Home ଜିଲ୍ଲା ପରିକ୍ରମା ଜେଲ୍ ଭିତରୁ ସ୍ୱାମୀକୁ ଫୋନ୍‌ରେ ଧମକ ଦେଲା ସ୍ତ୍ରୀ

ଜେଲ୍ ଭିତରୁ ସ୍ୱାମୀକୁ ଫୋନ୍‌ରେ ଧମକ ଦେଲା ସ୍ତ୍ରୀ

58

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜେଲ୍ ଭିତରେ ଜଣେ ବିଚାରାଧୀନ ବନ୍ଦୀ ଭାବେ ଥାଇ ନିଜ ସ୍ୱାମୀକୁ ଜଣେ ପତ୍ନୀ ଫୋନ୍‌ରେ ଧମକ ଦେବା ଘଟଣା କେବଳ ଭଦ୍ରକ ନୁହେଁ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ବେନ୍ତାଳ ପଂଚାୟତ ଭବାନିବିନ୍ଧା ଗ୍ରାମର ୩ ନଂ ୱାର୍ଡରେ ନବକିଶୋର ମାହାନାଙ୍କ ଘର । ତାଙ୍କ ପୁତ୍ର ପ୍ରଫୁଲ୍ଲ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରେ । ପରିବାର କହିଲେ ୧୦ ବର୍ଷର ପୁତ୍ର ନିଶିକାନ୍ତ ଓ ପତ୍ନୀ କମଳିନୀ । ଘର କରିବା ମଧ୍ୟରେ ପ୍ରଫୁଲ୍ଲ ଓ କମଳିନୀର ମଝିରେ ମଝିରେ ପାଟିତୁଣ୍ଡ ହୁଏ । ଏହିଭଳି ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ମିନିଟ୍ ସମୟରେ କଳିଝଗଡାକୁ ନେଇ ପତ୍ନୀ କମଳିନୀ ଶୋଇଥିବା ସ୍ୱାମୀ ପ୍ରଫୁଲ୍ଲ ଉପରେ ଗରମ ତେଲ ପକାଇ ହତ୍ୟା କରିବାର ଉଦ୍ୟମ କରିଥିଲା । ଫଳରେ ପ୍ରଫୁଲ୍ଲ ନିଜକୁ ବଂଚାଇବାକୁ ଚିତ୍କାର କରିବାରୁ ଅନ୍ୟ ଘରେ ଶୋଇଥିବା ଲୋକେ ଉଠି ଯନ୍ତ୍ରଣାରେ ଛଟପଟ ହେଉଥିବା ତାର ଶୋଚନୀୟ ଅବସ୍ଥାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପ୍ରବଳ ବର୍ଷା ସତ୍ୱେ ପରିବାର ଲୋକେ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରିଥିଲେ । ଏ ସଂପର୍କରେ ପରିବାର ଲୋକେ ସାବରଙ୍ଗ ଥାନାରେ ଅଭିଯୋଗ କରିବା ପରେ ମେଡିକାଲ ବେଡ୍‌ରୁ ପତ୍ନୀ କମଳିନୀକୁ ଗିରଫ କରିଥିଲା ପୁଲିସ୍ । ଏବେ ସେ ଭଦ୍ରକ ଜିଲା ସ୍ୱତନ୍ତ୍ର କାରଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଆସୁଥିବାବେଳେ ସ୍ୱାମୀଙ୍କ ଭଲ ମନ୍ଦ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବେ କଣ ଓଲଟି ଧମକ ଚମକ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏବେ ପ୍ରଫୁଲ୍ଲ କଟକ ମେଡିକାଲ ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେବା ପରେ ଅର୍ଥ ଅଭାବରୁ ଘର ଓ ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବୃଦ୍ଧ ପିତା ଓ ପରିବାର ଲୋକେ ପ୍ରଫୁଲ୍ଲଙ୍କ ଚିକିତ୍ସା ସହ ତାଙ୍କର ୧୦ ବର୍ଷର ପୁତ୍ର ନିଶିକାନ୍ତର ଦାୟିତ୍ୱ ମଧ୍ୟ ନେଉଛନ୍ତି । ଏଭଳି ପରିସ୍ଥିତିରେ ପତ୍ନୀ କମଳିନୀ ଯେଭଳି ଜେଲ୍ ହାଜତରେ ଥାଇ ପ୍ରଫୁଲ୍ଲ ଓ ତାର ପରିବାର ଲୋକଙ୍କୁ ଫୋନ୍ ଯୋଗେ ଧମକ ଦେଉଛି, ତାହା ସମସ୍ତଙ୍କୁ ବିସ୍ମିତ କରିଛି । ତେବେ ଏ ସଂପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଯାହା କହନ୍ତି ପ୍ରତ୍ୟେକ ଦିନ ସମସ୍ତଙ୍କୁ ୪ ମିନିଟ୍ ସେମାନଙ୍କ ପରିବାର ସହ କଥାବାର୍ତ୍ତା ହେବା ପାଇଁ ସମୟ ଦିଆଯାଏ । ଏହାର ସୁଯୋଗ ନେଇ କମଳିନୀ ଏଭଳି କାର୍ଯ୍ୟ କରିଥାଇପାରନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.