Home Top News ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ଓ ବସ୍‌ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ହେବ ଇନ୍‌ଡୋର ଷ୍ଟାଡିଅମ

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ଓ ବସ୍‌ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ହେବ ଇନ୍‌ଡୋର ଷ୍ଟାଡିଅମ

50

ଜିନିଙ୍ଗ ମିଲ୍‌ଦ୍ବାରା କୃଷକମାନେ ଫସଲର ବିବିଧକରଣ ପାଇଁ ପ୍ରୋତ୍ସାହିତ ହେବେ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଦିଗପହଣ୍ଡି ଠାରେ ଏକ Cotton Ginning & Pressing Mill ଏବଂ ଏକ ନୂଆ ବସ୍‌ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛୋଟ ଛୋଟ ଟାଉନ୍‌ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ। ରାସ୍ତାଘାଟ, ଡ୍ରେନେଜ୍‌ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଆମେ ଗୁରୁତ୍ବ ଦେଉଛୁ। ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି। ଆଜି ବସ୍‌ଟର୍ମିନାଲ ମଧ୍ୟ ଉଦ୍‌ଘାଟିତ ହେଲା। ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନର ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ତୁଳା ଜିନିଙ୍ଗ ମିଲ୍‌ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଆମର କପା ଚାଷୀ ମାନଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ (crop diversification) ପାଇଁ ପ୍ରେରଣା ଦେବ। ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି ସେ କହିଥିଲେ।

ରାଜ୍ୟର କ୍ରିଡା ଭିତ୍ତିଭୂମି ଉପରେ ଆଲୋକପାତ କରି ସେ କହିଲେ ଯେ ନିକଟରେ ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନିଷ୍ପତ୍ତି କରିଛନ୍ତି। ଏଥିରେ ସାରା ରାଜ୍ୟରେ ୮୯ଟି Multipurpose Indoor Stadium ନିର୍ମାଣ କରାଯିବ। କ୍ରୀଡା ସହିତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ଡାକ୍ତରଖାନା ପରି ମଧ୍ୟ ଏହା କାମ କରିବ। ଦିଗପହଣ୍ଡିରେ ମଧ୍ୟ ଗୋଟିଏ Multipurpose Indoor Stadium କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଥିଲେ। ଏହା ଆମର ପିଲାମାନଙ୍କର କ୍ରୀଡା ପ୍ରତିଭାକୁ ବିକଶିତ କରିବାରେ ବିଶେଷ ସହାୟକ ହେବ।

ରାଜ୍ୟର କ୍ରୀଡା ବିକାଶରେ ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡା ହିଁ ଯୁବସମାଜର ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ। ନିକଟରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷ ପରେ ଅଲମ୍ପିକ୍‌ରେ ମେଡାଲ ଜିତିପାରିଛି। ଆମ ଓଡିଶାର ଦୁଇ ଜଣ ଖେଳାଳୀ ମଧ୍ୟ ଏହି ଟିମ୍‌ରେ ଅଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମର ଯୁବ ସମାଜ ଉପରେ ମୋର ବହୁତ ଭରସା ଅଛି। ମୋର ପୁରା ବିଶ୍ବାସ, ଯୁବ ସମାଜ ହିଁ ଆଗାମୀ ଦିନରେ ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି, ଆମ ଓଡିଶା ପାଇଁ, ସାରା ଦେଶ ପାଇଁ, ସୁନାମ ଆଣିବେ।’

ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ ଯେ ଏହି ଦୁଇଟିଯାକ ପ୍ରକଳ୍ପ ଦିଗପହଣ୍ଡିର ସାମଗ୍ରୀକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦିଗପହଣ୍ଡି ଓ ଗଞ୍ଜାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସୂଚନାଯୋଗ୍ୟ ଯେ ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ଏହା ୫୦୦୦ ହେକ୍ଟରେ ପହଞ୍ଚିଛି। ପୂର୍ବରୁ ୪ କ୍ବିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ୪୪ କ୍ବିଣ୍ଟାଲ ତୁଳା ଅମଳ ହେଉଛି। Cotton Ginning Mill ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀ ମାନଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ।

ସେହିପରି ବସ୍‌ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ ରୁ ୧୫୦ ବସ୍‌ଚଳାଚଳ ହୋଇପାରିବ ଏବଂ ଏହାଦ୍ବାରା ଲୋକଙ୍କ ଯାତାୟତରେ ଅନେକ ସୁବିଧା ଆସିପାରିବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.