଙ୍କ ମଧ୍ୟରୁ ୪୦୪ ଜଣ ପୁରୁଷ ଓ ୪୦୯ ଜଣ ମହିଳା ଥିଲେ। ସେହିପରି ୬୬ ନଂ ବୁଥ୍‌ରେ ସମୁଦାୟ ୯୦୦ ଭୋଟରଙ୍କ ମଧ୍ୟରୁ ୬୪୪ ଜଣ ଅର୍ଥାତ୍ ୭୧.୫୫ % ମତଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୩୩୭ ଜଣ ପୁରୁଷ ଓ ୩୦୭ ଜଣ ମହିଳା ଥିଲେ। ଭଦ୍ରକ ପୌର ପରିଷଦ ନିର୍ବାଚନର ଫଳାଫଳ ପାଇଁ ମାର୍ଚ୍ଚ ୨୬ରେ ହେବାକୁ ଥିବା ଗଣତି ପାଇଁ ଭଦ୍ରକ ଜିଲ୍ଲାସ୍କୁଲରେ ଆୟୋଜିତ ଗଣତି କେନ୍ଦ୍ର ନିମନ୍ତେ ପ୍ରଶାସନ ଦ୍ୱାରା ଆନୁଷଙ୍ଗିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଜିଲ୍ଲା ସ୍କୁଲ ପରିସରରେ କଡ଼ା ପ୍ରହରା ମଧ୍ୟରେ କାଉନ୍‌ସିଲର ଓ ଚେୟାରମ୍ୟାନ୍ ପାଇଁ ପୃଥକ୍ ଭାବେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ଇ.ଭି.ଏମ୍‌. ମେସିନ୍‌କୁ ବୁଥ ଅନୁଯାୟୀ ପର୍ଯ୍ୟାୟ କ୍ରମେ ଗଣତିକେନ୍ଦ୍ରକୁ ଅଣାଯିବ। ଗଣତି କେନ୍ଦ୍ରରେ ଗଣନା ପାଇଁ ୧୦ଟି ଟେବୁଲ୍‌ର ବ୍ୟାବସ୍ଥା କରାଯାଇଛି। ବାମପାଖରେ ଥିବା ୫ଟି ଟେବୁଲରେ କାଉନ୍‌ସିଲରଙ୍କ ପାଇଁ ଓ ଡ଼ାହାଣ ପାଶ୍ୱର୍ରେ ଥିବା ୫ଟି ଟେବୁଲ୍‌ରେ ଚେୟାରମ୍ୟାନଙ୍କ ପାଇଁ ଉଦ୍ଦିଷ୍ଟ ଇ.ଭି.ଏମ୍ ରୁ ଫଳାଫଳ ଗଣନା କରାଯିବ। ୱାର୍ଡ଼ ଅନୁଯାୟୀ ଗଣତି ଶେଷରେ ବିଜୟୀ କାଉନ୍‌ସିଲରମାନଙ୍କ ନାମ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଗଣତି ସ୍ଥାନରେ ଘୋଷଣା କରାଯିବ। ସମସ୍ତ ୱାର୍ଡ଼ର ଗଣତି ପରେ ବିଜୟୀ ପୌରାଧ୍ୟକ୍ଷଙ୍କ ନାମ ମଧ୍ୟ ସେହି ସ୍ଥାନରେ ଘୋଷଣା କରାଯିବ। ସୂଚନାଯୋଗ୍ୟକି ଭଦ୍ରକ ଜିଲ୍ଲାର ବାସୁଦେବପୁର ମ୍ୟୁନିସିପାଲିଟି ପାଇଁ ଅଟଳବିହାରୀ ହାଇସ୍କୁଲ ଠାରେ ଓ ଚାନ୍ଦବାଲି ଏନ୍‌.ଏ.ସି. ପାଇଁ ଚାନ୍ଦବାଲି କଲେଜ ଠାରେ ନିର୍ବାଚନ ଗଣତି କରାଯିବ। ମାତ୍ର ଧାମନଗର ଏନ୍‌.ଏ.ସି. ନିର୍ବାଚନରେ ୯ ନମ୍ବର ୱାର୍ଡ଼ର ୧୬ ନମ୍ବର ବୁଥରେ ନିର୍ବାଚନ ଦିନ ଛୁରାମାଡ଼ ଘଟଣା ନେଇ ସୃଷ୍ଟି ଆଇନ୍ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ସାନି ମତଦାନ କରାଯାଇ ପାରି ନଥିବାରୁ ସେଠାକାର ଗଣତି କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.