Home କେନ୍ଦୁଝର ଡଅଁର ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ପ୍ରବାସୀଙ୍କୁ ଦିଆଗଲାନି କିଟ ଓ ରନ୍ଧାଖାଦ୍ୟ

ଡଅଁର ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ପ୍ରବାସୀଙ୍କୁ ଦିଆଗଲାନି କିଟ ଓ ରନ୍ଧାଖାଦ୍ୟ

251

ହାଟଡିହି ୧୭ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଫଳରେ ସେଠାରେ ରହୁଥିବା ପ୍ରବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତିନିଦିନ ହେଲା ଫେରିଥିବା ଜଣେ ପ୍ରବାସୀଙ୍କୁ ବାଲଟି, ଜଗ, ସାବୁନ, ପେଷ୍ଟ ଓ ବ୍ରସ ଆଦି ଦିଆଯାଇ ନଥିବାବେଳେ ଗତକାଲି ରାତିରେ କୌଣସି ପ୍ରବାସୀଙ୍କୁ ରନ୍ଧାଖାଦ୍ୟ ଦିଆଯାଇ ନାହିଁ । ଯାହାକୁନେଇ ପ୍ରବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଖବରରୁ ଜଣାଯାଇଛି ଯେ ଏହି ପଞ୍ଚାୟତରେ ଚାରୋଟି ସ୍ଥାନରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯାଇ ପ୍ରବାସୀ ମାନଙ୍କୁ ରଖାଯାଉଥିଲା । ସେମାନଙ୍କର ସମସ୍ତ ଦାୟିତ୍ୱ ସରପଞ୍ଚ ବୁଝୁଥିଲେ । ପ୍ରବାସୀଙ୍କ ସଂଖ୍ୟା କମି ଯିବାରୁ ଏବେ ସରଳା ସ୍କୁଲ ଓ ଡଅଁର ଏମ.ଇ. ସ୍କୁଲ ଭଳି ଦୁଇଟି କେନ୍ଦ୍ରରେ ରଖାଯାଇଛି ।
ଗତଦୁଇଦିନ ତଳେ ଜଣେ ପ୍ରବାସୀ ବାହାର ରାଜ୍ୟରୁ ଆସିବାପରେ ସେ ସଙ୍ଗରୋଧ କେନ୍ଦ୍ରକୁ ରହିବାକୁ ଆସିବାରୁ ସରପଞ୍ଚ ତାଙ୍କୁ ସିଧା ସଳଖ ମନାକରି ଘରକୁ ଫେରାଇ ଦେଇଥିଲେ । ପ୍ରବାସୀ ଜଣକ ଘରକୁ ପଳାଇବାରୁ ଗ୍ରାମବାସୀମାନେ ତାଙ୍କୁ ଗାଁରେ ପୁରାଇ ଦେଇନଥିଲେ । ଫଳରେ ଗାଁରେ ବୈଠକ ହେବାପରେ କିଛି ଗ୍ରାମବାସୀ ତାଙ୍କୁ ସାଙ୍ଗରେ ଧରି ଆସି କ୍ୱାରେଣ୍ଟାଇନରେ ରଖାଇଥିଲେ । କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ ବାଲଟି, ମଗ, ବ୍ରସ, ପେଷ୍ଟ, ସାବୁନ ଭଳି କୌଣସି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇ ନାହିଁ । ସେହିପରି ଗତକାଲି ୫ଜଣ ପ୍ରବାସୀ ହ୍ରାଇଦ୍ରାବାଦରୁ ଆସି ସରଳା କ୍ୱାରେଣ୍ଟାଇନ ସେଣ୍ଟର ରହିଥିବାବେଳେ ସେମାନଙ୍କୁ କୌଣସି ନିତ୍ୟବ୍ୟବହାର୍ଯ୍ୟ କିଟ ମଧ୍ୟ ଦିଆଯାଇ ନଥିଲା । ଏପରିକି ସେମାନଙ୍କ ଖାଇବା ପାଇବା କଥା ମଧ୍ୟ କେହି ବୁଝି ନଥିଲେ । ସରପଞ୍ଚ ଆସି ସିଧାସଳଖ ମନାକରିଦେଇ ଯାଇଥିଲେକି ଖର୍ଚ୍ଚ କରୁଥିବା ଟଙ୍କା ମୋତେ ଦିଆଯାଉ ନାହିଁ, ତେଣୁ ମୁଁ ଆଉ ଖାଇବାକୁ ଦେଇ ପାରିବି ନାହିଁ । ଏହାଶୁଣି ପ୍ରବାସୀମାନେ ନୋଡାଲ ଅଫିସରଙ୍କୁ ଫୋନ କରି ଜଣାଇବାପରେ ରାତି ୮ଟା ୩୦ରେ ନୋଡାଲ ଅଫିସର ଆସି ପାଉଁରୁଟି, କଦଳୀ, ମିଠା ଦେଇ ଯାଇଥିଲେ । ସେହିପରି ଆଜି ଦିନ ୧୧ଟା ପର୍ଯ୍ୟନ୍ତ ସେମାନେ ଦାନ୍ତ ଘସି ନଥିବା, ଗାଧୋଇ ନଥିବା ଅଭିଯୋଗ କରିଥିଲେ । ବ୍ରସ, ପେଷ୍ଟ ଦିଆଯାଇ ନଥିବାରୁ ସେମାନେ ଗାଧୋଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ସେହିପରି ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ୩ବର୍ଷର ଶିଶୁ ୮ଦିନ ହେଲା ଆସି ଥିବାବେଳେ ତାକୁ କେବଳ ଗୋଟିଏ ପକେଟ ବିସ୍କୁଟ ଧରାଇ ଦିଆଯାଇଛି । ଛୋଟ ଶିଶୁ ମାନଙ୍କୁ ହରଲିକ୍ସ ସହିତ ଶିଶୁ ଖାଦ୍ୟ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଦିଆଯାଇ ନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ଏବେ ୨୪ଜଣ ପ୍ରବାସୀ ରହୁଥିବାବେଳେ ସରପଞ୍ଚ ସେମାନଙ୍କ କଥା ନବୁଝିବାରୁ ପିଇଓ ରମେଶ ଚନ୍ଦ୍ର ମାଝୀ ୱାର୍ଡସଭ୍ୟସଭ୍ୟାଙ୍କ ସହଯୋଗରେ ଆଜି ସମସ୍ତ ପ୍ରବାସୀ ମାନଙ୍କୁ ଖାଧ୍ୟପେୟ ଓ କିଟ ଦେବାର ବ୍ୟବସ୍ଥା କରିଥିଲେ । ଏ ସମ୍ପର୍କରେ ସରପଞ୍ଚ ହିସି ହେମ୍ରମଙ୍କୁ ପଚାରିବାରେ ଆମେ ବହୁତ ପଇସା ହାତରୁ ଖର୍ଚ୍ଚ କଲୁଣି କିନ୍ତୁ ଆମକୁ ପଇସା ଦିଆଯାଉ ନାହିଁ । ଆମେ କାହାକୁ କିପରି ଚଳାଇବୁ । ଗତକାଲି ରାତିରେ ରୋଷେୟା ତାର ପାଉଣା ପାଇ ନଥିବାରୁ ରୋଷେଇ କରିବାକୁ ମନା କରିବାରୁ ସମସ୍ୟା ଦେଖା ଦେଇଥିଲାବୋଲି କହିଛନ୍ତି । ସେହିପରି ପିଇଓ ରମେଶ ମାଝୀ କହିଛନ୍ତି ଯେ ସରପଞ୍ଚଙ୍କୁ ୪ଲକ୍ଷ ଟଙ୍କା ଉଠାଇ ଖାଦ୍ୟ ପରିବେଷଣ ପାଇଁ ଦିଆଯାଇଥିଲା । ଯଦି ଅଧିକ ଖର୍ଚ୍ଚ ହେଲା ତେବେ ସେ ତାହାର ହିସାବ ଦେଲେ ସିନା ଯାଇ ପେମେଣ୍ଟ କରାଯିବ ବୋଲି କହିଛନ୍ତି । ଖବରପାଇ ହାଟଡିହି ବିଡିଓ ଜୟଦେବ ଦାସ ଘଟଣାସ୍ଥଳରେ ପହଞ୍ଚି ପ୍ରବାସୀ ମାନଙ୍କ ଅଭିଯୋଗ ଶୁଣିବାପରେ ସରପଞ୍ଚ ଓ ପିଇଓଙ୍କୁ ଡାକି ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରବାସୀମାନଙ୍କା ସମସ୍ତ ସୁବ୍ୟବସ୍ଥା କରିବାକୁ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଯଦି କୌଣସି ସମସ୍ୟା ଦେଖାଦିଏ ତେବେ ସିଧାସଳଖ ତାଙ୍କ ସହିତ ଯୋଗଯୋଗ କରିବାକୁ ସେ ପ୍ରବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସଂଗରୋଧ କେନ୍ଦ୍ରରେ ସାମାଜିକ ଦୁରତା ରକ୍ଷାକରି ରହିବାକୁ ସେ ପ୍ରବାସୀ ମାନଙ୍କୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.