Home ଓଡ଼ିଶା ଦିନକରେ ୩୩ ସ୍ଥାନୀୟ ସଂକ୍ରମଣ: ୯୭୨ ଛୁଇଁଲା ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

ଦିନକରେ ୩୩ ସ୍ଥାନୀୟ ସଂକ୍ରମଣ: ୯୭୨ ଛୁଇଁଲା ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

126

ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩୫ହଜାର ଟପିଛି। ଅନୁରୂପ ଭାବେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୯୯ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧ହଜାର ୩୭୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଅଦ୍ୟାବଧି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ଗତ କିଛିଦିନ ଧରି କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବାକୁ ବସିଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପ୍ରଦତ୍ତ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୨ରେ ପହଞ୍ଚିଛି। ଅଦ୍ୟାବଧି ୭୧୩ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୨୫୨ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ନୂଆ ଭାବେ ଚିହ୍ନଟ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୫ ଜଣ ଥିବାବେଳେ ଅନ୍ୟ ୩୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ତେବେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ରେମୁଣା ଶାସନବାଡ଼ ଅଞ୍ଚଳରୁ ଆଜି ସର୍ବାଧିକ୧୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିିରେ ୮ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ସଂକ୍ରମିତ ହୋଇଛନ୍ତି। ସେହିପରି ବସ୍ତା ବ୍ଲକର ସାହାଦା ଅଞ୍ଚଳରେ ୨୩ ବର୍ଷର ପୁରୁଷ ଓ ସିଂଲା ଅଞ୍ଚଳର ଜଣେ ୧୮ ବର୍ଷର ଯୁବତୀ, ୧୦ର ବର୍ଷର ନାବାଳକ ଓ ୧୩ ଏବଂ ୧୬ ବର୍ଷର ଦୁଇଜଣ ନାବାଳିକାଙ୍କୁ ମିଶାଇ ମୋଟ ୫ ଜଣ ସଂକ୍ରମିତ ହୋଇଛନ୍ତି। ଅନୁରୂପ ଭାବେ ସିମୁଳିଆ ବ୍ଲକ ସିଂଲାରେ ୫୦ ବର୍ଷର ପୁରୁଷ, ଭୋଗରାଇ ବ୍ଲକ ଦେହୁର୍ଦ୍ଦାର ୨୭ ବର୍ଷର ଯୁବକ, ଜଳେଶ୍ୱର ଟାଉନର ୭୦ ବର୍ଷର ମହିଳା ଓ ବାସୁଦେବପୁର ଅଞ୍ଚଳର ୧୧ ବର୍ଷର ବାଳକ, ବାଲିଆପାଳର ୪୮ ବର୍ଷର ପୁରୁଷ, ରେମୁଣା ବ୍ଲକ ସେରଗଡ଼ ଅଞ୍ଚଳର ୫୨ ବର୍ଷର ମହିଳା ଓ ୩୬ ବର୍ଷର ଯୁବକ, ସୂତେଇ ଅଞ୍ଚଳର ୫୩ ବର୍ଷର ପୁରୁଷଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସବୁଠାରୁ ବଡ଼କଥା ହେଲା ବାଲେଶ୍ୱର ପୌରାଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେବା ସହବାସୀଙ୍କ ମଧ୍ୟରେ ଛନକା ପଶିଯାଇଛି। ସେମାନଙ୍କ ମଧ୍ୟରେ ମୋତିଗଞ୍ଜର ୨୫ ବର୍ଷର ଯୁବକ, ଅଙ୍ଗାରଗଡ଼ିଆର ୩୨ ବର୍ଷର ଯୁବକ, ଆଜିମାବାଦର ୩୮ ବର୍ଷର ଯୁବକ, ନୂଆବଜାରର ୩୮ ବର୍ଷର ଯୁବକ ଥିବା ବେଳେ ପୁଲିସଲାଇନ୍ ଅଞ୍ଚଳର ୧୧ ବର୍ଷର ନାବାଳିକା, ୩୦ ବର୍ଷ ଓ ୫୮ ବର୍ଷର ମହିଳାଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ କରୋନା ପିଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ଯାହା ବି ହେଉ ଗତ କିଛିଦିନ ଧରି ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅଗଷ୍ଟ ମାସରେ ସମ୍ଭାବ୍ୟ ସ୍ଥିତିକୁ ନେଇ ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.