Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ୍ ଦିବସ – ୨୦୨୧ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ୍ ଦିବସ – ୨୦୨୧ ପାଳିତ

29

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ଡ଼ିସେମ୍ବର ୧ ତାରିଖ ଦିନକୁ ବିଶ୍ୱ ଏଡ଼ସ୍ ଦିବସ ରୂପେ ପାଳନ କରାଯାଇ ଆସୁଥିବା ଆଧାରରେ ଜିଲ୍ଲା କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ଏଡ଼ସ୍ ଦିବସ ୨୦୨୧ ପାଳନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ା. ମୁରଲୀଧର ନାୟକ ଏ.ଡ଼ି.ପି.ଏଚ୍‌.ଓ (ଭି.ବି.ଡ଼ି) ଡ଼ା ସନ୍ତୋଷ ପୃଷ୍ଟି, ଏ.ଡ଼ି.ପି.ଏଚ୍‌.ଓ (ଟି.ବି / ଏଚ୍‌.ଆଇ.ଭି) ଯୋଗଦେଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆଲୋଚନା ପାଇଁ ପ୍ରଦାନ କରାଯାଇଥିବା ବିଷୟ “ଅସମାନତା ଦୂରକର, ଏଡ଼ସ୍ ହଟାଅ” ଉପରେ ଅତିଥି ଓ ଅନ୍ୟ ଆଲୋଚକମାନେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ଏଡ଼ସରୁ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଅଦ୍ୟାବଧି କୌଣସି ଔଷଧ ବାଟୀକା ବାହାରି ପାରି ନଥିବାରୁ ଏଡ଼ସ୍‌ର ମୂଳୋତ୍ପାଟନ କରିବାକୁ ହେଲେ ସଚେତନତା, ସତର୍କତା ହିଁ ଏକମାତ୍ର ଆଧାର ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ଏଚ୍‌.ଆଇ.ଭି. ସହିତ ସଂଗ୍ରାମ କରି ଜୀବନ ଜୀଉଁଥିବା ରୋଗୀ ମାନଙ୍କ ପ୍ରତି ବାଛବିଚାର, ଭେଦଭାବ ନରଖି ସେମାନଙ୍କ ଲାଗି ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇବା ଉଚିତ୍ । ସେମାନଙ୍କ ପାଇଁ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟ କର୍ମୀ ସ୍ୱେଚ୍ଛାସେବୀ ସଂସ୍ଥା, ପ୍ରଶାସନ ଏପରିକି ଜନସାଧାରଣ ସମସ୍ତଙ୍କ ମିଳିତ ଉଦ୍ୟମ ଜାରି ରହିଲେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସାଧାରଣ ମଣିଷଟିଏ ପରି ବଞ୍ôଚବାକୁ ସୁଯୋଗ ସୃଷ୍ଟି କରିହେବ ବୋଲି ସେ କହିଥିଲେ । ଅନ୍ୟତମ ଆଲୋଚକ ଭାବେ ଏ କାର୍ଯ୍ୟକ୍ରମ ପୃଷ୍ଠପୋଷକ ଆଦାନୀ ଫାଉଣ୍ଡେସନର ସି.ଏସ୍‌.ଆର. ୟୁନିଟ୍ ମୁଖ୍ୟ ସତ୍ୟରଞ୍ଜନ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ମଧ୍ୟ ଏ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଏଡ଼ସ୍ ରୋଗୀମାନଙ୍କ ଉପଲକ୍ଷେ ଉଦ୍ଧିଷ୍ଟ ଥିବା ସରକାରୀ ସହାୟତା, ମଧୁବାବୁ ପେନ୍‌ସନ୍ ଯୋଜନା ଆଦି ସମ୍ବନ୍ଧରେ ଆଲୋଚନା ରଖିଥିଲେ ।

ଏଡ଼ସ୍ ରୋଗୀ ମାନଙ୍କ ପ୍ରତି ଭେଦାଭେଦ ଛୁଆଁ ଅଛୁଆଁ ଭଳି ସାମାଜିକ ବାଚ୍ଛନ୍ଦକୁ ପ୍ରତିହତ କରି ସାଧାରଣ ମଣିଷ ସହ ଅସମାନତା ଦୂର କରିପାରିଲେ ସେମାନଙ୍କ ଜୀବନ ଯାପନ ସ୍ୱଚ୍ଛନ୍ଦରେ କଟିପାରିବ ବୋଲି ମତପ୍ରକାଶ ପାଇଥିଲା । ଡ଼ି.ପି.ଏମ, ଡ଼ି.ଏ.ପି.ସି.ୟୁ ଦେବବ୍ରତ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଏନ୍‌.ଏଚ୍‌.ଏମ୍‌.ର ଡ଼ି.ପି.ଏମ୍ ସରିତା ମହାପାତ୍ର, ଆଶାର ସହକାରୀ ପରିଚାଳକ କଳ୍ପନା ସାମଲ ଆନୁଷଙ୍ଗିକ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫୋଲୋସିପ୍‌, ନୁହାସ୍‌, କେ.ଏନ୍‌.ପି.+, ଆହାନାର କର୍ମକର୍ତ୍ତା ଓ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥକୁ ଜିଲ୍ଲାପାଳ ସବୁଜ ପତାକା ହଲାଇ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ରଥ ୪ ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଏଡ଼ସ୍ ମୁକ୍ତ ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ପ୍ରଚାର କରିବ । ଆଜିର ଏହି ଦିବସ ପାଳନ ଉପଲକ୍ଷେ ଓଡ଼ିଶା ଏଡ଼ସ୍ ନିୟନ୍ତ୍ରଣ ସମିତି ସହାୟତାରେ ରେଡ଼୍ ରିବନ୍ କ୍ଲବ ଥିବା କେତେକ ସ୍କୁଲ, କଲେଜ ମାନଙ୍କରେ ଏଡ଼ସ୍ ସଚେତନତା ନେଇ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ଡ଼ି.ପି.ଏମ୍ ଶ୍ରୀଯୁକ୍ତ ମହାପାତ୍ର ସୂଚନା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.