Home ଜିଲ୍ଲା ପରିକ୍ରମା ଜିଲା ଶିକ୍ଷା ବିଭାଗ ନକଲି ଶିକ୍ଷକଙ୍କୁ ଘଣ୍ଟ ଘୋଡାଉଛି

ଜିଲା ଶିକ୍ଷା ବିଭାଗ ନକଲି ଶିକ୍ଷକଙ୍କୁ ଘଣ୍ଟ ଘୋଡାଉଛି

64

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ମାଳମାଳ ନକଲି ଶିକ୍ଷକ । ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଠାରୁ ନେଇ ଜାତିଗତ, ଆବାସିକ ପ୍ରମାଣପତ୍ରର ଯାଞ୍ଚ ପ୍ରତ୍ୟେକ ବର୍ଷ ଚାଲିଛି । ମାତ୍ର ନକଲି ଶିକ୍ଷକମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହାଁନ୍ତି ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ବିଭାଗୀୟ କର୍ମଚାରୀ । ଏହି ଯାଞ୍ଚ କାର୍ଯ୍ୟ ଧର୍ମକୁ ଆଖିଠାର ବୋଲି ସବୁଠି ଚର୍ଚ୍ଚା । କାରଣ ନକଲିମାନଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ହେଉଥିବା ବିଭାଗୀୟ ଯାଞ୍ଚ କାର୍ଯ୍ୟ ଲୋକ ଦେଖାଣିଆ ବୋଲି ଅଭିଯୋଗ ହୋଇଛି । ଜାଲ୍ ପ୍ରମାଣପତ୍ରରେ ନିଯୁକ୍ତି ପାଇ ସମସ୍ତ ସରକାରୀ ସୁବିଧା ନେଉଥିବା ଶିକ୍ଷକମାନେ ବେଫିକର । ସ୍କୁଲକୁ ଯାଇ କ୍ଲାସ୍ ବି ନେଉଛନ୍ତି । ଯାଞ୍ଚ ସମୟରେ ବିଭାଗୀୟ ଯାଞ୍ଚ କରୁଥିବା ଟିମ୍‌କୁ ସମସ୍ତ ପ୍ରକାର ସହଯୋଗ ମଧ୍ୟ କରୁଛନ୍ତି । କିନ୍ତୁ ଫଳ ଶୂନ । ଏପରିକି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରି ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଚାକିରୀ ଛଡାଇ ନେଇଥିବା କେତେକ ଶିକ୍ଷକମାନଙ୍କ ସଂପର୍କରେ ସ୍ପଷ୍ଟ ପ୍ରମାଣ ଥିବା ସତ୍ୱେ ଜିଲା ଶିକ୍ଷା ବିଭାଗ ଏ ସମସ୍ତ ନକଲି ଶିକ୍ଷକମାନଙ୍କ ଉପରେ କୋହଳ ମନୋଭାବ ପୋଷଣ କରିଚାଲିଛି ବୋଲି ଅଭିଯୋଗ କରିଛନ୍ତି । ସୂଚନା ଅଧିକାର କର୍ମୀ ବିକାଶ ଧଳ ।

ଚାରିଦିନ ପୂର୍ବେ ନିଯୁକ୍ତି ସମୟରେ ଜାଲ୍ କାରବାର କରି ଚାକିରୀ ହରାଇଛନ୍ତି ବାସୁଦେବପୁର ବ୍ଲକ୍ ଅଟଳ ବିହାରୀ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସୁଜାତା ପୁହାଣ ଓ ବନ୍ତ ବ୍ଲକ୍ ଅଧୀନସ୍ଥ ପୁରୁଷଣ୍ଢ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବରିଆଲ ଟୁଡୁ । ଏହି ଦୁଇଟି ଘଟଣା ହେଉଛି କେବଳ ଉଦାହରଣ । ଜିଲାରେ ଶହ ଶହ ଏହିପରି ଜାଲ୍ ପ୍ରମାଣପତ୍ରରେ ଚାକିରୀ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି । ସ୍ପଷ୍ଟ ପ୍ରମାଣ ମିଳିବା ପରେ ମଧ୍ୟ ସୁଜାତାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଜିଲା ଶିକ୍ଷା ବିଭାଗ ଅଧିକାରୀଙ୍କୁ ଲାଗିଯାଇଛି ୪ ବର୍ଷ । ସେହିପରି ଶ୍ରୀ ଟୁଡୁଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନି ଏହି ବିଭାଗ । ଜିଲା ଶିକ୍ଷାଧିକାରୀ କୌଣସି ରାଜନୈତିକ ଚାପରେ ନୀରବ ବସିଛନ୍ତି ନା ଚୁପ୍ ବସିବା ପଛରେ ଆଉ କିଛି କାରଣ ରହିଛି, ତାକୁ ନେଇ ଉଠିଛି ପ୍ରଶ୍ନ । ସୂଚନାଯୋଗ୍ୟ ଶ୍ରୀମତୀ ପୁହାଣ ଗୋଟିଏ ସମୟରେ (୨୦୦୪-୦୬) ଉଭୟ +୨ ଧନ୍ଦାମୂଳକ ଶିକ୍ଷା ଓ +୩ ବିଜ୍ଞାନ ପାଠ୍ୟକ୍ରମରେ ନାମ ଲେଖାଇ ପାସ୍ କରିଥିଲେ । ଧନ୍ଦାମୂଳକ ପ୍ରମାଣପତ୍ର ଆଧାରରେ ସେ ଚାକିରୀ ପାଇଥିଲେ । ଏ ସଂପର୍କରେ ଅଭିଯୋଗ ହେବା ପରେ ବିଭିନ୍ନ ସ୍ତରରେ ଏହାର ତଦନ୍ତ ହୋଇଥିଲା । ବାଲେଶ୍ୱର ଭିଜିଲାନ୍ସ ବିଭାଗ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦଖଲ ତଦନ୍ତ ରିପୋର୍ଟରେ ଶ୍ରୀମତୀ ପୁହାଣଙ୍କ ବେଆଇନ୍ କାର୍ଯ୍ୟ ସଂପର୍କରେ ସ୍ପଷ୍ଟା କରାଯାଇଥିଲା । ଏହା ସତ୍ୱେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।

ଅଚ୍ୟୁତାନନ୍ଦ ନାୟକ ନାମକ ଜନୈକ ବ୍ୟକ୍ତି ଏହି ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ମାର୍ଚ୍ଚ ମାସ ହାଇକୋର୍ଟ ଏହି ପ୍ରସଙ୍ଗରେ ସଂପୃକ୍ତା ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାୟ ଶୁଣାଇଥିଲେ । ଏହା ପରେ ବି ଜିଲା ଶିକ୍ଷା ବିଭାଗ ଚୁପ୍ ବସିଥିଲା । ମାତ୍ର କୋର୍ଟ ଅବମାନନା ମାମଲା ରୁଜୁ ହେବା ସ ସୂଚନା ଅଧିକାର କର୍ମୀ ଶ୍ରୀ ଧଳ ଏ ବିଷୟରେ ଗଣଶିକ୍ଷା ବିଭାଗ ସଚିବଙ୍କୁ ଅବଗତ କରିବା ପରେ ଶିକ୍ଷା ବିଭାଗ ପ୍ରଶାସନ ଉପରେ ଚାପ ବଢିଥିଲା । ତେଣୁ ଶ୍ରୀମତୀ ପୁହାଣଙ୍କୁ ବହିଷ୍କାର କରାଯାଇଥିଲା ବୋଲି ଅନୁମାନ କରାଯାଉଛି । ତେବେ ବନ୍ତ ବ୍ଲକ୍‌ର ଶ୍ରୀ ଟୁଡୁ ଏବେ ଶିକ୍ଷା ବିଭାଗ ପାଇଁ ବ୍ୟତିକ୍ରମ । ସେ କେନ୍ଦୁଝର ଜିଲାର ଅଧିବାସୀ ହୋଇ ମଧ୍ୟ ଜାଲ୍ ଆବାସିକ ପ୍ରମାଣପତ୍ର ବନ୍ତ ବ୍ଲକ୍‌ରୁ ହାସଲ କରି ଚାକିରୀ ପାଇଛନ୍ତି । ଏହା ପ୍ରମାଣିତ ମଧ୍ୟ ହୋଇସାରିଛି । କିନ୍ତୁ ସିଧାସଳଖ ତାଙ୍କ ପଛରେ ରାଜନୈତିକ ଆଶୀର୍ବାଦ ରହିଛି ବୋଲି କହି ଶ୍ରୀ ଟୁଡୁ ନିଜ ଆସନରେ ବସିଛନ୍ତି । ଜିଲା ଶିକ୍ଷା ବିଭାଗ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହିଁ । ଜିଲ୍ଲାରେ ଏହିପରି ଶହ ଶହ ଶିକ୍ଷକ ଜାଲ୍ ପ୍ରମାଣପତ୍ର ବଳରେ ଚାକିରୀ କରିଛନ୍ତି । କିନ୍ତୁ ସବୁକିଛି ଜାଣି ମଧ୍ୟ ଯାଞ୍ଚ ଅଧିକାରୀମାନେ ଚୁପ୍ ବସିଛନ୍ତି । ତେଣୁ ଏବେ ନକଲି ଶିକ୍ଷକଙ୍କ ସଂପର୍କରେ ଚାଲିଥିବା ଯାଞ୍ଚ କାର୍ଯ୍ୟ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.