Home ଜିଲ୍ଲା ପରିକ୍ରମା ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ସଂକୀର୍ତ୍ତନରେ ରାମଧୂନ ପରିକ୍ରମା

ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ସଂକୀର୍ତ୍ତନରେ ରାମଧୂନ ପରିକ୍ରମା

15

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ନିର୍ଦ୍ଦେଶ ମତେ କୋଭିଡ଼୍ କଟକଣା ଅନୁପାଳନ ପୂର୍ବକ ଆଜି ଭଦ୍ରକ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପରିକ୍ରମା କରାଯିବା ସହ ସଂସ୍କୃତି ଭବନରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ସଂସ୍କୃତି ବିଭାଗ ଦ୍ୱାରା ପ୍ରଥମ ଥର ପାଇଁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ୩୦ଜଣ ଙ୍କୁ ନେଇ ସଂକୀର୍ତ୍ତନ କରି ସକାଳ ୬ ଟାରୁ ୭ଟା ମଧ୍ୟରେ ରାମଧୂନ ପରିକ୍ରମା କରାଯାଇଥିଲା । ଏହି ସଂକୀର୍ତ୍ତନ ଦଳ ଜିଲ୍ଲା ସଂସ୍କୃତି ଭବନରୁ ବାହାରି ଗାନ୍ଧି ପଡ଼ିଆ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଏହି ଉତ୍ସବ ପାଳନର ମୁଖ୍ୟ ଅତିଥି ଭାବେ ଗାନ୍ଧୀ ପଡ଼ିଆରେ ଥିବା ଗାନ୍ଧୀଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ମଧ୍ୟ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅତିଥିମାନେ ମହତାବ କୋଠି, ଜିଲ୍ଲା ସ୍କୁଲ ଓ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ ।

ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ସଂସ୍କୃତି ଭବନରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ସେଠାରେ ଅତିଥିମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିଥିଲେ । ଗୀତା, ବାଇବେଲ୍ ଏବଂ କୋରାନ ପାଠ କରାଯାଇଥିଲା । ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଗୀତା, ଏକରମ୍ ଖାଁ କୋରାନ ଓ ସାମୁଏଲ୍ ବାରିକ୍ ବାଇବେଲ ପାଠ କରିଥିଲେ । ଗାନ୍ଧୀ ବାଳାଶ୍ରମର ପିଲାମାନେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୁ ଗାନ କରିଥିଲେ । ଅତିଥିମାନେ ଗାନ୍ଧୀଙ୍କ ସତ୍ୟ, ଅହିଂସା ତଥା ଭାରତୀୟ ମୁକ୍ତି ସଂଗ୍ରାମରେ ତାଙ୍କର ତ୍ୟାଗପୂତ ଅବଦାନ ଓ ନୀତିନିଷ୍ଠ ଶାସ୍ତ୍ରୀଙ୍କ ଆଦର୍ଶ ବ୍ୟକ୍ତିତ୍ୱର କଥା ସମ୍ବନ୍ଧରେ ସ୍ମୃତିଚାରଣ କରି ତାଙ୍କ ନୀତି ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଦିବସ ଭିତ୍ତିକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂପୃକ୍ତ ବିଭାଗୀୟ କର୍ମଚାରୀ ତାପସ କୁମାର ନାୟକ, ଜୟ ଅମରଦୀପ ସୁକାନ୍ତ ସାହୁ, ଅଜୟ ନାୟକ, ବିକାଶ ରଞ୍ଜନ ବଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.