Home ଜିଲ୍ଲା ପରିକ୍ରମା ଠକାମିରେ ନ ପଡ଼ିବା ପାଇଁ ସଚେତନତା ଜରୁରୀ, ଖାଉଟି ସଚେତନତା କର୍ମଶାଳା

ଠକାମିରେ ନ ପଡ଼ିବା ପାଇଁ ସଚେତନତା ଜରୁରୀ, ଖାଉଟି ସଚେତନତା କର୍ମଶାଳା

47

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଯୋଗାଣ ବିଭାଗ ସହଯୋଗରେ ରାଜ୍ୟ ଉପଭୋକ୍ତା ମହିଳା ମହାସଂଘ ଦ୍ୱାରା ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀକକ୍ଷରେ ଆଜି ଏକ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଯୋଗାଣ ଅଧିକାରୀ ଲିଙ୍ଗରାଜ୍ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ସ୍ୱତନ୍ତ୍ର ଅତିଥି ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲା ଖାଉଟି ବିବାଦ ସମାଧାନ ମଞ୍ଚର ସଭାପତି ଶିବ ପ୍ରସାଦ ମହାନ୍ତି, ଉକ୍ତ ମଞ୍ଚର ଜଗତସିଂହପୁର ଓ ଅତିରିକ୍ତ ଦାୟିତ୍ୱରେ ଥିବା ଭଦ୍ରକ ର ସଦସ୍ୟ ମଧୁସ୍ମିତା ସ୍ୱାଇଁ, ମାପ ଓ ଓଜନ ବିଭାଗର ଅଧିକାରୀ ପ୍ରିୟବ୍ରତ ଜେନା ପ୍ରମୁଖ ଯୋଗଦେଇ ଖାଉଟି ମାନଙ୍କ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଖାଉଟି କିଏ ? ମୂଲ୍ୟ ଦେଇ କିଣୁଥିବା ଦ୍ରବ୍ୟ ଓ ସେବା ପାଇଁ ୨ ପ୍ରକାରର ଥିବା ଖାଉଟି ମାନଙ୍କ ଭିତରୁ ଆଜି ଦିନର ସେବା କ୍ଷେତ୍ରରେ ଖାଉଟି କିପରି ଅଧିକ ଠକାମିରେ ପଡ଼ୁଛି, ଖାଉଟି ମାନଙ୍କ ଅଧିକାର, ଖାଉଟି ସୁରକ୍ଷା ଆଇନ୍ ଖାଉଟି ସଚେତନତା ଆମ ପାଇଁ କେତେ ଜରୁରୀ, ଖାଉଟି ଅଧିକାର କ୍ଷୂର୍ଣ୍ଣ ହେଲେ ଖାଉଟି ଅଦାଲତରେ ଆଶ୍ରୟ ନେବାର ତରିକା, ଆଦି ବିଭିନ୍ନ ଦିଗରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ବିଶେଷ କରି ଖାଉଟି ସୁରକ୍ଷା ଆଇନ୍ ୧୯୮୬ ଓ ସଂଶୋଧିତ ଆଇନ୍ ୨୦୧୯ ର ବିଭିନ୍ନ ଧାରା ଓ ସାଧାରଣ ଖାଉଟି ପାଇଁ ଥିବା ବିଶେଷ ସୁବିଧା ସବୁକୁ ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଇଥିଲା।

ଉକ୍ତ ଆଇନ୍ ଅନୁଯାୟୀ ଖାଉଟି ମାନଙ୍କ ପାଇଁ ଥିବା ବିଶେଷ କରି ୬ଟି ଅଧିକାର, ନିରାପତ୍ତା ଅଧିକାର, ଜାଣିବାର ଅଧିକାର, ପସନ୍ଦ କରିବାର ଅଧିକାର, ଆପତ୍ତି ଅଭିଯୋଗ କରିବାର ଅଧିକାର, ଶିକ୍ଷା ଅଧିକାର, ବିଚାର କରିବାର ଅଧିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଠକାମିରେ ଶିକାର ହୋଇଥିବା ଖାଉଟି ପାଇଁ ୫ ଲକ୍ଷ ଟଙ୍କା ଦାବି ପର୍ଯ୍ୟନ୍ତ ଅଭିଯୋଗ ପାଇଁ କୌଣସି ଦେୟ ନ ପଡ଼ିବା, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାତ୍ର ୨୦୦ ଟଙ୍କା ଦେୟମୂଲ୍ୟ ଥିବା, ଦେଶର ଯେ କୌଣସି ଜାଗାରେ କ୍ରୟ କରି ଠକାମିରେ ପଡ଼ିଲେ ଖାଉଟି ତା ଇଚ୍ଛାମୁତାବକ ଜାଗାରେ ଖାଉଟି ଅଦାଲତରେ ଅଭିଯୋଗ ଦାଖଲ ପାଇଁ ସୁବିଧା ଥିବା, ଅଭିଯୋଗ ଦାଖଲ ର ୩ ମାସ ମଧ୍ୟରେ ବିବାଦ ସମାଧାନ କରାଯିବା ଘରେ ଥାଇ ମୋବାଇଲ ଜରିଆରେ ଇ- ଦାଖିଲ ପୋର୍ଟାଲ ଜରିଆରେ ଅଭିଯୋଗ ଦାଖଲ କରିପାରିବା, ଖାଉଟି କୋର୍ଟ ଆଦେଶ ଅବମାନନା କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ପ୍ରଦାନ ବ୍ୟବସ୍ଥା ଆଦି ୨୦୧୯ ଖାଉଟି ସୁରକ୍ଷା ଆଇନ୍‌ର ବିଶେଷ ସୁବିଧା ସୁଯୋଗ ସମ୍ବନ୍ଧରେ ଫୁରମ୍‌ର ସଭାପତି ଶ୍ରୀଯୁକ୍ତ ମହାନ୍ତି ସବିଶେଷ ଆଲୋଚନା କରିଥିଲେ। ନିକିତି, ଇଲେଟ୍ରୋନିକସ୍ ଓଜନ ମେସିନ୍ ରେ କେମିତି ବ୍ୟବସାୟୀମାନେ ଠକେଇ ଖାଉଟିଙ୍କୁ ଶୋଷଣ କରୁଛନ୍ତି ତାହା ପ୍ରଦର୍ଶନ ଜରିଆରେ ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ଜେନା ବୁଝାଇଥିଲେ। ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ ମଧ୍ୟ ଖାଦ୍ୟ ବ୍ୟବସାୟରେ ଖାଉଟି ବିଭିନ୍ନ ଦିଗରେ ଠକିଯିବା ବିଷୟ ଉଲ୍ଲେଖ କରି ସେଥିଜନିତ ନିରାକରଣ ପାଇଁ ଆଇନ୍ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପୂର୍ବରୁ ସ୍କୁଲ ପିଲାମାନଙ୍କ ମଧ୍ୟରେ ଖାଉଟି ସଚେତନତା ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ସ୍କୁଲପିଲା, ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇଥିଲେ। ରାଜ୍ୟ ଉପଭୋକ୍ତା ମହିଳା ମହାସଂଘର ସମ୍ପାଦିକା ବନିତା ସାମଲ ଏହି କର୍ମଶାଳା ଆୟୋଜନରେ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ। ମହାସଂଘର ଆଇନ୍ ପରାମର୍ଶଦାତା ବସନ୍ତ କୁମାର ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.