Home Coronavirus Outbreak ଜିଲ୍ଲା ମଧ୍ୟକୁ ସାମୁଦ୍ରିକ ପ୍ରବେଶ ପଥ ଉପରେ କଟକଣା କଡାକଡି

ଜିଲ୍ଲା ମଧ୍ୟକୁ ସାମୁଦ୍ରିକ ପ୍ରବେଶ ପଥ ଉପରେ କଟକଣା କଡାକଡି

168

ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜାରି କଟକଣା ସମୟରେ ସମୁଦ୍ର ତଟଦେଇ କୌଣସି ବ୍ୟକ୍ତି ଜିଲ୍ଲା ମଧ୍ୟକୁ ପ୍ରବେଶ କରିବା ଆଶଙ୍କା ଉପରେ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ସାମୁଦ୍ରିକ ଜଳ ଜୀବ ଏବଂ ମତ୍ସ୍ୟ ସଂପଦ ସୁରକ୍ଷା ନିମେନ୍ତ ଗତ ୧୫ ତାରିଖରୁ ଆସନ୍ତା ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ଦିନ ପାଇଁ ଗଭୀର ଜଳରେ ମାଛଧରା ଉପରେ ଜାରି କଟକଣାକୁ ଆହୁରି କଠୋର କରିଛନ୍ତି। ଏହି ମର୍ମରେ ଜିଲ୍ଲାପାଳ ଶ୍ରୀବଲବନ୍ତ ସିଂ ଆଜି ପତ୍ର ସଂଖ୍ୟା ୧୮୪୪ ମାଧ୍ୟମରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ପଥ ଦେଇ ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ପ୍ରବେଶ ପଥ ଓ ମାଛଧରା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବାହାରୁ ସମୁଦ୍ର ପଥ ଦେଇ ଆସୁଥିବା ଯେକୌଣସି ସନ୍ଦିଗ୍ଧ ମତ୍ସ୍ୟଜୀବି କିମ୍ବା ଅଣ ମତ୍ସ୍ୟଜୀବିଙ୍କୁ ନିୟମାନୁଯାୟୀ କ୍ୱାରେଟାଂଇନକୁ ପଠାଯିବ। ଏହି ସମବେଦନଶୀଳ ପ୍ରସଙ୍ଗ ଉପରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ଅତିରିକ୍ତ ମତ୍ସ୍ୟ ଅଧିକାରୀ, ସ୍ଥାନୀୟ ତହସିଲଦାର ଏବଂ ସାମୁଦ୍ରିକ ଥାନା ଅଧିକାରୀମାନଙ୍କ ସହ ମିଶି ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ଚଢାଉ ନିମେନ୍ତ ଡଙ୍ଗା ମୁତୟନ ନିମନ୍ତେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କିତି ଦୈନିକ ରିପୋର୍ଟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ କୁହାଯାଇଛି। ଏଥିସହ ସମୁଦ୍ର ତଟବର୍ତ୍ତୀ ଗାଁ ଗୁଡିକରେ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.