Home କେନ୍ଦୁଝର ଡିମିରିଆ-ଜମ୍ଭରା ଆର.ଡି ରାସ୍ତା ନିର୍ମାଣ ହେବ କେବେ, ରାସ୍ତାକୁ ନେଇ ଉଠିଲା ବିବାଦ

ଡିମିରିଆ-ଜମ୍ଭରା ଆର.ଡି ରାସ୍ତା ନିର୍ମାଣ ହେବ କେବେ, ରାସ୍ତାକୁ ନେଇ ଉଠିଲା ବିବାଦ

59

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ଏବେ ସରକାରଙ୍କ ପକ୍ଷରୁ ଗାଁ ଗାଁକୁ ପକ୍କା ସଡକ ଓ ପିଚୁ ସଡକ ନିର୍ମାଣ ହେଉଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡିମିରିଆ-ଜମ୍ଭରା ରାସ୍ତାଟି ନିର୍ମାଣ କରାଯାଉ ନଥିବାରୁ ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡିମିରିଆ ରୁ ଜମ୍ଭରା ଭାୟା ଶାଳବଣି ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାଟି ଉପରେ ୩ଟି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି । ଏହି ରାସ୍ତାଟି ଯାଜପୁର ଜିଲ୍ଲାକୁ ସଂଯୋଗୀ କରଣ ରାସ୍ତା ହୋଇଥିବାରୁ ଏହି ରାସ୍ତାଦେଇ ସମଣା, କୁଆଡ, ଶାଳବଣୀ, ଢ଼ାଇପୋଖରୀ, ମଝିଗାଁ, ଜମ୍ଭରା, ଆଦି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । ତିନି କିଲୋମିଟର ଲମ୍ବ ଏହି ରାସ୍ତାଟି ପୁର୍ବରୁ ପଞ୍ଚାୟତ ଅଧିନରେ ଥିବାବେଳେ ଆର.ଡି ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ୩/୪ବର୍ଷ ହେଲା ରାସ୍ତାଟି ନିର୍ମାଣ ହେଉ ନଥିବାରୁ ରାସ୍ତାସାରା ଖାଲଖମାରେ ପରିପୁର୍ଣ୍ଣ ହୋଟିବା ସହିତ ଏକ ମାଟି ରାସ୍ତାରେ ପରିଣତ ହୋଇଗଲାଣି । ଏହି ରାସ୍ତାଟିକୁ ଆର.ଡି ବିଭାଗ ହାତକୁ ନେବାପରେ ରାସ୍ତା ନିର୍ମାଣ ପାଇଁ ତିନି ଚାରିଥର ସର୍ଭେ କରିସାରିଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ରସ୍ତା ନିର୍ମାଣ ହେଉ ନଥିବାରୁ ଲୋକମାନେ ପାଣି କାଦୁଅ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଏକ ମାଟି ରାସ୍ତା ହୋଇଥିବାବେଳେ ପୁର୍ବରୁ ପଞ୍ଚାୟତ ପକ୍ଷରୁ ମୋରମ ବିଛାଯାଇ ବର୍ଷକୁ ବର୍ଷ ମରାମତି କରାଯାଇଥାଏ । କିନ୍ତୁ ଆର.ଡି ବିଭାଗ ଏହି ରାସ୍ତାକୁ ହାତକୁ ନେଇ ସର୍ଭେ କରିବାପରେ ପଞ୍ଚାୟତ ପକ୍ଷରୁ ତିନିବର୍ଷ ହେଲା ମରାମତି କରାଯାଉ ନଥିବାରୁ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ମୋରମ ସବୁ ଧୋଇଯାଇ ମାଟି ବାହାରି ପଡିଥିବାରୁ ବର୍ଷା ହେଲେ ସାଇକେଲଟିଏ ମଧ୍ୟ ନେଇ ଗ୍ରାମକୁ ଯିବା ସମ୍ଭବପର ହେଉନାହିଁ । ଦୈବୀ ଦୁର୍ବିପାକ ସମୟରେ ଗାଁକୁ ଆମ୍ବୁଲାନସ କି ଦମକଳ ଗାଡି ମଧ୍ୟ ଯାଇପାରୁ ନାହିଁ । ଏହି ରାସ୍ତାଦେଇ ଭାନୁପ୍ରଭା ହାଇସ୍କୁଲକୁ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଥିବାରୁ ସେମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଣୁ ତୁରନ୍ତ ରାସ୍ତାଟିକୁ ନିର୍ମାଣ ଦିଗରେ ଆର.ଡି ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଏ ସମ୍ପର୍କରେ ଆର.ଡି ବିଭାଗର ଅଧିକାରୀ ମାନେ ଏହି ରାସ୍ତାଟି ତାଙ୍କ ଅଧିନରେ ନଥିବା କହୁଥିବାବେଳେ ହାଟଡିହି ବ୍ଲକର ବିଡିଓଙ୍କୁ ଯୋଗଯୋଗ କରିବାରୁ ଏହା ତାଙ୍କ ହାତରୁ ଆର.ଡି ବିଭାଗକୁ ପଳାଇ ଯାଇଛି ବୋଲି ବିଡିଓ ଜୟଦେବ ଦାସ କହିଛନ୍ତି । କିପରି ତୁରନ୍ତ ରାସ୍ତା ନିର୍ମାଣ କରାଯିବ ସେନେଇ କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.