Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ: ପଲିଓ-କୋଭିଡ୍‍ ଟିକାକରଣ ଉପରେ ଗୁରୁତ୍ୱ

ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ: ପଲିଓ-କୋଭିଡ୍‍ ଟିକାକରଣ ଉପରେ ଗୁରୁତ୍ୱ

21

ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ପଲସ୍ ପୋଲିଓ ଏବଂ କୋଭିଡ-୧୯ ଟିକାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସ୍ଥିତ ଏଫ-ଏମ- ମେଡିକାଲ କଲେଜ ଶିକ୍ଷାଦାନ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ-ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରି କୋଭିଡ୍‌-୧୯ ଓ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖୁବ ଶୀଘ୍ର କୋଭିଡ-୧୯ ଟିକା ଉପଲବଧ ହେବା ନେଇ ଆଶାପ୍ରକଟ କରାଯାଇଥିବା ବେଳେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା କିଭଳି ଆରମ୍ଭ କରାଯିବ ସେ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ କୋଭିଡ-୧୯ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି କ୍ରମେ ଜିଲ୍ଲାର ବିଭିନ୍ନ ଅଂଚଳରୁ ତଥ୍ୟ ସଂଗ୍ରହ କାମ ଶେଷ ପର୍ଯ୍ୟାୟରେ ପହଂଚିଥିବା ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଂଚଳ ସ୍ତରରେ ଟାସ୍କ ଫୋର୍ସ ବୈଠକ ଆଗାମୀ ତିନି ଦିନ ମଧ୍ୟରେ ସାରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ-୧୯ ଟିକାକୁ ରଖିବା ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା, ଟିକାକରଣ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟୋଜିତ କରିବା ସହିତ ଉପଯୁକ୍ତ ସ୍ଥାନ ଚୟନ କରିବା, ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା କରିବା, ସ୍ୱୟଂ ସହାୟକ ଗୋଷ୍ଠୀ, ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାମାନଙ୍କୁ ଏଥିରେ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ନିୟମିତ ବ୍ୟବଧାନରେ ପ୍ରତି ସପ୍ତାହରେ ଏ ସମ୍ପର୍କରେ ସମୀକ୍ଷା କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବୈଠକରେ ଆସନ୍ତା ଜାନୁୟାରୀ ୧୭, ୧୮ ଓ ୧୯ତାରିଖରେ ହେବାକୁ ଥିବା ପଲସ ପୋଲିଓ ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଅଭିଯାନରେ ଜିଲ୍ଲାର ସମସ୍ତ ବ୍ଲକର ଶିଶୁମାନଙ୍କୁ(୦ରୁ ୫ର୍ଷ) ପଲସ ପୋଲିଓ ଟିକାଦାନ କରାଯିବା ପାଇଁ ସ୍ଥିର ହୋଇଛି। ଏହାକୁ ସଫଳ କରିବା ଏବଂ ଟିକାକରଣରୁ କୌଣସି ଶିଶୁ ଯେପରି ବାଦ ନ ପଡନ୍ତି ସେଥିଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଯଥେଷ୍ଟ ସଂଖ୍ୟାରେ ଗାଡି ତଥା ବୁଥ ମାନଙ୍କରେ କର୍ମଚାରୀ ଏବଂ ସୁପରଭାଇଜର ନିୟୋଜିତ କରିବା, ସବୁ ବୁଥଗୁଡିକରେ ଯଥେଷ୍ଟ ସଂଖ୍ୟାରେ ଟିକା ମହଜୁଦ କରି ରଖିବା, ମୋବାଇଲ ଟିମ ଗଠନ କରିବା ଏବଂ ବୁଥ ଗୁଡିକରେ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ନଜର ରଖିବା ଉପରେ ଆଲୋଚନା କରାଯାଇଥିଲା। ଆଜିର ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ, ଏ-ଡି-ଏମ-ଓ-(ପରିବାର କଲ୍ୟାଣ) ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଏ-ଡି-ଏମ-ଓ(ମେଡିକାଲ) ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀ, ବିଭିନ୍ନ ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ଉପସ୍ଥିତ ଥିଲେ। ଡିଏମଆରସିଏଚ ଏଲିନା ସାମଲ ଟିକାକରଣ ଅଭିଯାନ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଡିପିଏମ ଅନୀଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.