Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି ଶିବିର

ଜିଲ୍ଲା କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି ଶିବିର

39

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଳିତ ଜନ ଶୁଣାଣି ଶିବିର ଆୟୋଜନ କାର୍ଯ୍ୟସୂଚୀ ନେଇ ଆଜି ମାସର ପ୍ରଥମ ସୋମବାର ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଓ ଏସ୍‌.ପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ, ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏସ୍‌.ପି ଚରଣ ସିଂ ମୀନା ଏଥିରେ ଯୋଗ ଦେଇ ସମୁଦାୟ ୧୧୩ଟି ଅଭିଯୋଗର ଶୁଣାଣି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ରାମଦାସ ଟୁଡ଼ୁ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଶୁଣାଣି କରାଯାଇଥିବା ସମୁଦାୟ ଅଭିଯୋଗ ମଧ୍ୟରେ ୧୦୧ଟି ବ୍ୟକ୍ତିଗତ ଓ ୧୨ଟି ସାମୁହିକ ସମସ୍ୟା ଭିତ୍ତିକ ଥିଲା। ରେଡ଼କ୍ରସ୍ ସମ୍ବନ୍ଧୀୟ ଜଣେ ଅଭିଯୋଗକାରୀଙ୍କୁ ଚିକିତ୍ସା ସହାୟତା ବାବଦ ଟ. ୫୦୦୦.୦୦ର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ। ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ସଂପୃକ୍ତ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ବିଭିନ୍ନ ଉପକରଣ ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା।

ସେଥି ମଧ୍ୟରେ ଥିଲା ତିନି ଚକିଆ ସାଇକେଲ ୪ଟି, ହ୍ୱିଲ ଚେୟାର ୨ଟି, ସି.ପି. ଚେୟାର ୧ଟି, ସର୍ଜିକାଲ ଜୋତା ୪ଟି, ଶ୍ରବଣ ଯନ୍ତ୍ର ୪ଟି, କୃତିମ ଅଙ୍ଗ ( ପ୍ରୋସ୍ଥେସିସ୍‌) ୮ଟି, ଅସ୍ଥି ସ୍ନାୟୁ ଜନିତ (ଅର୍ଥୋସିସ୍‌) ୧୯ ଟି, ଆର୍ଶା ବାଡ଼ି ୮ଟି, ଡ଼ିଜିଟାଲ୍ ଅନ୍ଧ ବାଡ଼ି ୧ଟି, ସମୁଦାୟ ୫୧ଟି ଆଧୁନିକ ଉପକରଣ ଥିଲା। ଆଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ପ୍ରମାଣ ପତ୍ର, ଜବର ଦଖଲ ଉଚ୍ଛେଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାଲ ଶିକ୍ଷକ ନିଯୁକ୍ତି, ଶିକ୍ଷକମାନଙ୍କ ବଦଳି, କାଳିଆ ଯୋଜନାରେ ଟଙ୍କା ନମିଳିବା, ଆରଡ଼ି ଛକରୁ ଆରଡ଼ି ଆଡ଼କୁ ରାସ୍ତା ପାର୍ଶ୍ୱ ଡ଼୍ରେନେଜ୍ ବ୍ୟବସ୍ଥା, ସାଳନ୍ଦୀ କେନାଲ ବନ୍ଧରେ ଗବସାହି ରାସ୍ତା ମରାମତି, ରେସନ୍ କାର୍ଡ଼, ବିଦ୍ୟୁତ ଖୁଣ୍ଟ ବସାଇବା, ମ୍ୟୁନିସିପାଲିଟି ଦ୍ୱାରା ଗତ ଫେବୃୟାରୀ ମାସରୁ ଆବଣ୍ଟନ କରାଯାଇଥିବା ଦୋକାନ ଘର ଆନୁସଂଗିକ ସୁବିଧା ଅଭାବରୁ ୨୫ ରୁ ଉର୍ଦ୍ଧ ଖୋଲାଯାଇ ନପାରି ଧରି ଭଡ଼ା ଗଣିବା ଆଦି ସହ ଘରୋଇ ପାରିବାରିକ ବିବାଦ ଓ ଚିକିତ୍ସା ଜନିତ ବିଷୟ ସବୁ ଅନ୍ତର୍ଭୁକ୍ତ ଥିଲା। ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ଏବଂ ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନା ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.