Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ, ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ହେଲା କ୍ୱିଜ୍ ପ୍ରତିଯୋଗିତା

ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ, ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ହେଲା କ୍ୱିଜ୍ ପ୍ରତିଯୋଗିତା

51

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ପର୍ଯ୍ୟଟନ ଅନୁଭାଗ ଜରିଆରେ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ଡେପୁଟୀ କଲେକ୍ଟର କାର୍ତ୍ତି୍‌କ ନାଥ ମଣ୍ଡଳଙ୍କ ସଂଯୋଜନାରେ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ଦିବସ ପାଳନ ଉତ୍ସବରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପର୍ଯ୍ୟଟନ ସମ୍ପର୍କିତ ଭଦ୍ରକ ଜିଲ୍ଲା, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ତଥା ସଂସ୍କୃତି ବିଷୟାବଳୀକୁ ନେଇ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି ଏହି ଉତ୍ସବରେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହିତ ପର୍ଯ୍ୟଟନ ଆମ ଦେଶର ତଥା ଆଞ୍ଚଳିକ କ୍ଷେତ୍ରରେ ଆର୍ଥିକ ବିକାଶ ଦିଗରେ କିପରି ଗୁରୁତ୍ୱପୂର୍ଣ୍ଣ ତା ଉପରେ ଆଲୋକପାତ କରିଥିଲେ । ପାଠପଢ଼ା ସହିତ ଖବର କାଗଜ ଓ ଆଜିର ପ୍ରଯୁକ୍ତି ବିଦ୍ୟାରେ ବିଭିନ୍ନ ସ୍‌ାଧନ ଜରିଆରେ ଜ୍ଞାନ ଆହରଣ କରିବାକୁ ପ୍ରତିଯୋଗୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲାର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ସ୍ଥିତି, ସେଗୁଡ଼ିକର ବିକାଶ ପାଇଁ ସରକାରୀ ଅନୁଦାନ, ବିକାଶର ରୂପରେଖ ସମ୍ବନ୍ଧରେ ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ମଣ୍ଡଳ ସୂଚନା ପ୍ରଦାନ କରିଥିଲେ । ସହାୟକ ଜିଲ୍ଲାପାଳ ସୁଧାଂଶୁ ମୋହନ ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ ।

୭ଟି ହାଇସ୍କୁଲ ଓ ୬ଟି ମହାବିଦ୍ୟାଳୟରୁ ୨ ଜଣ ଲେଖାଏଁ ପ୍ରତିଯୋଗୀ ଏହି କ୍ୱିଜ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରତି ଦଳକୁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଓ ପ୍ରମୁଖ ନଦୀର ନାମ ଅନୁସାରେ ନାମାଙ୍କନ କରାଯାଇଥିଲା । କ୍ୱିଜ ମାଷ୍ଟର ହିସାବରେ ସହାୟକ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ୱାଇଁଙ୍କ ସହ ଦୀପା ଟିମ୍‌ର ଅଧିକାରୀ ଅଜିତ୍ କୁମାର ରଥ ଏବଂ ସୁବ୍ରତ କୁମାର ସ୍ୱାଇଁ ଖୁବ୍ ଆକର୍ଷଣୀୟ ଢଙ୍ଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାର୍ଥୀ, ଅଧ୍ୟାପକ, ଶିକ୍ଷକ ପ୍ରଭୃତି ଦର୍ଶକ ହିସାବରେ ମଧ୍ୟ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ସରୋଜ କୁମାର ମଲ୍ଲିକ୍ ଏବଂ ସ୍ୱାଗତିକା ସାହୁ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ । ଅନ୍ୟତମ ବିଭାଗୀୟ କର୍ମଚାରୀ ବନମାଳୀ ପ୍ରଧାନ ହେମନ୍ତ ପ୍ରଧାନ, ଆଇଜାକ୍ ମହାନ୍ତି, ରାକେଶ ନାୟକ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ହାଇସ୍କୁଲ ସ୍ତରୀୟ ପ୍ରତିଯୋଗିତାରେ ଯୁଗ୍ମ ବିଜେତା ଭାବେ ପ୍ରଥମ ସ୍ଥାନରେ ଜିଲ୍ଲା ସ୍କୁଲ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ, ଦ୍ୱିତୀୟ ସ୍ଥାନରେ ଏସ୍‌.ବି.ଡ଼ି. ଇଣ୍ଟର ନ୍ୟାସନାଲ ସ୍କୁଲ ଏବଂ ତୃତୀୟ ସ୍ଥାନରେ ଏନ୍‌.ସି. ନୋଡ଼ାଲ ହାଇସ୍କୁଲ, ଭଦ୍ରକ ଥିବା ବେଳେ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନରେ ଓ.ଏ.ବି. ପାଳସଗଡ଼ିଆ, ବନ୍ତ, ଦ୍ୱିତୀୟ ସ୍ଥାନରେ ମହିଳା ମହାବିଦ୍ୟାଳୟ, ଭଦ୍ରକ ଏବଂ ତୃତୀୟ ସ୍ଥାନରେ ଏନ.ଆର.ଆଇ. ଇଣ୍ଟରନ୍ୟାସନାଲ ସ୍କୁଲ ପୁରସ୍କୃତ ହୋଇଥିଲେ । ପ୍ରଥମ ପୁରସ୍କାର ୧୨୦୦ ଟଙ୍କା, ୨ୟ ପୁରସ୍କାର ୧୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୮୦୦ ଟଙ୍କା ସହ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟକି ମିଳିତ ଜାତିସଂଘର ଅନୁମୋଦନ କ୍ରମେ ୧୯୮୦ ମହିହାରୁ ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇ ଆସୁଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.