Home ଜିଲ୍ଲା ପରିକ୍ରମା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ବ୍ଲକ ସ୍ତରୀୟ ପରାମର୍ଶ ଶିବିର

76

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାରେ ଓର୍‌ମାସ୍ ଦ୍ୱାରା ଆୟୋଜିତ ନିଯୁକ୍ତି ଭିତ୍ତିକ ଯୋଜନା ଅନ୍ତର୍ଗତ ଭଦ୍ରକ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆଜି ଡ଼ି.ଆର.ଡ଼ି.ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଲୋକସଭା ସଦସ୍ୟା ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ତାଙ୍କ ସହ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୁଶଳ ଚନ୍ଦ୍ର ନାଏକ, ଜିଲ୍ଲା ସୂଚନା ଲୋମସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରା ଏହି ଉଦ୍‌ଘାଟନୀ ସଭାରେ ମଞ୍ଚ ପରିଚାଳନା କରିଥିଲେ ଏବଂ ଡେପୁଟି ସି.ଇ.ଓ. ଓର୍‌ମାସ ସଞ୍ଜୟ କୁମାର ବାରିକ ଶିବିର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ କ୍ରମାଗତ ତିନିଥର ଶ୍ରେଷ୍ଠ ରାଜ୍ୟଭାବେ ପୁରସ୍କୃତ ହୋଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଯେକୌଣସି ଶିକ୍ଷାଗତ ଯୋଗ୍ୟତାଥିବା ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ / ଯୁବତୀମାନେ ଏଥିରେ ସାମିଲ୍ ହୋଇପାରିବେ । ମାତ୍ର ସେମାନେ ବି.ପି.ଏଲ କାର୍ଡଥିବା ପରିବାରର ହୋଇଥିବେ କିମ୍ବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନ୍ତତଃ ୧୫ ଦିନ କାମ କରିଥିବେ କିମ୍ବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା କାର୍ଡ କିମ୍ବା ଅନ୍ତୋର୍ଦୟ କାର୍ଡ ଥିବ କିମ୍ବା ଏସ.ଇ.ସି.ସି.-୨୦୧୧ ରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ । ଆଜିର ଏହି ବ୍ଲକ ସ୍ତରୀୟ ପରାମର୍ଶ ଶିବିରକୁ ସମୁଦାୟ ୩୧୨ ଜଣଙ୍କୁ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଅନୁପ୍ରାଣୀତ କରାଯାଇ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩୮ ଜଣଙ୍କୁ ପ୍ରଶିକ୍ଷଣ ଭିତ୍ତିକ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀ ସହ ସଂଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.