Home ଓଡ଼ିଶା ଦାୟିତ୍ୱ ନେବେ ନାଁ ପଦବୀ ପାଇବେ ଟାଇଗର କନ୍ୟା ?

ଦାୟିତ୍ୱ ନେବେ ନାଁ ପଦବୀ ପାଇବେ ଟାଇଗର କନ୍ୟା ?

735

ଭୁବନେଶ୍ୱର/ବ୍ରହ୍ମପୁର: ଦିନେ ଗଞ୍ଜାମ ଟାଇଗର ଭାବରେ ପରିଚୟ ପାଇଥିବା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ ଏବେ ରାଜନୀତିରେ।ମା’ କୁମୁଦିନୀ ପଟ୍ଟନାୟକ ମଧ୍ୟ ଆସ୍କା ସାଂସଦ ରହି ସାରିଛନ୍ତି।୨୦୧୯ ନିର୍ବାଚନରେ ଅନିତା ବିଜେପି ଟିକେଟରେ ଆସ୍କା ଲୋକସଭା ଆସନରୁ ଲଢ଼ି ବିଜେଡି ପାର୍ଥି ପ୍ରମିଳା ବିଷୋଇଙ୍କ ଠାରୁ ୨,୦୪,୭୦୭ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି।ପ୍ରମିଳା ୫,୫୨,୭୪୯ ଖଣ୍ଡ ଭୋଟ ପାଇଥିବା ବେଳେ ବେଳେ ଅନିତା ପାଇଥିଲେ ୩,୪୮,୦୪୨ ଖଣ୍ଡ ଭୋଟ।ସୂଚନାଯୋଗ୍ୟ ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଆସନ ଅନ୍ତର୍ଗତ ନବୀନ ପଟ୍ଟନାୟକଙ୍କ ବିଧାନସଭା କ୍ଷେତ୍ର, ହିଞ୍ଜିଳିକାଟୁ।ପୂର୍ବରୁ ନବୀନ ପଟ୍ଟନାୟକ ଆସ୍କାରୁ ସାଂସଦ ମଧ୍ୟ ରହି ସାରିଛନ୍ତି।

 

ବିଗତ ଦିନରେ ବିଜେପିରେ ଘଟିଥିଲା ଅନେକ ଗୁଡ଼ିଏ ମିଶ୍ରଣ।କିନ୍ତୁ, ଦେଖିବାକୁ ଗଲେ ସେଥିରୁ ଅନେକ ମିଶ୍ରଣ ନୁହେଁ, ଅପମିଶ୍ରଣ ଥିଲା।ସେହିପରି କିଛି ଅପମିଶ୍ରଣ ଯୋଗୁଁ ଓଲଟି ବିଜେପିର କିଛି ମୂଳ ସଙ୍ଗଠନର ନେତା/କାର୍ଯ୍ୟକର୍ତ୍ତା ବିଜେପି ଠାରୁ ଦୂରେଇ ଗଲେ।ଏବଂ ସେହି ଅପମିଶ୍ରଣର ଫଳ ମଧ୍ୟ ୨୦୧୯ ନିର୍ବାଚନରେ ଭୋଗିଲା ବିଜେପି।କିନ୍ତୁ, ଅନିତା ଶୁଭଦର୍ଶିନୀଙ୍କ ମିଶ୍ରଣ ଏବଂ ଆସ୍କା ସାଂସଦ ପାର୍ଥି ଭାବରେ ଟିକେଟ ପାଇବା ଦଳ ପାଇଁ ଲାଭ ଦାୟକ ଥିଲା।କାରଣ ଏଠାରେ ବିଜେପିର ସେପରି କେହି ପୂରୁଣା କାର୍ଯ୍ୟକର୍ତ୍ତା ବା ନେତା ଅସନ୍ତୁଷ୍ଟ ହେବାର ନଥିଲା, ଯେହେତୁ ଏଠାରେ ବିଜେପିର ସଙ୍ଗଠନ ଅତ୍ୟନ୍ତ ଦୁର୍ବଳ ଥିଲା।ଏବଂ ଆସ୍କା ସାଂସଦ ପାର୍ଥି ପାଇଁ ସେପରି କୌଣସି ପ୍ରଭାବୀ ଚେହେରା ନଥିଲା।ସେହିପରି ପାରିବାରିକ ରାଜନୀତି ଭିତ୍ତିରେ ଯୋଗ୍ୟତା ନଥାଇ ଯେ କେବଳ ଅନିତା ସୁଯୋଗ ପାଇଗଲେ କୁହାଯାଇ ପାରିବନି।କାରଣ ନିର୍ବାଚନ ପରେ ମଧ୍ୟ ଅନିତା ସକ୍ରିୟ ଅଛନ୍ତି।କୁହାଯାଉଛି ଏବେ ୱାର୍ଡ ସ୍ତର ଯାଏଁ ବିଜେପି ପକ୍ଷରୁ କରାଯାଇଥିବା କମିଟି ପ୍ରସ୍ତୁତିରେ ଅନିତା ତାଙ୍କ ଦାୟିତ୍ୱ ତୁଳନାତ୍ମକ ଭାବରେ ସଠିକ ରୂପେ ନିର୍ବାହ କରିଛନ୍ତି।ରାଜନୈତିକ ପରିବାରରେ ଜନ୍ମିତ ଅନିତା ପିଲାବେଳୁ ରାଜନୀତି ଦେଖି ଆସିଛନ୍ତି।ଏଲଏଲବି କରିଥିବା ଅନିତା କର୍ମୀ ଏବଂ ଲୋକଙ୍କ ସହିତ ଭଲ ମିଶି ପାରୁଛନ୍ତି।ଲୋକ ସଂପର୍କ ବୃଦ୍ଧି କରିବା ଏବଂ କଥା କହିବାର କଳା ମଧ୍ୟ ତାଙ୍କୁ ଜଣା।ମୂଳ ବିଜେପି ସଙ୍ଗଠନ ସହିତ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଏବଂ ରାଜ୍ୟ ମହିଳା ମୋର୍ଚ୍ଚାର ଅନେକ ଅନିତାଙ୍କୁ ପସନ୍ଦ କରୁଛନ୍ତି।

ଗଞ୍ଜାମ ଜିଲ୍ଲାରେ ବିଜେପିର ଦୁର୍ବଳ ସ୍ଥିତି ଭିତରେ ପୂର୍ବରୁ ରହି ଆସିଥିବା ରାମକୃଷ୍ଣ ପଟ୍ଟନାୟକଙ୍କ ସଙ୍ଗଠନ ବା ଲୋକ ସଂପର୍କ, ଅନିତାଙ୍କ ସକ୍ରିୟତା ଅନିତା ଏବଂ ବିଜେପି ପାଇଁ ଲାଭଦାୟକ ହେବାର ସମ୍ଭାବନା ରହିଛି।ବ୍ରହ୍ମପୁର ଲୋକସଭା ଆସନରୁ ପାର୍ଥି ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କର ସ୍ଥିତି ସେପରି କିଛି ନାହିଁ।ସାଧାରଣ ଲୋକଙ୍କ ଭିତରେ ତାଙ୍କର ସେପରି କିଛି ପରିଚୟ ନାହିଁ।ଏହାସହ ଗଞ୍ଜାମ ଜିଲ୍ଲାରେ ବିଜେପିର ସେହିପରି ଜଣେ କେହି ପ୍ରଭାବୀ ନେତା ନାହାଁନ୍ତି।ଗଞ୍ଜାମ ଜିଲ୍ଲା ବିଜେପିର ସାଙ୍ଗଠନିକ ଜିଲ୍ଲା ଭାବରେ ୨ଟି ଜିଲ୍ଲାରେ ବିଭକ୍ତ।ଗଞ୍ଜାମ ଏବଂ ଘୁମୁସର ଜିଲ୍ଲା।ଏବେକାର ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ପ୍ରତି ସଙ୍ଗଠନ ଭିତରେ ଅସନ୍ତୋଷ ରହିଛି।ସେ ପୁନର୍ବାର ଜିଲ୍ଲା ସଭାପତି ପାଇଁ ଆଶାୟୀ ଥିବା ବେଳେ ତାଙ୍କୁ ହଟାଇବା ପାଇଁ ଦଳ ଭିତରେ ଆଉ ଏକ ଗୋଷ୍ଠୀ ରୀତିନୀତି ଉଦ୍ୟମ ଚଳାଇଛନ୍ତି।ବିଭୂତି ଭୂଷଣ ଜେନାଙ୍କ ସମେତ ଜିଲ୍ଲା ସଭାପତି ପାଇଁ ଏଠାରୁ ଏକାଧିକ ଆଶାୟୀ ଅଛନ୍ତି।ଏବେ ଜିଲ୍ଲା ସଭାପତି କିଏ ହେବ ନେଇ ସେମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଛି।ସେହିପରି ସୂର୍ଯ୍ୟ ନାରାୟଣ ଦାସ ଏବେ ଘୁମୁସର ଜିଲ୍ଲା ସଭାପତି ଥିବା ବେଳେ ତାଙ୍କର ମଧ୍ୟ ସେପରି ପ୍ରଭାବ ନାହିଁ।କିନ୍ତୁ, ତାଙ୍କୁ ବଦଳାଇ ଅନ୍ୟ ଜଣେ କାହାକୁ ଦାୟିତ୍ୱ ଦେବା ପରି ସେପରି ନେତୃତ୍ୱ ମଧ୍ୟ ନାହାଁନ୍ତି।ଜିଲ୍ଲା ସଭାପତି ଏଇ ଖୁବ ଶୀଘ୍ର ଘୋଷଣା ହୋଇଯିବ।ତେବେ ଏପରି ସ୍ଥିତିରେ ଅନିତା ଶୁଭଦର୍ଶିନୀଙ୍କୁ ସଂପୂର୍ଣ ଗଞ୍ଜାମ ଜିଲ୍ଲାରେ ସଙ୍ଗଠନ ସଜାଡ଼ିବା ଦାୟିତ୍ୱ ଦିଆଗଲେ ତାହା ଦଳ ପାଇଁ ହୁଏତ ଲାଭ ଦାୟକ ହେବ।ହୁଏତ ଅନିତାଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସ୍ତରୀୟ କୌଣସି ପଦବୀ ଦିଆଯାଇ ପାରେ।ତାହା କେବଳ ପଦବୀ ହେବ, କିନ୍ତୁ ତାଙ୍କୁ ସଂପୂର୍ଣ୍ଣ ଗଞ୍ଜାମ ଜିଲ୍ଲାର ସଙ୍ଗଠନ ସମ୍ଭାଳିବା ପରି କିଛି ଦାୟିତ୍ୱ ଦିଆଗଲେ ତାହା ଅନିତାଙ୍କ ସହିତ ଗଞ୍ଜାମ ଜିଲ୍ଲାରେ ବିଜେପି ଦଳ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.