ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ଅକ୍ଟୋବର ୧ରେ ପାଳନ କରାଯାଇ ଆସୁଥିବା ବରିଷ୍ଠ ନାଗରିକ ଦିବସକୁ ଭଦ୍ରକ ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉକ୍ତ ଦିବସ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା । ଭଦ୍ରକ ଟାଉନ୍ ହଲ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ପ୍ରାୟ ୧୯ଟି ବରିଷ୍ଠ ନାଗରିକ ସଂଘ ଓ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଦସ୍ୟ ହିସାବରେ ୨୦୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ସ୍ୱାସ୍ଥ୍ୟ ତଦାରଖ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ନିରାମୟ ଔଷଧ ପ୍ରଦାନ କେନ୍ଦ୍ର ଖୋଲାଯିବ । ଉକ୍ତ ଦିବସ ପାଳନ ଉପଲକ୍ଷେ ପ୍ରମୁଖ ଅତିଥି ମାନଙ୍କୁ ନେଇ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଧନା ପ୍ରଦାନ ସହିତ ସାଂସ୍କୃତିକ କାର୍ଯ୍ରକ୍ରମ ଆୟୋଜନ ନେଇ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୟସାଧିକ ଲୋକମାନେ ଯୋଗ ଦେଉଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ସହିତ ସମସ୍ତଙ୍କ ପାଇଁ ଜଳଯୋଗ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଶୃଙ୍ଖଳାର ସହିତ ଆୟୋଜନ ପାଇଁ ପରାମର୍ଶ ପ୍ରଦାନ କରାଯାଇ ଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କମାର ଦତ୍ତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ବରିଷ୍ଠ ନାଗରିକ ମହାସଂଘର କର୍ମକର୍ତ୍ତା ସଭାପତି ଲଲାଟେନ୍ଦୁ ମହାନ୍ତି ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନରାୟ ଓ ବରିଷ୍ଠ ନାଗରିକ କମିଟି ସଦସ୍ୟ ରାଧାରାଣୀ ମହାପାତ୍ର ଅଟଳ ବିହାରୀ ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।