Home ଓଡ଼ିଶା ଥାନାରେ ପଶି ପୋଲିସ ସବଇନ୍ସପେକ୍ଟରକୁ ଆକ୍ରମଣ: ବାପ-ପୁଅ ଗିରଫ

ଥାନାରେ ପଶି ପୋଲିସ ସବଇନ୍ସପେକ୍ଟରକୁ ଆକ୍ରମଣ: ବାପ-ପୁଅ ଗିରଫ

83

କେନ୍ଦ୍ରାପଡ଼ା, ୨୫ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କୁ ଆକମ୍ରଣ କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଆକ୍ରମଣରେ ପୋଲିସ ସବ ଇନ୍ସପେକ୍ଟର ସରୋଜ ଦାସ ଆହତ ହୋଇଛନ୍ତି। ଏହି ଘଟଣାକୁ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଗୁରୁତର ସହ ନେଇ ଅଭିଯୁକ୍ତ ବାପ ପୁଅଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ଏସ୍‌ପିଙ୍କ ନିର୍ଦେଶରେ ନିକିରାଇ ଥାନାଧିକାରୀ କାଦମ୍ବିନୀ ପରିଡ଼ା ଅଭିଯୁକ୍ତ ରାଜେନ୍ଦ୍ର ଜେନା ଓ ତାଙ୍କ ପୁଅ ସୁଧାଂଶୁ ଜେନାଙ୍କୁ ଗିରଫ ତୁରନ୍ତ କରିଥିଲେ। ସୂଚନା ଅନୁଯାୟୀ ପଲ୍ଲୀ ରଘୁନାଥପୁର ଗ୍ରାମର ରାଜେନ୍ଦ୍ର ଜେନା ଜଳାଶୟ ପୋତି ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିଛନ୍ତି। ଏହାକୁ ସେହି ଗ୍ରାମର ସମାଜସେବୀ ମନୋରଞ୍ଜନ ଜେନା ବିରୋଧ କରି ଓଡିଶା ଉଚ୍ଚ ନ୍ୟାୟାଳର‌୍ୟରେ ଏକ ମାମଲା ରୁଜୁ କରିଛନ୍ତି। ତେଣୁ ରାଜେନ୍ଦ୍ର ଓ ତାଙ୍କ ପୁଅ ସୁଧାଂଶୁ ମନୋରଞ୍ଜନ ଓ ତାଙ୍କ ବାପା ରାମଚନ୍ଦ୍ରଙ୍କୁ ବହୁବାର ଏ ନେଇ ଆକ୍ରମଣ କରିବା ସହ ଧମକ ଚମକ ମଧ୍ୟ ଦେଇଛନ୍ତି। ମନୋରଞ୍ଜନଙ୍କ ବାପା ରାମଚନ୍ଦ୍ର ଜେନା ଗତ ଶୁକ୍ରବାର ତାଙ୍କ ଘର ପାଚେରୀ କାମ କରୁଥିଲେ। ସେହି ସମୟରେ ହଠାତ ଅଭିଯୁକ୍ତ ରାଜେନ୍ଦ୍ର ଜେନା ଓ ତାଙ୍କ ପୁଅ ସୁଧାଂଶୁ ଜେନା ରାମଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ରାମଚନ୍ଦ୍ରଙ୍କ ପୁଅ ମନୋରଞ୍ଜନ ଅଭିଯୋଗ କରିବାକୁ ନିକିରାଇ ଥାନାକୁ ଯାଇଥିଲେ। ଥାନାକୁ କାହିଁକି ଅଭିଯୋଗ କରିବାକୁ ଗଲେ ବୋଲି ଅଭିଯୁକ୍ତ ରାଜେନ୍ଦ୍ର ଓ ତାଙ୍କ ପୁଅ ସୁଧାଂଶୁ ଜେନା ଥାନାକୁ ଯାଇ ମନୋରଞ୍ଜନ ଓ ତାଙ୍କ ବାପା ରାମଚନ୍ଦ୍ରଙ୍କୁ ଥାନା ମଧ୍ୟରେ ଆକ୍ରମଣ କରିଥିଲେ। ଏହି ସମୟରେ ଥାନାରେ ଉପସ୍ଥିତ ଥିବା ସବଇନ୍ସପେକ୍ଟର ସରୋଜ ଦାସ ଅଭିଯୁକ୍ତ ବାପ ପୁଅଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ଅଭିଯୁକ୍ତ ବାପ ପୁଅ ସବଇନ୍ସପେକ୍ଟର ଶ୍ରୀ ଦାସଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏହି ଘଟଣା ତ୍ୱରିତ ବେଗରେ ପ୍ରଚାର ହୋଇଗଲା। ଫଳରେ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରିବା ପାଇଁ ଏସ୍‌ପି ଶ୍ରୀ ମଡ଼କର ଥାନାଧିକାରୀ କାଦମ୍ବିନୀ ପରିଡ଼ାଙ୍କୁ ନିର୍ଦେଶ ଦେଇଥିଲେ। ଏସ୍‌ପିଙ୍କ ନିର୍ଦେଶ ପରେ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦଫା ୩୦୭ ସମେତ ବିଭିନ୍ନ ଫୌଜଦାରୀ ଦଫାରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.