Home କେନ୍ଦୁଝର ଠକିଦେଲା ସରକାର, ଆବାସ ଯୋଜନାରେ ଘର କରିମଧ୍ୟ ମିଳୁନି ଅନୁଦାନ

ଠକିଦେଲା ସରକାର, ଆବାସ ଯୋଜନାରେ ଘର କରିମଧ୍ୟ ମିଳୁନି ଅନୁଦାନ

207

ହାଟଡ଼ିହି,୨୫ / ୮ ସରକାର ଠକିଦେଲେ । ଆବାସ ଯୋଜନା ଘର ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ୨୦ ହଜାର ଦେବାପରେ ଧାର କରଜ କରି ଘରକାମ ସାରିଦେବାପରେ ଆଉ କେହି ଧରାଛୁଆଁ ଦେଉ ନାହାନ୍ତି । ଏହା ପୁରୁଣା ଘର କହି ନୁଆକରି ଆସିଥିବା ଅଧିକାରୀ ମାନେ ବଳକା ଟଙ୍କା ଦେବାକୁ ମନା କରୁଥିବାରୁ ଗରିବ ମହିଳା ଜଣକ ଧାର କରଜ ସୁଝି ନପାରି ମାନସିକ ଅଶାନ୍ତିରେ କାଳାତିପାତ କରୁଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଶାଳଣିଆଁ ପଞ୍ଚାୟତରେ । ଶାଳଣିଆଁ ଗ୍ରାମର ମଞ୍ଜୁଲତା ଜେନା ଜଣେ ଅସହାୟ ମହିଳା । ତାଙ୍କ ସ୍ୱାମୀ ଦୀର୍ଘଦିନ ହେଲା କେଉଁଆଡେ ପଳାଇଛନ୍ତି । ଗତ ୨୦୧୮/୧୯ ମସିହାରେ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିଲା । ପ୍ରଥମିକସ୍ତି ପାଇବାପରେ ସେ ଘରକାମ ଆରମ୍ଭ କରିଦେଲେ । ନିଜ ଚାଳଘରଟିକୁ ଭାଙ୍ଗିଦେଇ ପରଘରେ ଆଶ୍ରୟ ନେଇଥିବାରୁ ସେ କିପରି ଘରକାମ ଶୀଘ୍ର ସାରିବେ ସେନେଇ ବ୍ୟସ୍ତ ହୋଇପଡିଥିଲେ । ସେ ଘରର ପ୍ଲିନ୍ଥ ପକାଇବାପରେ ନିମଟାଲ ପକାଇ କାମ ଆଗେଇଲେ । ନିଜେ ରଖିଥିବା ୧୨ଟି ଛେଳିକୁ ବିକ୍ରୀ କରିବା ସହିତ ଧାର କରଜ କରି ଘରଟିର ଛାତ ପକାଇଦେଲେ । କିନ୍ତୁ କେହି ଅଧିକାରୀ ତାଙ୍କ ଘରକାମ ତଦାରଖ କରିବାକୁ ଗଲେନି । ସେହି ସମୟରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅଦଳ ବଦଳ ହେବାରୁ ତାଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଗଲା ନାହିଁ । କବାଟ ଝରକା ଲାଗିନି, ପ୍ଲାଷ୍ଟର ବି ହୋଇନି । ପରବର୍ତ୍ତି ସମୟରେ ସେ ତାଙ୍କ ବଳକା ଆବାସ ଅନୁଦାନ ଟଙ୍କା ପାଇଁ ଗଲାବେଳକୁ ଆଉ କେହି ଧରାଛୁଆଁ ଦେଲେନି । ଏହା ତୁମର ପୁରୁଣା ଘର, ଯଦି ଘର କଲ ତେବେ ଆମକୁ ଡାକିଥାନ୍ତ ଆମେ ଫେଜ ୱାଇଜ ଦେଇଥାନ୍ତୁ ବୋଲି କହି ମହିଳା ଜଣକୁ ଫେରାଇଦେଲେ । ସେହିଦିନ ଠାରୁ ସେ ବାରମ୍ବାର ବ୍ଲକ ଓ ପଞ୍ଚାୟତ ଓ ବିଭିନ୍ନ ନେତାଙ୍କ ପାଖକୁ ଦୌଡି ହାରି ଗୁହାରୀ କରୁଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣୁ ନଥିବା ସେ କହିଛନ୍ତି । ଧାର କରଜ ଆଣିଥିବା ମହାଜନ ମାନେ ବାରମ୍ବାର ତାଗିଦା କରୁଥିବାରୁ କିପରି କରଜ ସୁଝିବେ ସେନେଇ ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି । କେତେଦିନ ଏହି ଅନ୍ଧ ସରକାର ପାଖରେ ଗୁହାରୀ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିରାଟ ବିରାଟ କୋଠାଘର ଥିବା ଲୋକ ଓ ରାଜମହଲ ଗଢୁଥିବା ଲୋକଙ୍କୁ ସଙ୍ଗେ ସଙ୍ଗେ ଟଙ୍କା ଦେଇ ଦେଉଥିବାବେଳେ ମୁଁ ଜଣେ ଅସହାୟ ମହିଳା ତେଣୁ ମୋ କଥା କିପରି ସରକାରଙ୍କ ପାଖରେ ପହଞ୍ଚି ପାରିବ ବୋଲି ସେ କ୍ଷୋଭର ସହ କହିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ସମ୍ପର୍କରେ ଆଜି ପ୍ରଥମେ ଜାଣିନି, ତେଣୁ ପିଇଓଙ୍କୁ ଡାକି ଘଟଣା ସମ୍ପର୍କରେ ଜାଣିବାପରେ କିପରି ତାଙ୍କ ପ୍ରାପ୍ୟ ଦିଆଯିବ ତାହାର ବ୍ୟବସ୍ଥା କରିବି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.