Home ଜିଲ୍ଲା ପରିକ୍ରମା ଦିନକର ମୌସୁମୀ ବର୍ଷାରେ ବେହାଲ ଭଦ୍ରକ ସହର, ମଠ, ମନ୍ଦିର, ସ୍କୁଲ, କଲେଜ, ରାସ୍ତାଘାଟ, ସରକାରୀ...

ଦିନକର ମୌସୁମୀ ବର୍ଷାରେ ବେହାଲ ଭଦ୍ରକ ସହର, ମଠ, ମନ୍ଦିର, ସ୍କୁଲ, କଲେଜ, ରାସ୍ତାଘାଟ, ସରକାରୀ ଅଫିସ୍ ସବୁଠି ପାଣି ହିଁ ପାଣି

30

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଆଜି ଦିନକର ମୌସୁମୀ ବର୍ଷାରେ ବେହାଲ ହୋଇପଡିଛି ଭଦ୍ରକ ସହର । ଯେଉଁଠିକୁ ଯାଅ, ଯେଉଁଠି ଦେଖ ସବୁଆଡେ ପାଣି ହିଁ ପାଣି । ଏହି ଲଗାଣ ବର୍ଷା ସହରର ମଠ, ମନ୍ଦିର, ସ୍କୁଲ, କଲେଜ, ମେଡିକାଲ, ବସ୍ତି, ରାସ୍ତାଘାଟ, ନେହେରୁ ଷ୍ଟାଡିୟମ୍‌, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ଏଭଳି ଜଳାର୍ଣ୍ଣବ କରିଛି ଯେ ପୌରପାଳିକା ଓ ସ୍ଥାନୀୟ ଜନପ୍ରତିନିଧିମାନେ ନାକେଦମ୍ ହୋଇ ହାତ ଉପରକୁ ଟେକି ଦେଇଛନ୍ତି । ତେବେ ଜିଲା ପ୍ରଶାସନ, ବିଧାୟକ ସଂଜୀବ ମଲ୍ଲିକ ଓ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବିଙ୍କ ନିର୍ଦ୍ଦେଶ କ୍ରମେ ପୌରପାଳିକା ପକ୍ଷରୁ ଏକାଧିକ ଜେସିବି ମେସିନ୍ ସାହାଯ୍ୟରେ ବିଭିନ୍ନ ଅଂଚଳରେ ଦୀର୍ଘଦିନରୁ ଅବରୋଧ ହୋଇପଡିଥିବା ନାଳ ନର୍ଦ୍ଦମା ଗୁଡିକୁ ସଫା କରାଯାଉଥିଲେ ମଧ୍ୟ ଜଳ ନିଷ୍କାସନର କୌଣସି ସୁବିଧା ନଥିବାରୁ ଉଦ୍‌ବୃତ୍ତ ଜଳ ଠିକଣା ଭାବେ ସାଳନ୍ଦୀ ନଦୀକୁ ଯାଇପାରୁନାହିଁ । ଫଳରେ ବ୍ୟବସାୟୀ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବସ୍ତିବାସିନ୍ଦା ଓ ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ।

ଆଜି ସକାଳୁ ଅବିଶ୍ରାନ୍ତ ବର୍ଷା ଲାଗିରହିଥିବାରୁ ସହରର ମୁଖ୍ୟ ପ୍ରବେଶ ପଥ ମହତାବ ଛକ ଠାରୁ ଚରମ୍ପା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ନାଳଗୁଡିକ ସଫା ହୋଇନଥିବାରୁ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଲୋକାଲ ରୋଡ୍‌ରେ ବର୍ଷାଜଳ ଲହଡି ଭାଙ୍ଗୁଛି । ସହରର ଟ୍ରେଜେରୀ ପଛପାଖ ଜଗନ୍ନାଥ କଲୋନୀ, ଅପର୍ତ୍ତିବିନ୍ଧା, ଭିଆଇପି ରୋଡ୍ ଗବସାହି, ମୋଟେଲ ଛକ, କଦମବେଡା, କଲେଜ ଛକ ସମେତ ପୁରୁଣାବଜାରର ବହୁ ତଳିଆ ଅଂଚଳ ଏବେ ଜଳମଗ୍ନ ହୋଇପଡିଛି । ଏପରିକି ରାଣୀତାଲର ମୁଖ୍ୟ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ଏହି ବର୍ଷାଜଳ ପ୍ରବାହିତ ହେଉଛି । ଯାହାଫଳରେ ଛୋଟ ଛୋଟ ଯାନବାହନ ଯିବାଆସିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ସବୁଠାରୁ ବଡ କଥା ସହର ମଧ୍ୟରେ ଥିବା ବାବା ଲୋକନାଥ ମନ୍ଦିର ଭିତରେ ପାଣି ପଶି ମହାଦେବଙ୍କ ଗର୍ଭଗୃହ ଜଳମଗ୍ନ ହୋଇଛି । ଏବଂ ଚାନ୍ଦବାଲି ବାଇପାସ୍‌ସ୍ଥିତ ଶନି ମନ୍ଦିର, ମଠସାହି ଗ୍ରାମର ମନ୍ଦିର ସମେତ ଅନେକ ମନ୍ଦିର ମଧ୍ୟରେ ଏହି ବର୍ଷାଜଳ ପ୍ରବେଶ କରିଛି । ଅନୁରୂପ ଭଦ୍ରକ କଲେଜ ମଧ୍ୟରେ ଏବେ ଯେଭଳି ବର୍ଷାଜଳ ଲହଡି ଭାଙ୍ଗୁଛି, ତାହା ମହାମହିମ ରାଷ୍ଟ୍ରପତିଙ୍କ ଆଗମନର ପ୍ରସ୍ତୁତି ପର୍ବରେ ବାଧା ଉପୁଯାଇଛି ।

ସେହିଭଳି ବିଭିନ୍ନ ସ୍କୁଲ, କଲେଜ ଗୁଡିକ ମଧ୍ୟରେ ବର୍ଷାଜଳ ପ୍ରବେଶ କରିବା ଫଳରେ ପାଠପଢା ବ୍ୟାହତ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଗେଲପୁରସ୍ଥିତ ନୂତନ ମେଡିକାଲରେ ମଧ୍ୟ ୨ ଫୁଟ୍ ଉଚ୍ଚର ବର୍ଷାଜଳ ଲହଡି ମାରୁଛି । ଯାହାଦ୍ୱାରା ରୋଗୀସେବା ଏକ ପ୍ରକାର ଠପ୍ ହୋଇଯାଇଛି । ଚଳିତବର୍ଷର ପ୍ରଥମ ମୌସୁମୀ ବର୍ଷାର ପ୍ରଥମ ଦିନରେ ସହରର ଏଭଳି ଅବସ୍ଥାକୁ ଦେଖି ବିଧାୟକଙ୍କ ସ୍ମାର୍ଟ ସିଟିର ସ୍ୱପ୍ନ ସତରେ ଯେ ସାକାର ହେବ, ସେଥିନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଭଦ୍ରକ ସହରରେ ବ୍ରିଟ୍ରିଶ ସମୟରୁ ଜଳ ନିଷ୍କାସନ ପାଇଁ ଥିବା ବହୁ ପୁରାତନ ସ୍ୱରେଜ ବ୍ୟବସ୍ଥା ଉପରେ ଏବେ ବହୁ ପ୍ରତିଭାଶାଳୀ ବ୍ୟକ୍ତିବିଶେଷ କୋଠାବାଡି ସହ ପୌରପାଳିକା ମାର୍କେଟ୍ କମ୍ପେ୍ଲକ୍ସମାନ ନିର୍ମାଣ କରିବା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଆସୁଛି । କିନ୍ତୁ ଜିଲା ପ୍ରଶାସନ ଓ ପୌରପାଳିକା ଏ ଦିଗରେ ବିଧିବଦ୍ଧ ଭାବେ କୌଣସି ସ୍ଥାୟୀ ପ୍ରତିକାର ନକରି କେବଳ ପ୍ରତିବର୍ଷ ବର୍ଷାଦିନ ଆସିଲେ କୁମ୍ଭୀର କାନ୍ଦଣା କାନ୍ଦି ନାମକୁ ମାତ୍ର ‘ରାଧେ ରାଧେ ଅଧେ ଅଧେ’ ନୀତିରେ ଡ୍ରେନ୍ ମାନ ନିର୍ମାଣ କରିବା ଏକ ପ୍ରହସନ ବୋଲି ବିଶିଷ୍ଟ କୃଷକନେତା ଚନ୍ଦ୍ରଶେଖର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ପ୍ରବଳ ବର୍ଷାରେ ଆଜି ବିଧାୟକ ସଂଜୀବ ମଲ୍ଲିକ ଓ ଭଦ୍ରକ ପୌରାଧ୍ୟକ୍ଷ ଗୁଲମକ୍କୀ ହବିବ ବିଭିନ୍ନ ୱାର୍ଡ ଗସ୍ତ କରି ପ୍ରତିକାର ନିମନ୍ତେ ଉପଜିଲାପାଳ ମନୋଜ ପାତ୍ର ଓ ପୌରନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.