Home ଜିଲ୍ଲା ପରିକ୍ରମା ଜୀବନ ଭୋଗିପାରିବାରେ ହିଁ କବିତାର ଆଚମନ, ପୁନରାଚମନ

ଜୀବନ ଭୋଗିପାରିବାରେ ହିଁ କବିତାର ଆଚମନ, ପୁନରାଚମନ

29

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଷଣର କଷଟିରେ ଘଷିକଷି ହୋଇ ଜୀବନର ମହନୀୟତା ଝଟକି ଉଠେ; ଏବଂ ଏହି ଝଟକରୁ କେତୋଟି ସାଇତା ଅନୁଭବ କବିତା ହେଇ ଉତୁରି ଆସିଥାଏ କବିର କଲମରୁ । ତେଣୁ ଜୀବନ ହିଁ କବିତାର ମୂଳ ପୁଞ୍ଜି ଆଉ କଷଣରୁ ହିଁ କବିତାର ପ୍ରଥମ କୁଆଁ ବୋଲି ସ୍ଥାନୀୟ ସଂସ୍କୃତି ଭବନରେ ବର୍ଷା ପବ୍ଲିକେଶନ୍‌, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ତରୁଣ କବି ପତିତପାବନ ପାଣିଙ୍କ ପ୍ରଥମ କବିତା ସଂକଳନ ‘ଆଞ୍ଜୁଳାଏ ଅଭିମାନ’ର ପାଠକାର୍ପଣ ଅବସରରେ ବିଶିଷ୍ଟ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି । ଯଶସ୍ୱୀ କବି ହୃଦାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ତଥା ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ କବିତା ଏକ ସୁକୁମାର କଳା ଏବଂ ସରଳପଣ ତଥା ସହଜ ଜୀବନ ଜିଇବାରେ କବିତା ଉତୁରେ; କବିତା ଜୀବନକୁ ଅର୍ଥପୂର୍ଣ୍ଣ କରେ ବୋଲି ମତ ରଖିଥବବା ବେଳେ ମୁଖ୍ୟ ବକ୍ତା, ଡ. ଅଭୟ ଦାସ କବିତା ପୁସ୍ତକର ସମକ୍ଷା ସହ ସାଂପ୍ର୍ରତିକ ସମୟରେ ପାଠକ ଓ କବିର ଦୂରତା ପ୍ରସଂଗରେ ଅନେକ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ । ସଭାପତି କବି ହୃଦାନନ୍ଦ ପାଣିଗ୍ରାହୀ ବଦଳିଯାଉଥିବା ସମାଜ, ଜୀବନ ଏବଂ ତା ସହିତ ତାଳଦେଇ ବଦଳୁଥିବା ବିଚାରବୋଧ ତଥା ଜୀବନ ଶୈଳୀର ପ୍ରତିଫଳନ କବିତାରେ ଏକ ସଂକଟ ସୃଷ୍ଟି କରୁଥିବାର ଆଶଂକା ବ୍ୟକ୍ତ କରିଥିଲେ । ଅନ୍ୟତମ ବରେଣ୍ୟ ବକ୍ତା କବି କିଶୋର ପାଣିଗ୍ରାହୀ ପତିତପାବନଙ୍କ କବିତା ଉପରେ ଆଲୋକପାତ କରିବା ସହିତ କବିତାର ଚିରନ୍ତନ ଆବେଦନ ସମାଜ ବ୍ୟବସ୍ଥା ବା ସାଂପ୍ରତିକତାକୁ ଖାତିର ନକରି ମଣିଷପଣିଆର ଆବେଦନ ଓ ସଂବେଦନଶୀଳତାର ଅପେକ୍ଷା ରଖେ; ଜୀବନକୁ ଭୋଗିପାରିବାରେ କବିତାର ଆଚମନ ଓ ପୁନରାଚମନ ବୋଲି କହିଥିଲେ । ଉତ୍ସବର ଆରମ୍ଭରେ ପ୍ରକାଶକ ତଥା ସୁଲେଖକ ବାଦଲ ମହାନ୍ତି ପ୍ରକାଶକୀୟ ଅଭିବ୍ୟକ୍ତି ରଖିଥିବାବେଳେ, କବୀ ତଥା ଆକାଶବାଣୀ ସମ୍ବଲପୁରର ଘୋଷିକା ମିତା ପଟ୍ଟନାୟକ ସଭା ସଂଚାଳନା କରିଥିଲେ । କବି ପତିତପାବନ ପାଣି ଲେଖକୀୟ ପ୍ରଥମ ପ୍ରତିକ୍ରିୟା ସ୍ୱରୂପ ପ୍ରଥମ ପୁସ୍ତକର ପୁଲକ ବଖଣିବା ସହ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.