Home ଜିଲ୍ଲା ପରିକ୍ରମା ଥାନାରୁ ନ୍ୟାୟ ନପାଇ ନିର୍ଯ୍ୟାତିତା ପରିବାର ସୁରକ୍ଷା ପାଇଁ ଏସ୍‌ପିଙ୍କୁ ଭେଟିଲେ, ତଦନ୍ତ ପାଇଁ ଏସ୍‌ଡିପିଓ...

ଥାନାରୁ ନ୍ୟାୟ ନପାଇ ନିର୍ଯ୍ୟାତିତା ପରିବାର ସୁରକ୍ଷା ପାଇଁ ଏସ୍‌ପିଙ୍କୁ ଭେଟିଲେ, ତଦନ୍ତ ପାଇଁ ଏସ୍‌ଡିପିଓ ନିଯୁକ୍ତ, ଆମରଣ ଅନଶନ ଚେତାବନୀ

21

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପୂର୍ବ ପୁରୁଷରୁ ପୁରୁଷାନୁକ୍ରମେ ରହିଆସୁଥିବା ଏକ ପରିବାର ଅନ୍ୟ ଗ୍ରାମରୁ ଉଠିଆସି ଘର କରିଥିବା ଅନ୍ୟ ଏକ ପରିବାର ଦ୍ୱାରା ନିର୍ଯ୍ୟାତନାର ସମ୍ମୁଖୀନ ହୋଇଆସୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ସେମାନଙ୍କୁ ନ୍ୟାୟ ନଦେଇ ସେମାନଙ୍କୁ ଘଣ୍ଟ ଘୋଡାଇବା ପ୍ରତିବାଦରେ ଆଜି ସେମାନେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଶରଣାପନ୍ନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ନିର୍ଯ୍ୟାତିତା ପରିବାର ପକ୍ଷରୁ ଶୋଭାବତୀ ଦାସ ଆରକ୍ଷୀ ଅଧୀକ୍ଷକଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଙ୍କ ପରିବାର ଧୁଷୁରୀ ଥାନା ଅଧୀନସ୍ଥ ଖପରପଦା ପଞ୍ଚାୟତର ଲେଙ୍କାସାହିରେ ପୁରୁଷାନୁ କ୍ରମେ ରହିଆସୁଛନ୍ତି । ମାତ୍ର ତିହିଡି ଥାନା ଅଧୀନସ୍ଥ ଈଶ୍ୱରପୁର ନିବାସୀ ଉଗ୍ରସେନ ମଳିକ ନାମକ ଜଣେ ବ୍ୟକ୍ତି ଗତ ୨୫ ବର୍ଷ ପୂର୍ବେ ତାଙ୍କ ଘର ପାଖରେ ଜମି କିଣି ରହିଥିଲେ । କିନ୍ତୁ ଉଗ୍ରସେନଙ୍କ ପରିବାର ମୂଳ ବାସିନ୍ଦା ଶୋଭାବତୀଙ୍କ ସ୍ୱାମୀ ସନାତନ ଦାସଙ୍କ ପୈତୃକ ସ୍ଥାନକୁ ସ୍ଥାନୀୟ କେତେକ କୁଚକ୍ରୀ ବ୍ୟକ୍ତିଙ୍କ ପ୍ରରୋଚନାରେ ଜୋର ଜବରଦସ୍ତ ଦଖଲ କରିଥିଲେ ।

ଫଳରେ ସନାତନ ଏହାର ପ୍ରତିବାଦ କରିବାରୁ ଉକ୍ତ ପରିବାର ସେମାନଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ହତ୍ୟା କରିବାର ଚେତାବନୀ ଦେଇଥିଲେ । ଯେଉଁଥିପାଇଁ ସନାତନଙ୍କ ପତ୍ନୀ ଶୋଭାବତୀ ସ୍ଥାନୀୟ ଧୁଷୁରୀ ଥାନାରେ ସମସ୍ତ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ । ପ୍ରଥମେ ପୁଲିସ୍ ଉଭୟପକ୍ଷଙ୍କୁ ଡକାଇ ଘଟଣାର ସମାଧାନ କରିଥିଲେ ମଧ୍ୟ ଉଗ୍ରସେନଙ୍କ ପରିବାର ଥାନାରେ ସହମତି ପ୍ରକାଶ କରି ପରବର୍ତ୍ତୀ ସମୟରେ ପୂର୍ବପରି ନିର୍ଯ୍ୟାତନା ଦେଇଥିଲେ । ସନାତନ ଏ ଘଟଣା ସଂପର୍କରେ ପୁଲିସ୍‌କୁ ପଚାରିବାରୁ ସେମାନେ ଓଲଟି ତାଙ୍କୁ ଧମକ ଚମକ ଦେଇ ଘଟଣାର ରଫାଦଫା କରିବାକୁ କହିଥିଲେ । ଫଳରେ ସନାତନ ଏ ସଂପର୍କରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ୍ ମୂଳେ ତଥ୍ୟ ମାଗିଥିଲେ ମଧ୍ୟ ସଂପୃକ୍ତ ଅଧିକାରୀ ତାଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରିଥିଲେ । ଯାହାକୁ ନେଇ ସନାତନଙ୍କ ପରିବାର ଭୟଭୀତ ହୋଇ ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ସନାତନଙ୍କ ପତ୍ନୀଙ୍କ ଅଭିଯୋଗ ପତ୍ର ମୂଳେ ସମସ୍ତ ବିଷୟ ଅବଗତ ହୋଇ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଣେ ଏସ୍‌ଡିପିଓଙ୍କୁ ନିଯୁକ୍ତ କରିଥିବାର ଜଣାପଡିଛି । ତେବେ ଶୋଭାବତୀଙ୍କ ପରିବାର ନ୍ୟାୟ ନପାଇଲେ ଆଗାମୀ ଦିନରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.