Home ଜିଲ୍ଲା ପରିକ୍ରମା ତହସିଲ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ ଘଟଣା, ଡିମାରକେସନ ପାଇଁ ନେଇଥିବା ହାତଗୁଞ୍ଜା ଟଙ୍କା ଫେରସ୍ତ

ତହସିଲ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ ଘଟଣା, ଡିମାରକେସନ ପାଇଁ ନେଇଥିବା ହାତଗୁଞ୍ଜା ଟଙ୍କା ଫେରସ୍ତ

60

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ତହସିଲଦାରଙ୍କୁ ଦାୟୀକରି ଡିମାରକେଶନ ବିଳମ୍ବ ହୋଇଥିବା ଅଭିଯୋଗ ତଥା ଦୌଡି ଦୌଡି ନୟାନ୍ତ ହେବାପରେ କାର୍ଯ୍ୟାଳୟ ପରିସରରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସଂପ୍ରତି ରାଜ୍ୟସ୍ତରୀୟ ଚର୍ଚ୍ଚାର ବିଷୟ ସାଜିଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆବେଦନକାରୀଙ୍କ ଠାରୁ ନିଆଯାଇଥିବା ହାତଗୁଞ୍ଜା ୧୦ ହଜାର ଟଙ୍କା ଫେରସ୍ତ ପରେ ଘଟଣା ଭିନ୍ନ ମୋଡ ନେବାକୁ ଯାଉଛି। ତହସିଲଦାରଙ୍କୁ ଦେଖା କରିବାକୁ ହେଲେ ପ୍ରଥମେ ବାସୁଆ ବଳଦ ଅର୍ଥାତ୍ ପିଅଙ୍କୁ ଲାଞ୍ଚ ଦେବାକୁ ପଡିଥାଏ। ଦିନ ତମାମ ଏପରି ଲାଞ୍ଚ ଟଙ୍କା ସଂଗ୍ରହ କରାଯାଏ ଏବଂ ସନ୍ଧ୍ୟାରେ ହିସାବ ହୋଇଥାଏ ବୋଲି ବାସୁଦେବପୁରରେ ଦାଣ୍ଡରେ ପଡି ହାଟରେ ଗଡୁଛି। ମାପଚୁପ୍ କରିବା ଲାଗି ପିଅନ ଆବେଦନକାରୀ ବୃନ୍ଦାବନ ଦାସଙ୍କ ଠାରୁ ନେଇଥିବା ଉକ୍ତ ୧୦ ହଜାର ଟଙ୍କାକୁ ପରଦିନ ତାଙ୍କ ପରିବାର ପକ୍ଷରୁ ଫେରସ୍ତ କରାଯାଇଛି। ଆବେଦନକାରୀଙ୍କ ଠାରୁ ହାତଗୁଞ୍ଜା ନିଆଯାଉଛି ସେପଟରେ ଅପରପକ୍ଷଙ୍କୁ ସୁହାଇଲା ପରି କାର୍ଯ୍ୟ କରାଯାଉଛି ଯାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି। ହଜାର ହଜାର ଟଙ୍କା ଦରମା ପାଉଥିବା ତହସିଲ କର୍ମଚାରୀ ସାଧାରଣ କାମରେ ହାତଗୁଞ୍ଜା ନେଉଥିବାର ପ୍ରମାଣ ମିଳିଛି ଯାହା ପ୍ରଶାସନ ସେମାନଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ନେଉଛି, ତାହା କେବଳ ଜାଣିବା ବାକି ରହିଲା।

ସୂଚନା ମୁତାବକ, ବାସୁଦେବପୁର ବ୍ଲକ୍ ଆର୍ତ୍ତୁଂ ପଂଚାୟତର ଆର୍ତ୍ତୁଂ ଗ୍ରାମର ବୃନ୍ଦାବନ ଦାସଙ୍କ ପରିବାର ଓ ପଡୋଶୀଙ୍କ ମଧ୍ୟରେ ଜମିଜମାକୁ ନେଇ ଗଣ୍ଡଗୋଳ ଲାଗିଆସୁଥିଲା। ଭଦ୍ରଲୋକଙ୍କ ନିଷ୍ପତ୍ତି ଅନୁଯାୟୀ ଉଭୟ ପରିବାରର ସରକାରୀ ଅମିନ ମାପ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଦୀର୍ଘ ୬ ମାସ ହେବ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଯାଇଥିଲେ ବୃନ୍ଦାବନଙ୍କ ପରିବାର ଲୋକେ। ଗତକାଲି ଉକ୍ତ ଜମିରେ ସରକାରୀ ମାପ ହେବାକୁ ଥିବାବେଳେ କେହି ତହସିଲ କର୍ମଚାରୀ ମାପିବାକୁ ଯାଇନଥିଲେ। ବେସରକାରୀ ଅମିନ ଏବଂ ପୋଲିସ୍ ଉପସ୍ଥିତିରେ ମାପକୁ ବେଖାତିର କରିଥିଲେ ବୃନ୍ଦାବନ ଓ ତାଙ୍କ ପୁଅ ଶିବାଜୀ ତହସିଲଦାରଙ୍କୁ ପଚାରିବାକୁ ଆସିଥିବାବେଳେ ତହସିଲଦାରଙ୍କ କକ୍ଷ ଭିତରକୁ ଯିବା ବାଟରେ ବାହାରେ ବସିଥିବା କର୍ମଚାରୀ ବୃନ୍ଦାବନକୁ ଭିତରକୁ ଛାଡିନଥିଲେ। ଚାରିଆଡୁ ନିରାଶ ହୋଇ ଶେଷରେ ବାଧ୍ୟହୋଇ ବୃନ୍ଦାବନଙ୍କ ପୁଅ ଶିବାଜୀ ହାତରେ ଧରିଥିବା ବିଷୟ ବୋତଲ ଖୋଲି ପିଇ ଦେଇଥିଲା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ପାଖରେ ଉପସ୍ଥିତ ଥିବା ଲୋକେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଶିବାଜୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ଯଦି ମୋ ପୁଅର କିଛି ହୋଇଯାଏ ସେଥିପାଇଁ ତହସିଲଦାର ଦାୟୀ ରହିବେ ବୋଲି କହିଛନ୍ତି ଶିବାଜୀଙ୍କ ମାଆ। ଲାଞ୍ଚ ଘଟଣାରେ ବୃନ୍ଦାବନ ଓ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବାପରେ ତହସିଲଦାରଙ୍କ ହସ୍ତକ୍ଷେପରେ ତାହା ଫେରସ୍ତ କରାଯାଇଥିବା ସଂପ୍ରତି ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.