Home ଜିଲ୍ଲା ପରିକ୍ରମା ଜିଲ୍ଲା ସଦର ମହକୁମାରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୪୪ ଅଭିଯୋଗ ଆଗତ

ଜିଲ୍ଲା ସଦର ମହକୁମାରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୪୪ ଅଭିଯୋଗ ଆଗତ

16

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ମାସ ପରି ଚଳିତ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୪୪ ଜଣଙ୍କ ଅଭିଯୋଗ ଶୁଣିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୧୩୯ ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଓ ୫ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ସାମାଜିକ ସୁରକ୍ଷା ଯୋଜନାରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିବାହ ପ୍ରୋତ୍ସାହନ ରାଶି ୨ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ପାହାଡ଼ପୁର, ଆନନ୍ଦପୁର, ଧାମନଗରର ଚମ୍ପାଲତା ସେଠୀଙ୍କ ୫୦% ସ୍ଥାୟୀ ଦିବ୍ୟାଙ୍ଗ ସ୍ୱାମୀ ଦେବଦୁଲାଳ ସେଠୀଙ୍କୁ ଏହି ଶିବିରରେ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ, ରାସନକାର୍ଡ଼, ବିଭିନ୍ନ ଭତ୍ତା, ଆର୍ଥିକ ସହାୟତା ପ୍ରଦାନ ସମ୍ବନ୍ଧୀୟ ଅଧିକ ଅଭିଯୋଗ ଥିଲା । ଏ ସବୁ ଅଭିଯୋଗ ସହ ଅନ୍ୟ ବିଭାଗ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ଡେପୁଟୀ କଲେକ୍ଟର ରାଜୀବ ହାଁସଦା ଅଭିଯୋଗ ଉପସ୍ଥାପନା ଓ ସାଧାରଣ ବିବିଧ ବିଭାଗର ଅଭିନେତ୍ରୀ ମହାନ୍ତି ଓ ଲିପ୍‌ସା ରାଣୀ ରାଉତ ଅଭିଯୋଗ ପଞ୍ଜିକରଣରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.