କୋରାପୁଟ ୧୨-୦୬(ଓଡିଆ ପୁଅ /ରଂଜନ ଦାସ)ଜୟପୁର ସଦର ପୋଲିସକୁ ଆଉ ଏକ ସଫଳତା ମିଳିଛି । ଜୟପୁର ସଦର ଥାନା ପୋଲିସ ଦ୍ୱାରା ଅକ୍ସିଜେନ ସିଲିଣ୍ଡର ବୋଝେଇ ଏକ ଟ୍ରକରୁ ୧କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରା ଯାଇଥିବାବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି । କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ପିବି-୧୦ଇଏସ ୪୬୬୧ ନମ୍ବର ଥିବା ଏକ ଅକ୍ସିଜେନ୍ ସିଲିଣ୍ଡର୍ ଭରା ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାକୁରଙ୍କୁ ମିଳିଥିଲା । ସୂଚନାକୁ ଆଧାର କରି ଓଆଇସି ମହାକୁରଙ୍କ ସମେତ ସବ-ଇନସପେକ୍ଟର ଏନ.କେ.ଟପ୍ପୋ ଓ ଅନ୍ୟ ପୋଲିସ କର୍ମଚାରୀ ୨୬ ନଂ ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ଗାଡିକୁ ଅପେକ୍ଷା କରି ରହିଥିଲେ । ଟ୍ରକ ପହଂଚିବା ମାତ୍ରେ ପୋଲିସ ଟିମଗାଡିକୁ ଅଟକାଇ ଚେକିଂ କରିବା ବେଳକୁ ଗାଡିରୁ ଜରି ଅଖାରେ ଥିବା ୧୨୭୭ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା । ପୋଲିସ ଟ୍ରକ ସହ ଗଞ୍ଜେଇ ଜବତ କରିଥିବାବେଳେ ଘଟଣାରେ ଟ୍ରକ ଡ୍ରାଇଭର ପଂଜାବର ଲୁଧିଆନା ଜିଲ୍ଲା ତେଜପୁର ରୋଡର ୟୋଶପାଲ(୪୩) ଓ ଗଞ୍ଜେଇ କିଣି ନେଉଥିବା ଲଖବିନ୍ଦର ସିଂହ(୪୩)କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୨ଟି ମୋବାଇଲ ଫୋନ ଓ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଭିଏତନାମରୁ ଆସିଥିବା ଅକ୍ସିଜେନ ସିଲିଣ୍ଡର ବିଶାଖାପାଟଣାରୁ ଦିଲ୍ଲି ଯାଉଥିଲା ବୋଲି କୁହାଯାଉଛି । ଅକ୍ସିଜେନ ସିଲିଣ୍ଡର ଦିଲ୍ଲି ପଠାଇବା ନିମନ୍ତେ ପଠାଇଥିବା ପରିବହନ ସଂସ୍ଥା ସହିତ ପୋଲିସ କଥାବାର୍ତା କରିଥିବା ଜଣାପଡିଛି ।