Home ଓଡ଼ିଶା ତ୍ରିବେଣୀ କମ୍ପାନୀର ଦାଦାଗିରି, ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପରିବହନ ମୂଲ୍ୟକୁ ନେଇ ଉତ୍ତେଜନା

ତ୍ରିବେଣୀ କମ୍ପାନୀର ଦାଦାଗିରି, ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପରିବହନ ମୂଲ୍ୟକୁ ନେଇ ଉତ୍ତେଜନା

46

ଯୋଡା, ୧୮/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଉଚ୍ଚବାଲିସ୍ଥିତ ଉନ୍ଦ୍ରାଣୀ ପଟ୍ଟନାୟକ ଲୌହ ଖଣିରେ ପରିବହନ ମୂଲ୍ୟକୁ ନେଇ ଟ୍ରକ ମାଲିକ ଏବଂ ଖଣିର ଠିକା ସଂସ୍ଥା ତ୍ରିବେଣୀ ଆର୍ଥ ମୁଭର୍ସ ର କର୍ତ୍ତୁପକ୍ଷଙ୍କ ସହିତ ଉତ୍ତେଜନା ଦେଖାଦେଇଛି । ଘଟଣାରୁ ପ୍ରକାଶ ଯେ, ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଃ ଲିଃ ନାମକ ଅଣଓଡିଆ ଠିକା ସଂସ୍ଥା ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଖଣିରେ ଏକଚାଟିଆ ଖଣି ଖନନ, ପରିବହନ ଏବଂ ୱାଗନ ବୋଝେଇ କାର‌୍ୟ୍ୟ କରିଆସୁଥିବା ବେଳେ ଠିକା ସଂସ୍ଥାର ଦାଦାଗିରି ଯୋଗୁଁ ଟ୍ରକ ମାଲିକମାନେ ଯୋଡା ଟ୍ରକ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଧାର‌୍ୟ୍ୟ ମୂଲ୍ୟ ଠାରୁ ୩ଶହ ଟଙ୍କା ଟନ ପ୍ରତି କମ୍ ପାଉଥିବା ସହ ୬୦ ଟଙ୍କା ପ୍ରତି ଟନ୍ ପିଛା ଦାଦାବଟି ଆଦାୟ କରିଥାନ୍ତି । ତ୍ରିବେଣୀ ଠିକା ସଂସ୍ଥା ଏହି ଏକଚାଟିଆ ପରିବହନ କାର‌୍ୟ୍ୟ ପ୍ରଥମେ ଏସଏସ୍ ଲଜିଷ୍ଟିକ୍ ନାମକ ଏକ ଠିକା ସଂସ୍ଥା ମାଧ୍ୟମରେ ପରିବହନ କରୁଥିବା ବେଳେ ଏସଏସ ଲଜିଷ୍ଟିକରେ କିଛି ଅନ୍ୟମିତତା ପଦାକୁ ଆସିବା ପରେ ଏହାର ପରିବହନ ଲାଇସେନ୍ସକୁ ଖଣି ବିଭାଗ ରଦ୍ଧ କରିଥିଲେ । ପରବର୍ତ୍ତି ସମୟରେ ଏହି ଠିକା ସଂସ୍ଥା ଆଣ୍ଡଲ ଲଜିଷ୍ଟିକ୍ ନାମକ ଆଉ ଏକ ସଂସ୍ଥା ନାମରେ ପରିବହନ କାର‌୍ୟ୍ୟ ଚଳାଇଆସୁଛି । ଆଣ୍ଡଲ ଲଜିଷ୍ଟିକ୍ ଯୋଡା ଟ୍ରକ ମାଲିକ ସଂଘରୁ ଟ୍ରକ ନନେଇ ଝାରଖଣ୍ଡ, ଉତ୍ତରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ହରିଆଣା, ୱେଷ୍ଟ ବେଙ୍ଗଲ, ଆନ୍ଦ୍ରପ୍ରଦେଶ ପ୍ରଭୁତି ରାଜ୍ୟ ବାହାର ଟ୍ରକ ଆଣି ଧାର‌୍ୟ୍ୟ ଦର ଠାରୁ କମ୍ ଦରରେ ଲୁହାପଥର ପରିବହନ କାର‌୍ୟ୍ୟ ଚଳାଇଆସିଛି । ଫଳରେ ଯୋଡା ଟ୍ରକ ମାଲିକମାନେ କାମଧନ୍ଦା ନପାଇ ଦୀର୍ଘ ଦିନ ହେବ ହାତ ବାନ୍ଧି ବସିଛନ୍ତି । ଏହା ଫଳରେ ଟ୍ରକ ମାଲିକମାନେ ଋଣ କରିଆଣିଥିବା ଟ୍ରକ ଗୁଡିକର କିସ୍ତି ପରିଷୋଧ କରିନପାରି ବିଫଳ ହେବା ଫଳରେ ସେମାନଙ୍କ ଟ୍ରକ ଗୁଡିକ ଟାଣିନିଆଯାଉଛି । ଏବେ କିଛି ଟ୍ରକ ମାଲିକ ସର୍ବହରା ହୋଇ ମାନଶୀକ ଭାରସାମ୍ୟ ହରାଇବା ସହ ଦାଣ୍ଡର ଭିକାରୀ ପାଲଟିଯାଇଛନ୍ତି । ଏପରିସ୍ଥଳେ ଟ୍ରକ ମାଲିକଙ୍କର ଆକ୍ରୋଶ ଚରମସୀମାରେ ପହଞ୍ଚିଛି । ବୁଧବାର ଅପରାହ୍ନରେ ୩ଶହରୁ ଉର୍ଦ୍ଧ ଟ୍ରକ ମାଲିକ ସଂଘବଦ୍ଧ ହୋଇ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଖଣି ଫାଟକ ସମ୍ମୁଖରେ ପହଞ୍ଚି ଏହି ଅବୈଧ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ତ୍ରିବେଣୀ ପକ୍ଷରୁ ଏହାର ନିର୍ଦ୍ଦେଶକ ଭେଙ୍କଟେସଙ୍କ ସହିତ ଗାଡି ମାଲିକଙ୍କ କଥାକଟିକଟି ସମୟରେ ସେ ତାଙ୍କ ନିଜ ଜିଦରେ ଅଟଳ ରହି ପରିବହନ କାର‌୍ୟ୍ୟ ପୂବବତ୍ ଚଳାଇବାକୁ ଧମକ ଦେଇଥିବା ବେଳେ ଏ ନେଇ ଟ୍ରକ ମାଲିକଙ୍କ ସହ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ତ୍ରିବେଣୀର ପରିଚାଳନା ନିର୍ଦ୍ଦେଶକ ବି. ପ୍ରଭାକରନ ପହଞ୍ଚି ଏଥିରେ ହସ୍ତକ୍ଷେପ କରିଥିଲେ । ଟ୍ରକ ମାଲିକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବଫଳ ହୋଇଥିଲା । ତ୍ରିବେଣୀ ପକ୍ଷରୁ ଚୁଡାନ୍ତ ନିଷ୍ପତି ପାଇଁ ଆଉ ଗୋଟିଏ ଦିନ ସମୟ ମଗାଯାଇଥିଲା । ତେବେ ଟ୍ରକ ମାଲିକମାନଙ୍କ ପକ୍ଷରୁ ଯୋଡାରୁ ପାରାଦ୍ୱୀପ ଲୁହାପଥର ପରିବହନ ନିମନ୍ତେ ଧାର‌୍ୟ୍ୟ କରାଯାଇଥିବା ଟନ୍ ପ୍ରତି ଦର ୧୯୨୫ ରହିଥିବା ବେଳେ ଏହାକୁ ସର୍ବନିମ୍ନ ୧୯୦୦ ଟଙ୍କା ରଖିବା ପାଇଁ ଦାବି କରାଯାଇଥିଲା । ଏହା ସହିତ ପରିବହନ ନିମନ୍ତେ ଯୋଡା ଟ୍ରକ ମାଲିକ ସଂଘରେ ପଞ୍ଜିକୃତ ଟ୍ରକ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପରିବହନ ନିମନ୍ତେ ସୁଯୋଗ ଦେବା ପରେ ବାହାର ରାଜ୍ୟର ଟ୍ରକକୁ ପରିବହନ ଦେବାକୁ ସେମାନେ ଦୃଢ ଦାବି ଜଣାଇଥିଲେ । ଗୁରୁବାର ଦିନ ଉଭୟଙ୍କ ପକ୍ଷରୁ ଏହାର ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.