Home ଓଡ଼ିଶା ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଓଡିଶା ରଣଜୀ ଟ୍ରଫିର କ୍ବାଟର ଫାଇନାଲକୁ ପ୍ରବେଶ

ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଓଡିଶା ରଣଜୀ ଟ୍ରଫିର କ୍ବାଟର ଫାଇନାଲକୁ ପ୍ରବେଶ

231

“କ୍ବାଟର ଫାଇନାଲକୁ ପ୍ରବେଶ କଲୁ ଏହା ନିଶ୍ଚୟ ଭଲ କଥା । କିନ୍ତୁ ମୁଁ ଅଧିନାୟକ ଭାବେରେ ମୋ ଟିମର ଖେଳାଳିମାନଙ୍କ ଠାରୁ ଆଉ କିଛି ଅଧିକ ଆଶା କରୁଛି । ଭଲ ପ୍ରଦର୍ଶନ ଜାରି ରଖିଲେ ଆମେ ସେମିଫାଇନ ଓ ଫାଇନାଲକୁ ପ୍ରବେଶ କରି ପାରିବୁ,” କହିଛନ୍ତି ଓଡିଶା ରଣଜୀ ଟିମର ଅଧିନାୟକ ଶୁଭ୍ରାଶୁଂ ସେନାପତି
କଟକ୧୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଓଡିଶା ରଣଜୀ ଟ୍ରଫିର ଆଜି କ୍ୱାଟର ଫାଇନାଲରେ ପ୍ରବେଶ କରିବା ପରେ ଓଡିଶା ରଣଜୀ କ୍ରିକେଟ ଟିମରେ ଉତ୍ସାହ ବୃଦ୍ଧି ପାଇବା  ଦେଖିବାକୁ ମିଳିଛି । ଦିର୍ଘ ୩ ବର୍ଷ ବ୍ୟବଧାନ ପରେ ଟ୍ରଫିର କ୍ବାଟର ଫାଇନାଲକୁ ପ୍ରବେଶ କରିଛି ଓଡିଶା ।  ଆଜି ଦିନ ବାରବାଟୀ ଷ୍ଟାଡିୟମରେ ଚ଼ାଲିଥିବା ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚକୁ ଟିମ ଓଡିଶା ଡ୍ର ରଖିବା ସହ ତିନି ପଏଣ୍ଟ ପାଇ କ୍ବାଟର ଫାଇନାଲକୁ ଉନ୍ନୀତ ହୋଇଛି । ଏହି ମ୍ୟାଚରେ ଦଳର ଖେଳାଳିମାନେ ଉଭୟ ବ୍ୟାଟିଂ ଓ ବୋଲିଂରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ ।ପ୍ରଥମ ଇନିଂସରେ ଓଡିଶା ବ୍ୟାଟିଂ କରି ଦେବାଶିଷ ସାମନ୍ତାରାୟଙ୍କ ଲଢୁଆ ୧୫୬ ରନ ବଳରେ ଝାଡ଼ଖଣ୍ଡ ଆଗରେ ୪୩୬ ରନର ବିଜୟ ଲକ୍ଷ ରଖିଥିଲା । ଜବାବରେ ଝାଡ଼ଖଣ୍ଡ ଦଳ ୩୫୬ ରନ କରି ଅଲ ଆଉଟ ହୋଇଯାଇଥିଲା । ଏହା ପରେ ବ୍ୟାଟିଂ କରି ଦ୍ବିତୀୟ ଇନିଂସରେ ଅଧିନାୟକ ସୁଭ୍ରାଶୁଂ ସେନାପତିଙ୍କ ଶତକ ସହ ଓଡିଶା ପାଳି ଘୋଷଣା କରିଥିଲା ।

ଗୃପ୍ ସିର ପ୍ରଥମ ଟିମ୍ ଭାବେ ଜାମ୍ମୁ ଓ କଶ୍ମୀର ଟିମ୍ କ୍ବାଟର ଫାଇନାଲକୁ ପ୍ରବେଶ କରିସାରିଥିବା ବେଳେ ମୋଟ ୩୮ ପଏଣ୍ଟ ସହ ଓଡିଶା ଦ୍ବିତୀୟ ଟିମ ଭାବେ କ୍ବାଟର ଫାଇନାଲକୁ ପ୍ରବେଶ କରିଛି । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା କ୍ୱାଟରଫାଇନାଲ୍ ମ୍ୟାଚରେ ଦେଶର ସର୍ବ ଶ୍ରେଷ୍ଠ ଟିମଗୁଡିକ ସହ ସେମିଫାଇନାଲକୁ ପ୍ରବେଶ କରିବା ପାଇଁ ଓଡିଶାର କଡ଼ା ମୁକାବିଲା ହେବ ।ଓଡ଼ିଶାର ଦେବାଶିଷ ସାମନ୍ତାରାୟ, ବିପ୍ଳବ ସାମନ୍ତରାୟ, ଶୁଭ୍ରାଶୁଂ ସେନାପତି, ରାଜେଶ ଧୁପର ଓ ଗୋବିନ୍ଦ ପ୍ରାଧାନଙ୍କ ଭଳି ବ୍ୟାଟ୍ସମ୍ୟାନ ଏହି ସିଜନରେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ସେହିପରି ଭେଟରାନ୍ ବୋଲର ବସନ୍ତ ମହାନ୍ତି, ସୂର‌୍ୟ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନଙ୍କ ମଧ୍ୟ ଚମତ୍କାର ବୋଲିଂ କରି ଟିମର ବିଜୟ ପଥକୁ ପରିସ୍କାର କରି ଚାଳିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର୍ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ତେଣୁ ଆଗକୁ ଟିକେ ଅଧିକ ପରିଶ୍ରମ କଲେ ଓଡିଶା ପାଇଁ ଫାଇନାଲକୁ ପ୍ରବେଶ କରିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି ।ଆଗକୁ ହେବାକୁ ଥିବା ମ୍ୟାଚରେ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଲେ ଓଡ଼ିଶା ଟିମ ଫାଇନାଲକୁ ପ୍ରବେଶ କରିବା ସହ ଖେଳାଳିମାନେ ଆଇପିଏଲ ଓ ଜାତୀୟ ଦଳର ଚ଼ୟନକର୍ତ୍ତାଙ୍କୁ ଦୃଷ୍ଟି ମଧ୍ୟ ଆକର୍ଷଣ କରି ପାରିବେ ।
“ଏହି ସିଜନରେ ଓଡିଶାର ବୋଲରମାନେ ଅଧିକାଂଶ ମ୍ୟାଚରେ ବିପକ୍ଷ ଟିମର ୨୦ଟି ୱିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହା ସେମାନଙ୍କ ଦକ୍ଷତାକୁ ପ୍ରତିପାଦିତ କରିବା ସହ ଦଳକୁ କ୍ବାଟର ଫାଇନାଲ ପର‌୍ୟ୍ୟନ୍ତ ଆଣିବାରେ ସଫଳ ହୋଇଛି । ଏହା ବ୍ୟତୀତ ଓଡିଶା ଟିମ ଚ଼ଳିତ ସିଜନରେ ଗୃପ-ସି’ରେ ଖେଳୁଥିବା ବେଳେ ଆସନ୍ତା ସିଜନରେ ଗୃପ-ଏ ଓ ବିରେ ଖେଳିବାକୁ ସୁଯୋଗ ପାଇବ,” କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.