Home କେନ୍ଦୁଝର ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନମେଳା ଓ ଭଲିବଲ ପ୍ରତିଯୋଗୀତା ଉଦ୍ଘାଟିତ

ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନମେଳା ଓ ଭଲିବଲ ପ୍ରତିଯୋଗୀତା ଉଦ୍ଘାଟିତ

157

କେନ୍ଦୁଝର, ୧୬ା୧୧(ଓଡ଼ିଆ ପୁଅ/ପ୍ରଦୀପ ମହାନ୍ତି): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ ସମୂହ, କେନ୍ଦୁଝର ପକ୍ଷରୁ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନମେଳା ଓ ଭଲିବଲ ପ୍ରତିଯୋଗୀତା – ୨୦୧୯ ଶନିବାର ଦିନ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାଷିନାଥ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ପିଲାମାନଙ୍କଠାରେ ଥିବା ଅର୍ନ୍ତନିହିତ ପ୍ରତିଭାର ବିକାଶ ପାଇଁ ସରଗିଫୁଲ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ। ବିଜ୍ଞାନମେଳାରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢୁଛି, ପିଲାମାନଙ୍କ ଦ୍ୱାରା ହେଉଥିବା ଅନେକ ନୂଆ ନୂଆ ପ୍ରକଳ୍ପରେ ପ୍ରତିଭା ଭରି ରହିଛି ଏବଂ ସେହି ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ଶିକ୍ଷକ ସମାଜ ଯତ୍ନନେଲେ ସେମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ସୁନାମ ଅର୍ଜନ କରିପାରିବେ ବୋଲି କହିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସନ୍ତୋଷ କୁମାର ନାୟକ ଏଭଳି ଏକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚିତ କରିବା ପାଇଁ ପ୍ରକୃଷ୍ଠ କ୍ଷେତ୍ର ବୋଲି ବର୍ଣ୍ଣନା କରିଥିଲେ। ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅନେକ ପ୍ରକଳ୍ପରେ ଉନ୍ନତ ଚିନ୍ତାଧାରା ପରିପ୍ରକାଶରେ ସୁଯୋଗ ସୃଷ୍ଟି କରିଛି ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଧିରେନ ମହାନ୍ତି ଯୋଗ ଦେଇ ସର୍ଗିଫୁଲ ଭଳି କାର୍ଯ୍ୟକ୍ରମ ଯୋଗୁଁ ଜିଲ୍ଲାସ୍ତରରେ ବହୁ ଲୁକ୍କାୟିତ ପ୍ରତିଭା ଚୟନ କରିପାରୁଛି। ଏହି ପ୍ରତିଭାମାନେ ରାଜ୍ୟସ୍ତରରେ ମଧ୍ୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗର୍ବ ଓ ଗୋ÷ରବ ଆଣି ଦେଉଥିବାରୁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ସମ୍ମାନୀତ ଅତିଥିଭାବେ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ସରଗିଫୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର କଳାକୌଶଳ ପ୍ରଦର୍ଶନ କରିପାରିବେ ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ସଫଳତା ହାସଲ କରି ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରି ଜିଲ୍ଲାର ଟେକ ରଖିବାକୁ କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଟିଡିଏର ସ୍ୱତନ୍ତ୍ର ଅଧିକାରୀ ସଞ୍ଜୁ ଦାସ ଯୋଗ ଦେଇ ପ୍ରତିଭା ଅନ୍ୱେଷଣ ପାଇଁ ଜିଲ୍ଲାସ୍ତରୀୟ ଉତ୍ସବ ସର୍ଗିଫୁଲ ଓ ବିଜ୍ଞାନମେଳା ବେଶ ସହାୟକ ହେଉଥିବା ପ୍ରକାଶ କରିଥିଲେ। ନିଜ ସଭାପତିତ୍ୱ ଅଭିଭାଷଣରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ ୨୦୧୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଯୋଗୁଁ ଦୃଷ୍ଟି ଆଢୁଆଳରେ ରହି ଯାଉଥିବା ବହୁ ପ୍ରତିଭାଙ୍କୁ ଚିହ୍ନଟ କରାଯାଇ ପାରୁଛି। କେନ୍ଦୁଝର ଜିଲ୍ଲାରୁ ଯାଇଥିବା ଆଦିବାସୀ ଲୋକନୃତ୍ୟ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବାବେଳେ ଭଲିବଲ କ୍ରୀଡାରେ ମଧ୍ୟ ଅନେକ ସଫଳତା ମିଳୁଥିବା ଶ୍ରୀ ଦାଶ ପ୍ରକାଶ କରିଥିଲେ। ଶେଷରେ ନରଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କବିତାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇଦିନିଆ ଏହି ଜିଲ୍ଲାସ୍ତରୀୟ ସର୍ଗିଫୁଲ ଓ ବିଜ୍ଞାନମେଳା କାର୍ଯ୍ୟକ୍ରମରେ ତର୍କ, ସୃଜନାତ୍ମକ ଲେଖା, ସଂଗୀତ, ଗଣିତ, ବିଜ୍ଞାନ, କୁଇଜ୍, ଏକକ ଅଭିନୟ, ଗ୍ରୁପ ଡ୍ୟାନ୍ସ ଆଦି ବିଭାଗରେ ପ୍ରତିଯୋଗୀତା ହୋଇଛି। ଉଚ୍ଚ ବିଦ୍ୟାଳୟ ସ୍ତରରେ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଳକ ବିଭାଗରେ ୧୦ଟି ଦଳ ଏବଂ ବାଳିକା ବିଭାଗରେ ୯ଟି ଦଳ ଭାଗ ନେଇଥିଲେ। ବାଳକ ବିଭାଗର ୨ଟି ଦଳ ଏବଂ ବାଳିକା ବିଭାଗର ୨ଟି କୃତି ଦଳ ଜୋନାଲସ୍ତରୀୟ ଭଲିବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ଉଭୟ ଜିଲ୍ଲାସ୍ତରୀୟ ସର୍ଗିଫୁଲ ଓ ବିଜ୍ଞାନମେଳା କାର୍ଯ୍ୟକ୍ରମକୁ ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଶତପଥି, ଅସନପାଟ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ସାହୁ, ଭଗାମୁଣ୍ଡା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ସରୋଜ ନନ୍ଦ, ବକ୍ସବାରିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୀର୍ଥାନନ୍ଦ ସେଠୀ, ମୁରୁସୁଆଁ ଆଶ୍ରମ ବିଦ୍ୟାଳୟର ଉମେଶ ଚକ୍ର, ଜଗମୋହନ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁ, ଦେହୁରୀପଶି ହାଇସ୍କୁଲର ପ୍ରଧାନଶିକ୍ଷକ ଦାମୋଦର ପଣ୍ଡା, କୋଡିପଶା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ନାୟକ, ଖଜୁରୀବାଣି ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁ, ଜାଲି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ବେହେରା, ଗଦୁଆଁ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଳମଣି ଜେନା ଏବଂ ନରଣପୁର ଉଚ୍ଚ ବିଦ୍ୟାଳୟର ସୋମନାଥ ଆଇଚ, ଦେବଦ୍ରତ ପାଣିଗ୍ରାହୀ, ପଦ୍ମଲୋଚନ ମହାନ୍ତଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୨୯ଟି ଉଚ୍ଚ ବିଦ୍ୟାଳୟ, ୫୧ଟି ଆଶ୍ରମ ବିଦ୍ୟାଳୟ, ୩ଟି ସେବାଶ୍ରମ, ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨ଟି ଏଜୁକେସନାଲ କଂପ୍ଲେକ୍ସ ଓ ରାଙ୍କିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ଜିଲ୍ଲାସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ସମୁଦାୟ ୧୪୦୦ଜଣ ଛାତ୍ରଛାତ୍ରୀ ଏବଂ ୧୧୦ଜଣ ଗାଇଡ ଶିକ୍ଷକ ଅଂଶଗ୍ରହଣ କରିଥିବାବେଳେ ବିଜ୍ଞାନମେଳାରେ ୩୦ଟି ପ୍ରକଳ୍ପରେ ୬୦ ଜଣ ଶିଶୁ ବିଜ୍ଞାନୀ ଏବଂ ୩୦ଜଣ ଗାଇଡ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.