Home ଓଡ଼ିଶା ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଭାଜନ ଆଡକୁ ମୁହାଁଉଛି ବିଜେଡ଼ି

ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଭାଜନ ଆଡକୁ ମୁହାଁଉଛି ବିଜେଡ଼ି

199

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ- ପ୍ରିୟରଂଜନ ସାହୁ) ଓଡ଼ିଶାରେ ଶାସିତ ବିଜେଡ଼ିରେ ଏବେ ଅସନ୍ତୋଷ ଚରମ ସୀମାରେ। ଦୀର୍ଘ ଦିନ ଧରି ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ଏବେ ପଦାକୁ ବାହାରିଲାଣି। ୨୦୧୮ ଅର୍ଥାତ୍ ଏହି ବର୍ଷ ଡିସେମ୍ବର ମାସରେ ସାଧାରଣ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବାର ଖବର ପ୍ରକାଶ ପାଇବା ପରେ ଏବେ ରାଜନିତୀ ସରଗରମ। ଦୀର୍ଘ ୧୭ ବର୍ଷ ଧରି ଓଡ଼ିଶାରେ ଏକଚାଟିଆ ଶାସନ କରୁଛି ବିଜେଡି। ତେଣୁ ଏଥର ନିଶ୍ଚିତ ଭାବରେ ଦଳ ଘୋର ପ୍ରତିଦ୍ୱନ୍ଦିତାର ସମ୍ମୁଖିନ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ। ତା ପୂର୍ବରୁ ଦଳ ଭିତରେ ଅନ୍ତର୍ନ୍ଦ୍ୱନ୍ଦ ମୁଖିଆଙ୍କୁ ଚିନ୍ତାରେ ପକାଇ ଦେଇଛି।

ଏହି ବର୍ଷ ଡିସେମ୍ବର ମାସରେ ସାଧାରଣ ନିର୍ବାଚନ କରାଇବା ନେଇ ପୂର୍ବରୁ କେନ୍ଦ୍ର ସରକାର ଅଭାସ ଦେଇଥିଲେ। ଖୁବ କମ୍ ଦିନ ଭିତରେ ଏହାର ସଂପୂର୍ଣ୍ଣ ରୂପରେଖ ପ୍ରକାଶ ପାଇବ। ସାଧାରଣ ନିର୍ବାଚନ ସହିତ ଓଡ଼ିଶାର ବିଧାନସଭା ନିର୍ବାଚନ ମଧ୍ୟ ଏକ ସଙ୍ଗରେ ହୋଇ ଆସୁଛି। ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ସାଧାରଣ ନିର୍ବାଚନ ହୁଏ ତେବେ ଓଡ଼ିଶା ସରକାର ମଧ୍ୟ ସେହି ସମୟରେ ବିଧାନସଭା ନିର୍ବାଚନ କରିବେ ବୋଲି ମୁଖ୍ୟମନ୍ତ୍ରୀ ବହୁ ପୂର୍ବରୁ ପରୋକ୍ଷରେ ଏହି ସୂଚନା ଦେଇ ସାରିଛନ୍ତି। ତେଣୁ ଏପରି ସମୟରେ ବିଜେଡିରେ ଘଟୁଥିବା ଅସନ୍ତୋଷ ଦଳ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ଗତକାଲି ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସହିତ ତୃତୀୟ ମହଲାକୁ ଭୟଙ୍କର ଭାବରେ ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୦୯ ମସିହା ପର୍ଯ୍ୟନ୍ତ ପ୍ୟାରୀମୋହନ ମହାପାତ୍ରଙ୍କ ହାତର ଖେଳଣା ଥିଲେ ଏବଂ ଏବେ ଜଣେ ତାମିଲ ଅଫିସରଙ୍କ ହାତର ଖେଳଣା ସାଜିଛନ୍ତି ବୋଲି ଖୁଲମଖୁଲା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ବିଜେଡିର ଅନେକ ନେତା ଏହି ତୃତୀୟ ମହଲାର ଅଣ ଓଡିଆ ଅଫିସରଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିଲେ ମଧ୍ୟ ପାଟି ଖୋଲିବାକୁ ସାହସ କରୁ ନାହାଁନ୍ତି। ମାତ୍ର ଗତକାଲି ରମାରଞ୍ଜନଙ୍କ ବୟାନ ପରେ ଆହୁରି ଅନେକ ନେତା ସାମନାକୁ ଆସିବେ ବୋଲି ଜଣା ପଡିଛି। ତା ଛଡା ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଯେପରି ଭାବରେ ଦଳ ଭିତରେ ଅଣଦେଖା କରାଯାଉଛି ବିଶେଷକରି ତାଙ୍କ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡାରେ ଯେପରି ଭାବରେ ତାଙ୍କୁ ସୁଚିନ୍ତିତ ଯୋଜନା କରି ବିରୋଧ କରାଯାଉଛି ତାହା ତୃତୀୟ ମହଲାର ଅଣ ଓଡିଆ ଅଫିସରଙ୍କ କାର୍ଯ୍ୟ ବୋଲି ସେ ସିଧାସଳଖ ଆରୋପ ଲଗାଇଛନ୍ତି। ତେଣୁ ମୋଟାମୋଟି ଭାବରେ ଦେଖିବାକୁ ଗଲେ ଏବେ ବିଜେଡିର ମୂଳ ଅସନ୍ତୋଷ ହେଲା ତୃତୀୟ ମହଲାର ସେହି ଅଣ ଓଡିଆ ଅଫିସର। ଶାସନ ବ୍ୟବସ୍ଥା ସହିତ ଦଳୀୟ କାରବାର ବାବଦରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଭାବରେ ତାଙ୍କ ଉପରେ ନିର୍ଭରଶୀଳ ବୋଲି ଆଗରୁ ଅନେକ ଅଭିଯୋଗ ବିଜେଡିର ନେତାମାନଙ୍କ ଦ୍ୱାରା ଆସିଥିଲା। ମାତ୍ର ଚାକିରୀ ଭୟରେ କେହି ପାଟି ଫିଟାଉ ନଥିଲେ। ଏପରିକି ଏବେ ଗଞ୍ଜାମ ଜିଲ୍ଲାର ଜଣେ ମନ୍ତ୍ରୀ ଥରେ କହିଥିଲେ – ପୂର୍ବରୁ ମୁଁ ମନ୍ତ୍ରୀ ଥିବା ସମୟରେ ଏହି ଅଫିସର ଜଣକ ମୋର ଜିଲ୍ଲାପାଳ ଥିଲେ। ଆଜି ପରିସ୍ଥିତି ଏପରି ହେଲା ଯେ, ତାଙ୍କ ଦୟାରେ ମୁଁ ମନ୍ତ୍ରୀମଣ୍ଡଳରେ ସାମିଲ ହେଲି।

ଅପରପକ୍ଷରେ ଏହି ରାଜନୈତିକ ଗୋଳିଆ ପାଣିରୁ ଭରପୁର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ବିଜେପି। ଏପରି ଅସନ୍ତୁଷ୍ଟ ଅନେକ ବିଜେଡି ନେତାଙ୍କ ସହିତ ଆଲୋଚନା ଚାଲିଛି ଏବଂ ଅନେକାଂଶରେ ସଫଳତା ପାଇ ସାରିଲାଣି ବିଜେପି। ଓଡିଆ ଚଳଚିତ୍ର ଜଗତର ଅନେକ ନାମୀଦାମୀ କଳାକାର ୨୦୧୪ ମସିହା ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ମାତ୍ର ପରେ ସେମାନେ ହୃଦୟଙ୍ଗମ କରିଥିଲେ ଏଠି ସେମାନଙ୍କର କିଛି ଔକାଦ୍ ହିଁ ନାହିଁ। ତେଣୁ ଗୋଟିଏ ସୂତ୍ରରୁ ଜଣା ପଡିଛି ଯେ, ଏହି କଳାକାରମାନେ ଏବେ ବିଜେପି ମୁହାଁ। ଆସନ୍ତା ନିର୍ବାଚନରେ ଏମାନେ ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିବେ। ଆସନ୍ତା ସପ୍ତାହାରେ ଓଲିଉଡ୍ ର କିଛି ଆଗ ଧାଡିର ଅଭିନେତା ଓ ଅଭିନେତ୍ରୀ ବିଜେପିରେ ଯୋଗ ଦେଉଛନ୍ତି। ତେଣୁ ମୋଟାମୋଟି ଭାବରେ ଦେଖିବାକୁ ଗଲେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଶାସନ ଓ ସଂଘୀୟ ବ୍ୟବସ୍ଥାକୁ ଏକ ପ୍ରକାର ଅନ୍ଧକାର ଭିତରକୁ ଠେଲି ସାରିଲାଣି। ତୃତୀୟ ମହଲାର ସୁ ନଜରରେ ଥିବା ନେତା ଓ ଅଫିସର ଓଡ଼ିଶାରେ ରାଜ କରୁଛନ୍ତି। ଏମାନଙ୍କ ସଂଖ୍ୟା ବହୁତ ନଗଣ୍ୟ। ଜଣେ ବରିଷ୍ଠ ବିଜେଡି ନେତାଙ୍କ ମତରେ କେବଳ ଜଣେ ବା ଦୁଇ ଜଣ ନୁହଁନ୍ତି ତୃତୀୟ ମହଲାରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସର ନିଜକୁ ଓଡିଶାର ଜଣେ ଜଣେ ମୁଖ୍ୟମନ୍ତ୍ରୀ ବୋଲି ନିଜକୁ ଭାବୁଛନ୍ତି। ଏମାନଙ୍କ ଆଚାର ଓ ବ୍ୟବହାର ଏତେ ରୁକ୍ଷ ତାହାକୁ ନଦେଖିଲେ କେହି ଜଣେ ବିଶ୍ୱାସ କରି ପାରିବ ନାହିଁ। ସମଗ୍ର ଶାସନ ବ୍ୟବସ୍ଥାକୁ ଏହି ତୃତୀୟ ମହଲାର ଅଫିସରମାନେ ଏକ ପ୍ରକାର ହାଇଜାକ୍ କରି ରଖିଛନ୍ତି। ତେଣୁ ଏହି ଅଫିସରଙ୍କ ସକାଶେ ଦଳ ଖୁବ ଶୀଘ୍ର ବିଭାଜନ ଆଡକୁ ମୁହାଁଇବ ବୋଲି ଏହି ନେତା ଜଣକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.