ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୈଳ ଦର ବୃଦ୍ଧି ସାଙ୍ଗକୁ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧିକୁ ବିରୋଧ କରି ଭାରତୀୟ ଜାତୀୟ କଂଗ୍ରେସ ଦଳ ଦୀର୍ଘ ୧୦ଦିନ ହେବ ଆନ୍ଦୋଳନ କରି ଆସୁଥିବା ବେଳେ ଶେଷ ଦିନରେ ଚାନ୍ଦବାଲି ବ୍ଲକ ଏବଂ ନଗର କଂଗ୍ରେସ ତରଫରୁ ଏକ ମୋଟର ସାଇକେଲ ରାଲି ଆରମ୍ଭ ହେବା ସହ ଦସ୍ତଖତ ଅଭିଯାନ ହୋଇଥିଲା । ଦିନ ୧୦ଟା ସମୟରେ କଂଗ୍ରେସ ନେତା ଦିଗମ୍ବର ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକ ମୋଟର ସାଇକେଲ ରାଲିରେ ବାହାରି ବାଂଶଡା, ଧାମରା, ଜାଗୁଳା, ଦେସିଙ୍ଗା, କଇଥଖୋଲା,କରଞମାଳ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତ ପରିକ୍ରମା କରି କେନ୍ଦ୍ରର ବିଜେପି,ରାଜ୍ୟରେ ବିଜେଡି ସରକାରଙ୍କ ଦୂରଦର୍ଶିତା ଅଭାବ ଯୋଗୁ କରୋନା ମହାମାରୀ ସମୟରେ ପେଟ୍ରୋଲ-୧୦୫,ଡିଜେଲ-୧୦୦,ରନ୍ଧନ ଗ୍ୟାସ-୮୬୦,ଶୋରିଷ ତେଲ-୧୮୦ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଥିବା କଥା ଜନସାଧାରଣ ମାନଙ୍କୁ ଅବଗତି କରାଇଥିଲେ । ଏହାର ପ୍ରତିବାଦରେ ଏହି ବିଶାଳ ରାଲି ବାହାରିବା ସହ ଧାମରା ଠାରେ ଥିବା ପେଟ୍ରୋଲ ପମ୍ପ ମାନଙ୍କରେ ସାଧାରଣ ଜନତାଙ୍କ ନିକଟରୁ ଦସ୍ତଖତ ନେଇ ଏହି ଦସ୍ତଖତ ଆଗାମୀ ଦିନରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଅବଗତି ନିମନ୍ତେ ପଠାଯିବ ବୋଲି ସେ ନିଜର ବିବୃତି ରଖିଥିଲେ । ଏଥିସହ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ତୀବ୍ରତର କରାଯିବ ବୋଲି ମଧ୍ୟ କହିଥିଲେ । ହୋଇଥିବା ରାଲି ଏବଂ ଦସ୍ତଖତ ସମ୍ବଳିତ ଅଭିଯାନରେ ଦିଗମ୍ବର ଦାସ, ସୁରେଶ ମାହୁନ୍ତ,କୃଷକ ନେତା ତାରାକାନ୍ତ ସାମଲ, ନରେନ୍ଦ୍ର ମାଇତି,ମନୋଜ ମାଝୀ, ଗଦାଧର ସେଠୀ, ମାୟାଧର ବେହେରା, ଜିଆଦ ଅଲ୍ଲୀ ଖାଁ, ସୁଶାନ୍ତ ବେହେରା, ଚନ୍ଦ୍ରକାନ୍ତ ମାଝୀ, ବିଜୟ ବେହେରା,ଦୁର୍ଯ୍ୟଧନ ମାଝୀ, ଚୈତନ୍ୟ ଦାସ, ସୁକୁମାର ପ୍ରଧାନଙ୍କ ସହ ବହୁ ସଖ୍ୟାରେ କଂଗ୍ରେସକର୍ମୀ ଏହି ଅଭିଯାନରେ ସାମିଲ ଥିଲେ ।








