Home ଜଗତସିଂହପୁର ତିର୍ତୋଲ ବ୍ଲକର ପୋରଗଦେଇ ପଞ୍ଚାୟତରେ ସରକାରୀ ଯୋଜନା ବାଟବଣା

ତିର୍ତୋଲ ବ୍ଲକର ପୋରଗଦେଇ ପଞ୍ଚାୟତରେ ସରକାରୀ ଯୋଜନା ବାଟବଣା

116

ଜଗତସିଂହପୁର-୭/୬-(ଓଡିଆ ପୁଅ/ନୃସିଂହଚରଣ ବାରିକ୍ )-ତିର୍ତୋଲ ବ୍ଲକର ପୋରଗଦେଇ ପଞ୍ଚାୟତରେ ସରକାରୀ ଯୋଜନା ବାଟବଣା ହୋଇଛି। ନାବାଳକ ଏଠାରେ ପାଉଛି ବାର୍ଦ୍ଧକ୍ୟ ଭତ୍ତା। ସ୍ବଚ୍ଛଳ ବର୍ଗର ଲୋକ ପାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର। ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ବ୍ୟବସାୟୀ, ଚାକିରୀଆ ଶ୍ରେଣୀର ଲୋକେ କାଳିଆ ଟଙ୍କା ପାଇଛନ୍ତି। ଏପରିକି ଏକାଧିକ ଲୋକ ଗୋଟିଏ ଗୋଟିଏ ପରିବାରରୁ କାଳିଆ ଟଙ୍କା ପାଇବା ସରକାରୀ ବିଧି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୯୯ ମହାବାତ୍ୟାଠାରୁ ଫନି ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟରେ ରିଲିଫ ସାମଗ୍ରୀ ବଣ୍ଟନରେ ହୋଇଛି ବ୍ୟାପକ ଅନିୟମିତତା। ହିତାଧୀକାରୀ ଚିହ୍ନଟ, କ୍ଷତି ଭରଣା ପ୍ରଦାନ ସବୁଥିରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ କରିଛନ୍ତି ବହୁ ହେରଫେର। ବିଗତ ୧୫ ବର୍ଷ ହେବ ଦୁର୍ନୀତିରେ ବୁଡି ରହିଛି ଏହି ପଞ୍ଚାୟତ। ଏକଥା ଗଣମାଧ୍ୟମ କୁ କହିଛନ୍ତି ପୋରଗଦେଇ ପଞ୍ଚାୟତର ଜନସାଧାରଣ। ଗରୀବ କହ୍ନେଇ ସାହୁ ଭଙ୍ଗା ଚାଳଘରେ ଦିନ କାଟୁଛି। ଘର ଖଣ୍ଡେ ପାଇବାକୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ବହୁ ବାର ଦରଖାସ୍ତ କରିଛି। କାକୁତି ମିନତି ହୋଇଛି। ହେଲେ ତା’ଡାକ କେହି ଶୁଣି ନାହାନ୍ତି। ୬୨ ବର୍ଷିୟା ପୁଷ୍ପାଞ୍ଜଳୀ, ସାହା ହେବାକୁ କେହି ନାହିଁ। ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ସେ ମଧ୍ୟ ବଞ୍ଚିତ। ରାଷ୍ଟ୍ରୀୟ ଗୋସୁରକ୍ଷା କଲ୍ୟାଣ ଯୋଜନା ଏକ ବର୍ଷ ହେଲା ଏହି ପଞ୍ଚାୟତରେ ଚାଲୁଅଛି। ମାତ୍ର ଏହାର ସଫଳତା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଗାଈଗୋରୁ କାହାର ରୋଗରେ ପଡିଲେ ପ୍ରାଣୀ ଚିକିତ୍ସକ କିମ୍ବା ଗୋମିତ୍ରଙ୍କର ଦେଖା ମିଳେନି। ଚିକିତ୍ସା ଅବହେଳାରୁ ବହୁ ଗୋରୁଗାଈ ଅସମୟରେ ମୃତ୍ୟୁ ବରଣ କରିଛନ୍ତି। ଏସଂପର୍କରେ ସରପଞ୍ଚଙ୍କ ପ୍ରତିକ୍ରିୟା ଚାହିଁବାରୁ ସେ କହିଲେ ସରକାରୀ ଗାଇଡ ଲାଇନ ଅନୁଯାୟୀ ମୋ ସମୟରେ ସବୁ କାମ ଠିକ୍ ଠାକ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.