ହାଟଡ଼ିହି, ୧୦ ।୫: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ବିଭିନ୍ନ ଡାକ୍ତରଖାନାରେ ଚାଲିଥିବା ଟୀକାକରଣ କାର୍ଯ୍ୟକ୍ରମରେ ଆଜି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କମ ଟୀକା ଆସିଥିବାବେଳେ ବହୁ ଅଧିକ ଲୋକ ଟୀକା ନେବାପାଇଁ ଚାଲି ଆସିବାରୁ ପ୍ରବଳ ଗହଳି ହୋଇଥିଲା । ଏପରିକି ଲୋକମାନେ କରୋନା କଟକଣାର ସାମାଜିକ ଦୁରତାକୁ ଭୁଲି ଯାଇଥିଲେ । ଦୀର୍ଘ ସମୟଧରି ଠିଆ ହେବାପରେ ଟୀକା ନମିଳିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଯାଇଥିଲା । ଖବରରୁ ଜଣାଯାଇଛି ଯେ ଆଜି ହାଟଡିହି ବ୍ଲକର ଶାଳଣିଆଁ, ହାଯଡିହି, ସୋସୋ ଓ ମୁଗୁପୁର ଡାକ୍ତରଖାନାରେ ଟୀକାକରଣ କାର୍ଯ୍ୟ ଚାଲିଥିଲା । ମୋଟ ୬୦୦ଟୀକା ଆସିଥିବାବେଳେ ଦୁଇ ହଜାରରୁ ଉର୍ଦ୍ଧ ଲୋକ ଏକତ୍ରିତ ହୋଇଯିବାରୁ ସମସ୍ୟା ଉପୁଜିଥିଲା । ଲୋକମାନଙ୍କ ଭିତରେ ଠଲାପେଲା ଲାଗିବା ସହ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଖବରପାଇ ସୋସୋ ଓ ନନ୍ଦିପଦା ପୁଲିସ ଟୀକା କରଣ କେନ୍ଦ୍ରରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ହାଟଡିହି ବ୍ଲକର ବିଡିଓ ଜୟଦେବ ଦାସ ହାଟଡିହି ଡାକ୍ତରଖାନାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ସୁରୁଖୁରୁରେ ଟୀକା ନେବାକୁ ପରାମର୍ଶ ଦେଇଥିଲେ । ଅନେକ ବୃଦ୍ଧ ବୃଦ୍ଧା ଦ୍ୱିତୀୟ ଡୋଜ ଟୀକା ନେବାପାଇଁ ଆସିଥିବା ବେଳେ ଲୋକ ଗହଳି ଦେଖି ଭିତରକୁ ଯାଇନପାରି ଫେରିବାକୁ ବାଧ୍ୟ ହୋଇଛନ୍ତି । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଚନ୍ଦନ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବ୍ଲକକୁ ମୋଟ ୬୦୦ଟୀକା ଆସିଥିଲା । ତାହାକୁ ଭାଗ ଭାଗ କରି ୧୫୦ ଲେଖାଏଁ ୪ଟି ଡାକ୍ତରଖାନାକୁ ଦିଆଯାଇଥିଲା । ଏପରିକି କେବଳ ୪୨ଦିନ ଅତିକ୍ରମ କରିଥିବା ଟୀକାଧାରୀଙ୍କୁ ଦ୍ୱିତୀୟ ଡୋଜ ଟୀକା ନେବାକୁ ସୁଚନା ଦିଆଯାଇଥିଲା । କିନ୍ତୁ ଲୋକମାନେ ଅନ୍ୟ ମାନଙ୍କ ଠାରୁ ଶୁଣି ଶହଶହ ସଂଖ୍ୟାରେ ଆସି ଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆମେ ଟୀକା ଅନୁସାରେ ଲୋକମାନଙ୍କୁ ସୁଚନା ଦେଉଛୁ, କିନ୍ତୁ ଲୋକମାନେ ତାହାକୁ ମାନୁ ନାହାନ୍ତି, ଲୋକମାନେ ସଚେତନ ହେଲେ ଯାଇ ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।