Home ଜିଲ୍ଲା ପରିକ୍ରମା ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା, ଭାଙ୍ଗିଗଲା ରାଣିତାଲ ମୁଖ୍ୟ କେନାଲ ବନ୍ଧ, ମୁଣ୍ଡରେ ହାତ ଦେଲେ...

ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା, ଭାଙ୍ଗିଗଲା ରାଣିତାଲ ମୁଖ୍ୟ କେନାଲ ବନ୍ଧ, ମୁଣ୍ଡରେ ହାତ ଦେଲେ ଚାଷୀ

57

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଉକ୍ତ ଅର୍ଥର ସତ୍ ବିନିଯୋଗ ହେଉ ନାହିଁ। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ପାଇଁ ଅସୁବିଧାରେ ପଡ଼ୁଛନ୍ତି ସାଧାରଣ ଜନତା। ଯାହାର ଏକ ନଜିର ଦେଖିବାକୁ ମିଳିଛି ରାଣିତାଲ ଠାରେ। ଏହି ଅଞ୍ଚଳର ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା କେନାଲ। ଚାଷୀଙ୍କ ବିଲକୁ ଠିକ ସମୟରେ ଉପଯୁକ୍ତ ପରିମାଣ ଜଳ ଯୋଗାଇବା ଲକ୍ଷ୍ୟରେ ଏହା ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ପୁନରୁଦ୍ଧାର ଜରୁରୀ ହୋଇ ପଡ଼ିଥିଲା। କିନ୍ତୁ ବହୁ ଲକ୍ଷ ଟଙ୍କାର ପୁନରୁଦ୍ଧାର କାର୍ଯ୍ୟ ସମୟରେ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ନିମ୍ନମାନ କାର୍ଯ୍ୟ ଯୋଗୁଁ ଏବେ ଶତାଧିକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାତ୍ର ୨ବର୍ଷ ପୂର୍ବେ ସିମୁଳିଆ ନିର୍ବାଚନମଣ୍ଡଳୀ ବରଦା ଠାରୁ ମଇତାପୁର ଭାୟା ରାଣିତାଲ ମୁଖ୍ୟ କେନାଲ ବନ୍ଧ ଏବେ ଭାଙ୍ଗି ଯାଇଛି। କେନାଲରେ ପାଣି ଆସିବାରୁ ଏକ ବଡ଼ ଘାଇ ସୃଷ୍ଟି ହୋଇଛି। ଫଳରେ ତଗିରା ଓ ତେଲିଆପଡ଼ା ମୌଜାର ଶତାଧିକ ଏକର ଜମି ଜଳମୟ ହୋଇ ଯାଇଛି। ଏହି ଜମିମାନଙ୍କରେ ଚାଷୀ ନିଜର ସଂଚିତ ଧନକୁ ଖର୍ଚ୍ଚ କରି ତଳି ପକାଇଥିଲେ ଓ ଧାନ ରୋଇ ଥିଲେ। କିନ୍ତୁ ଏହି ମନୁଷ୍ୟକୃତ ବନ୍ୟା ସବୁ କିଛି ଧୋଇ ଦେଇଛି। ତେବେ ମାତ୍ର ୨ ବର୍ଷ ପୂର୍ବେ ମରାମତି ହୋଇଥିବା ଏହି କେନାଲ ବନ୍ଧ ଭାଙ୍ଗିଯିବା ଓ ଚାଷୀ ସର୍ବସ୍ୱ ହରାଇବାର ଉତ୍ତର ଦାୟିତ୍ୱ କାହା ଉପରେ ନ୍ୟସ୍ତ କରାଯିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ସଳାନ୍ଦୀ ଜଳସେଚନ ବିଭଗେ ଅଧିନରେ ଥିବା ଏହି କେନାଲ ମରାମତି କାର୍ଯ୍ୟ ସମୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଥିଲେ। ଯାହାର ଫଳ ଏବେ ଚାଷୀଙ୍କୁ ଭୋଗ କରିବାକୁ ପଡ଼ୁଛି। ଶ୍ରାବଣ ମାସ ସରିବାକୁ ବସିଛି। ଏହି ସମୟରେ ତଳା ଉତାରି ହୋଇ ପାରିବ ନାହିଁ କି ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିବ ନାହିଁ। ତେଣୁ ଏହି କାରଣରୁ ଆଗକୁ ଧାନ ଖଳାକୁ ଆସିବା ଅସମ୍ଭବ। ତୁରନ୍ତ ଚାଷୀଙ୍କୁ ଏହି ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବାକୁ ସମାଜସେବୀ ସଂଗ୍ରାମ କର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.