Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସମସ୍ତ ପ୍ରତିଯୋଗିତା ଶେଷ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସମସ୍ତ ପ୍ରତିଯୋଗିତା ଶେଷ

45

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଗତ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ଅନୁମୋଦିତ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସଂସ୍କୃତି ଭବନରେ ଜାନୁୟାରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଆଜି ୨୧ ତାରିଖରେ ଶେଷ ହୋଇଛି। ୧୮ ତାରିଖରେ ରୋଟାରୀ କ୍ଲବ୍ ସହଯୋଗରେ କ୍ଲବ୍‌ର ସଂପାଦକ ଅଭିଜିତ୍ ନାୟକ ଓ ରୋଟାରିଆନ୍ ବାଦଲ ମହାପାତ୍ରଙ୍କ ପରିଚାଳନାରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବ୍ରଜମୋହନ ମିଶ୍ର, ଗୋଲକ ବିହାରୀ ସାହୁ, ରାମଚନ୍ଦ୍ର ପଣ୍ଡା ଇଂରାଜୀ ବକ୍ତୃତା ଓ ପ୍ରଭାତ ନଳିନୀ ମହାପାତ୍ର, ଶଶଧର ଦାସ, ପ୍ରଫୁଲ୍ଲ କୁମାର ସାହୁ ଓଡ଼ିଆ ବକ୍ତୃତା ପାଇଁ ବିଚାରକ ଦାୟିତ୍ୱ ତୁଲାଇଥିଲେ। ସେହିପରି ୧୯ ତାରିଖରେ ସାଳନ୍ଦୀ ହସ୍‌ପିଟାଲର ସହଯୋଗରେ ଡା. ପ୍ରଭାସ ଚନ୍ଦ୍ର ମହାନ୍ତିଙ୍କ ପରିଚାଳନାରେ ସାଧାରଣଜ୍ଞାନ ଓ ସାଳନ୍ଦୀ ନର୍ସିଂ ସ୍କୁଲ ସହଯୋଗରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ଗୁରୁ ରାମନାରାୟଣ ମହାନ୍ତି, ମହନ୍ତ ଆଶିଷ ଗୋସ୍ୱାମୀ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ସାହୁ ପ୍ରମୁଖ ସଙ୍ଗୀତ ପ୍ରତିଯୋଗିତା ପାଇଁ ବିଚାରକ ଦାୟିତ୍ୱ ନିଭାଇଥିଲେ। ୨୦ ତାରିଖରେ ପଲ୍ଲିଶ୍ରୀ ସହଯୋଗରେ ପ୍ରତାପ ପାଢ଼ୀଙ୍କ ପରିଚାଳନାରେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ସେହିଦିନ ଚାଇଲଡ଼୍ ଲାଇନ୍ ଆସିଆନା ସହଯୋଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କଳା ଶିକ୍ଷକ ଜୟନ୍ତ କୁମାର ନାୟକ, ମନୋଜ ଭଟ୍ଟାଚାର୍ଯ୍ୟ, ନାରାୟଣ ବେହେରା ପ୍ରମୁଖ ଏଥିପାଇଁ ବିଚାରକ ଥିଲେ। ଆସିଆନାର ସଂଯୋଜକ ରିଆଜ୍ ଅହମ୍ମଦ, ସଦସ୍ୟ ରମାକାନ୍ତ ଜେନା, ପ୍ରଦୀପ ପଣ୍ଡା, ପ୍ରଶାନ୍ତ ମହାପାତ୍ର, ସଂଯୁକ୍ତା ମଳିକ, ସ୍ମୃତିରେଖା ଓଝା, ପ୍ରତିମା ବଳ ପ୍ରମୁଖ ଏହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଭଦ୍ରକ ସହରର ସରକାରୀ ବେସରକାରୀ ସ୍କୁଲ ସହିତ, ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ସମସ୍ତ ବ୍ଲକ୍ ସ୍ତରରୁ ପିଲାମାନେ ଏହିସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସାଧାରଣଜ୍ଞାନ ବ୍ୟତୀତ ଅନ୍ୟ ସମସ୍ତ ପ୍ରତିଯୋଗିତାରେ ଜୁନିୟର ଓ ସିନିୟର ୨ଟି ଗ୍ରୁପ୍‌ରେ ପ୍ରତିଯୋଗିତା କରାଯାଇଥିଲା। ପ୍ୟାରେଡ୍ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଜି ୫ଟି ସ୍କୁଲରୁ ଆସିଥିବା ସାଂସ୍କୃତିକ ଦଳ ମଧ୍ୟରେ ପ୍ରତିଯୋଗିତା ଆଧାରରେ ୩ଟି ଦଳକୁ ଚୟନ କରାଯାଇଛି। ଏସ୍‌.ବି.ଡି. ସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଓ ସେଣ୍ଟ ଜାଭିୟର ସ୍କୁଲ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୃତ୍ୟଗୁରୁ ଉଜ୍ଜ୍ୱଳ କୁମାର ନାୟକ, ପୁଷ୍ପିତା ମହାନ୍ତି ଓ ତବଲା ଗୁରୁ ବିବେକାନନ୍ଦ ଜେନା ସାଂସ୍କୃତିକ ଦଳ ଚୟନ ପାଇଁ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଆସନ୍ତା ୨୩ ଓ ୨୪ ତାରିଖରେ ଭଦ୍ରକ କଲେଜ ଖେଳ ପଡ଼ିଆରେ ପ୍ୟାରେଡ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରକାଶ ଥାଉକି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.