Home ଜିଲ୍ଲା ପରିକ୍ରମା ଡାଇଭର୍ସନକୁ ନେଇ ଗାଡ଼ି ଚାଳକ ଦ୍ୱନ୍ଦରେ

ଡାଇଭର୍ସନକୁ ନେଇ ଗାଡ଼ି ଚାଳକ ଦ୍ୱନ୍ଦରେ

36

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମଧ୍ୟ ଦେଇ ଅତିକ୍ରମ କରିଥିବା ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ୨୦୧୯ ମସିହା ନଭେମ୍ବର ମାସରୁ ଆରମ୍ଭ ହୋଇଥିଲେ ମଧ୍ୟ ସରିବାର ନାମ ଧରୁନି। ଠିକା ସଂସ୍ଥାର ମନମାନୀ ପାଇଁ ଏପରି ପରିସ୍ଥିତି ଉପୁଜିଥିବାବେଳେ, ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସବୁ ନିରବ। ଉକ୍ତ ଠିକା ସଂସ୍ଥା ଉପରେ କାହିଁକି ସେମାନଙ୍କର ସାମାନ୍ୟ କର୍ତ୍ତୃତ୍ୱ ରହୁ ନାହିଁ, ତାହାର କାରଣ ସମ୍ପୂର୍ଣ୍ଣ ଅସ୍ପଷ୍ଟ। ବିଶେଷକରି ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଠିକା ସଂସ୍ଥା ପକ୍ଷରୁ କରାଯାଉଥିବା ଡାଇଭର୍ସନ ରୋଡକୁ ନେଇ ଦ୍ୱନ୍ଦରେ ପଡ଼ୁଛନ୍ତି ଗାଡ଼ି ଚାଳକ। ପ୍ରତ୍ୟେକ ମୁହୂର୍ତ୍ତରେ ବଦଳି ଯାଉଛି ଡାଇଭର୍ସନ ରୋଡର ନକ୍ସା। ଏହି ଡାଇଭର୍ସନ ପାଇଁ ବିଭିନ୍ନ ସମୟରେ ବହୁ ଦୁର୍ଘଟଣା ଘଟି ଚାଲିଛି। କୌଣସି ତ୍ରୁଟି ନଥାଇ ମଧ୍ୟ ଠିକା ସଂସ୍ଥାର ଦାୟିତ୍ୱହୀନତା ପାଇଁ ନିରୀହ ମୁଣ୍ଡ ଗଡ଼ୁଛି। ତେବେ ସୂଚନାନୁସାରେ ଚରମ୍ପା ଠାରୁ ରାଣିତାଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ରହିଛି ୪ଟି ବିଦ୍ୟାାଳୟ, ଗୋଟିଏ ମହାବିଦ୍ୟାଳୟ ଓ ୩ଟି ଶିଳ୍ପ ତାଲିମ କେନ୍ଦ୍ର। ଏସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ କ୍ଲାସ କରିବାକୁ ଯାଉଛନ୍ତି। ଘରେ ଅଭିଭାବକ ଅନାଇ ବସୁଛନ୍ତି ନିଜ ପିଲାଙ୍କ ସୁରକ୍ଷିତ ଭାବେ ଫେରିବା ବାଟକୁ। କାରଣ ୨୦୧୭ ମସିହା ଜୁଲାଇ ୧୯ ତାରିଖ ଏକ ଟ୍ରକ ସ୍କୁଲ ଫେରନ୍ତା ଛାତ୍ରଛାତ୍ରୀଙ୍କ ଉପରେ ମାଡ଼ି ଯିବାରୁ ୫ଜଣ କୋମଳମତୀ ବିଦ୍ୟାର୍ଥୀଙ୍କ ଜୀବନ ଯାଇଥିଲା। ଏହି ତିକ୍ତ ଅନୁଭୂତି ଏବେ ମଧ୍ୟ ଅଭିଭାବକମାନଙ୍କୁ ଆନ୍ଦୋଳିତ କରୁଛି। ତେଣୁ କୌଣସି ସୂଚନା ଫଳକ ବିନା ନିର୍ମାଣକାରୀ ସଂସ୍ଥା ଯେଭି ଭାବରେ କାର୍ଯ୍ୟ ଚଳାଇଛି, ତାହା ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ସଂପୃକ୍ତ ଠିକା ସଂସ୍ଥା ଅଧିକ ଦାୟିତ୍ୱବାନ ହୋଇ ସହରାଞ୍ଚଳ ମଧ୍ୟରେ ଶ୍ରୀଘ୍ର କାର୍ଯ୍ୟ ସାରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.