Home ଅପରାଧ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା, ରାସ୍ତା ନିର୍ମାଣର ୭ଦିନରେ ହାତ ଲଗାଇଲେ ଉଠୁଛି ପିଚୁ...

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା, ରାସ୍ତା ନିର୍ମାଣର ୭ଦିନରେ ହାତ ଲଗାଇଲେ ଉଠୁଛି ପିଚୁ ଓ ଭାଙ୍ଗୁଛି କଲଭଟ ଓ୍ବାଲ୍

238

ହରିଚନ୍ଦନପୁର, ତା ୨୩ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ବିଭାଗରେ ନିର୍ମିତ
ହେଉଥିବା ରାସ୍ତା ନିମ୍ନମାନର କାର୍ଯ୍ୟ ପାଇଁ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏବେ ପୁଣି ଏକ ରାସ୍ତା ନିର୍ମାଣ
୭ଦିନ ନପୁରୁଣୁ ପିଚୁ ଉଠିଯିବା ବିଭଗର କାର୍ଯ୍ୟଦକ୍ଷତାର ଆହୁରି ପ୍ରମାଣିତ ହୋଇଛି । ବିଭାଗର ଖାମଖିଆଲି ମନୋଭାବ ଓ ମୋଟା ଅଙ୍କ ହାତଗୁଞ୍ଜା ନିତିକୁ ନେଇ ଏମିତି ଅନେକ ରାସ୍ତା ଲୋକମାନଙ୍କ ପାଇଁ ମରଣଯନ୍ତା ପାଲଟିଥିବା ନଜିର ରହିଛି । ଏମିତି ଏକ ଘଟଣା ମନୋହରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୀନବନ୍ଧୁପୁର ଗ୍ରାମରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଓଏମବିଏଡିସି) ଦ୍ୱାରା ୭୪.୧୯ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ ଅତି ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାଟି ଦେଖିଲେ ବିଭାଗୀୟ ଅଧିକାରୀ ଓ ଠିକାଦାର କେତେ ମାଲେମାଲ ତାହା ଜାଣିହେବ । ନୂତନ ରାସ୍ତା ନିର୍ମାଣରେ ତଳେ ମେଣ୍ଟାଲ କମ୍ ଦେଇ ଉପରେ ମରମ ବିଛାଇ ଆବଶ୍ୟକୀୟ ରୋଲିଂ କରାଯାଇନାହିଁ । ଏଥିସହ ରାସ୍ତାର ମରମ ଓଦା ଥିବା ବେଳେ ତା ଉପରେ ପିଚୁ ବିଛା ଯାଇଛି । ମରମ ଓଦା ଥିବା ହେତୁ ପିଚୁ ପକାଇବା ପାଇଁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ଜୋର୍ ଜବରଦସ୍ତି ଝଗଡ଼ା ସୃଷ୍ଟି କରି ପତଳା ସ୍ତରରେ ପିଚୁ ବିଛା ଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ । ଏନେଇ ଗ୍ରାମର ୩୦ରୁ ୪୦ଜଣ ଲୋକ ବିଭାଗୀୟ କାର୍ଯ୍ୟାଳୟକୁ ଆସି କନିଷ୍ଠଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇଥିଲେ ସତ, ହେଲେ ଠିକାଦାର ଓ କନିଷ୍ଠଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ହୋଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା । ଯାହାର ଫଳ ସ୍ୱରୂପ ରାସ୍ତା କାର୍ଯ୍ୟ ଶେଷର ୬ଦିନ ପରେ ଅମ୍ପାନର ବର୍ଷାରେ ପିଚୁ ତଳର ମୋରମ ଓଦା ହେବା ପରେ ମଟରସାଇକେଲ ଓ ପାଦରେ ମାଡ଼ିଦେଲ ବିଭିନ୍ନ ସ୍ଥାନ ପତପତ୍ ହେଉଥିବା ସହ ଦବିଯାଇ ପିଚୁ ଉଠିଯାଉଛି । ରାସ୍ତାର ଦୁଇ ପାର୍ଶ୍ଵରେ ମୋରମ ବେଶ୍ ଦିଆଯାଇନଥିବା ସହ କଲଭଟ ଗୁଡ଼ିକ ଅତି ନିମ୍ନମାନର କରାଯାଇଛି । କଲଭଟରେ ହୋମପାଇପ୍ ବସାଯିବା ପୂର୍ବରୁ କଂକ୍ରିଟ ବେଶ୍ କରାଯାବା କଥା, ହେଲେ ବେଶ୍ କରାଯାଇନଥିବା ସହ କଲଭଟର ଓ୍ବାଲ ଗୁଡ଼ିକ ଚିପସି ବଦଳରେ ମେଣ୍ଟାଲରେ ଅଳ୍ପ ସିମେଣ୍ଟରେ ଅତି ନିମ୍ନମାନର କରାଯାଇଛି । ଯାହାକୁ ନେଇ ହାତ ମାରିଦେଲ ଓ୍ବାଲ ଗୁଡ଼ିକ ଭାଙ୍ଗି ପଡୁଛି । ରାସ୍ତାର ସୂଚନା ଫଳକରେ ଝାଡପୋଖରୀ ଠାରୁ ଦୀନବନ୍ଧୁପୁର ପରିବର୍ତ୍ତେ ଚକ୍ରଧରପୁର ଠାରୁ ଦୀନବନ୍ଧୁପୁର ଲେଖାଯାଇଥିବାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଛି । ରାସ୍ତା କାର୍ଯ୍ୟର ସମସ୍ତ ବିବରଣୀ ସୂଚନା ଫଳକରେ ଲିପିବଦ୍ଧ କରାଯିବାର ଥିବା ବେଳେ ସେଥିରେ କେବଳ କାର୍ଯ୍ୟର ନାମ ଓ ଅନୁଦାନ ସମ୍ପର୍କରେ ସୂଚନା ଦିଆଯାଇଛି । ଯାହାକୁ ନେଇ କାର୍ଯ୍ୟର ଠିକାଦାର ଓ କାର୍ଯ୍ୟ ସମ୍ପର୍କରେ ସମସ୍ତ ସୂଚନାରୁ ବଞ୍ଚିତ ଜନସାଧାରଣ । ରାସ୍ତାର ପିଚୁ ଉଠିଯାଇଥିବା ସ୍ଥାନ ଗୁଡିକର ପୁଣି ଠିକାଦାର ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ନେଇ ଗ୍ରାମର ଶତାଧିକ ଲୋକ ବିରୋଧ କରିବା ସହ ମରାମତି କାର୍ଯ୍ୟକୁ ବନ୍ଦ କରାଇଥିଲେ । ହେଲେ ଠିକାଦାର ଜଣଙ୍କ ରାଜନୈତିକ ଚାପ ଓ ହାତଗୁଞ୍ଜା ଦେଇ ଘଟଣାସ୍ଥଳରେ ପୋଲିସ ମୁତୟନ କରାଇ ଜୋର ଜବରଦସ୍ତ ମରାମତି କାର୍ଯ୍ୟ ଚଳାଇବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଗ୍ରାମର ଲୋକମାନେ ପୂର୍ବରୁ ମାଟି କାଦୁଅ ରାସ୍ତାରେ ବର୍ଷ ତମାମ ଯାତାୟାତ କରିଥାନ୍ତି । ପୂର୍ବ ରାସ୍ତାଟି ମାଟିର ଥିଲା ହେଲେ ବହୁତ ଉନ୍ନତ ଥିଲା, କେବଳ ବର୍ଷା ଦିନେ ଯାତାୟତରେ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଥାଏ । ସ୍ବାଧୀନତାର ୭୩ ବର୍ଷ ପରେ ସରକାରଙ୍କ ଦୃଷ୍ଟି ପଡ଼ିଲା, ଗ୍ରାମକୁ ୨୦୧୯/୨୦ ମସିହାରେ ନୂତନ ଭାବେ ପିଚୁ ରାସ୍ତା ନିର୍ମାଣ ଅନୁଦାନ ଆସିଲା । ଯାହାକୁ ନେଇ ଗ୍ରାମର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ଆଗାମୀ ଦିନକୁ ଆଖି ଆଗରେ ରଖିଲେ ପୂର୍ବ ରାସ୍ତା ଠାରୁ ଏହାର ଅବସ୍ଥା ଅଧିକ ଖରାପ ହେବ ବୋଲି ରାସ୍ତାଟି ଦେଖିଲେ ଜାଣିହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ଦାବି, ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.