Home ଜିଲ୍ଲା ପରିକ୍ରମା ଜାଲ ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମଲେଖା ମହଙ୍ଗା ପଡିଲା, ୨୮ ବିଦ୍ୟାର୍ଥୀଙ୍କ ଆଡମିଶନ ରଦ୍ଦ ପାଇଁ ନିର୍ଦ୍ଦେଶ

ଜାଲ ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମଲେଖା ମହଙ୍ଗା ପଡିଲା, ୨୮ ବିଦ୍ୟାର୍ଥୀଙ୍କ ଆଡମିଶନ ରଦ୍ଦ ପାଇଁ ନିର୍ଦ୍ଦେଶ

101

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମ ଲେଖାଇବା କିଛି ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏପରି ଜାଲ ପ୍ରମାଣପତ୍ର ଦେଇଥିବା ୨୮ ଜଣ ବିଦ୍ୟାର୍ଥୀଙ୍କ ନାମଲେଖା ରଦ୍ଦ ପାଇଁ ଉଚ୍ଚ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ପତ୍ରାଙ୍କ ୭୫୭୫/୨୨/୨ ରେ ଓସିଏସି ଜେନେରାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏହି ୨୮ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାକାର ମଧ୍ୟକୁ ଠେଲି ହୋଇଯାଇଛି । ଉଚ୍ଚ ଶିକ୍ଷା ଉପନିର୍ଦ୍ଦେଶକଙ୍କ ଏହି ନିର୍ଦ୍ଦେଶନାମା ଅନୁଯାୟୀ ଏ ସମସ୍ତ ଛାତ୍ରମାନେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ଭଦ୍ରକ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ତେଣୁ ସେମାନଙ୍କ ଆଡମିଶନ ରଦ୍ଦ କରିବା ଦିଗରେ ଷ୍ଟୁଡେଣ୍ଟସ୍ ଏକାଡେମିକ୍ ମ୍ୟାନେଜମେଣ୍ଟ ସହ ସମନ୍ୱୟ ରଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ ଭଦ୍ରକ ଜିଲାର ଗୌରବ ବହନ କରୁଥିବା ରାଜ୍ୟର ଦ୍ୱିତୀୟ ସର୍ବ ପୁରାତନ ଭଦ୍ରକ ମହାବିଦ୍ୟାଳୟରେ ନାମ ଲେଖା ସମୟରେ ଦୀର୍ଘବର୍ଷ ଧରି ଜାଲିଆତି ଚାଲିଥିଲା । ମେଧାବୀ ଛାତ୍ରଙ୍କ ସ୍ୱାର୍ଥକୁ ବଳି ପକାଇ ସିଟ୍ ବିକ୍ରି କରାଯାଉଥିଲା । ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୨୪୧ ବିଦ୍ୟାର୍ଥୀ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବାର ଅଭିଯୋଗ ହୋଇଥିଲା । ଜଣେ ପ୍ରାକ୍ତନ ଛାତ୍ର ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିବା ପରେ ଏପରି ଜାଲ୍ କାରବାରର ପର୍ଦ୍ଦାଫାସ୍ ହୋଇଥିଲା ।

୭ ଜଣ ବିଦ୍ୟାର୍ଥୀ ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମ ଲେଖାଇଥିବା ସ୍ପଷ୍ଟ ହେବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ୯୬ ଜଣଙ୍କ ପ୍ରମାଣପତ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ଏହାର ସତ୍ୟତା ପରଖିବାକୁ ପଠାଇଥିଲେ । ମୁଖ୍ୟ ଚିକିତ୍ସାଧିକାରୀଙ୍କ ରିପୋର୍ଟ ଆଧାରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଏ ସଂପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି । ଏପରି ସରକାରୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୮ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ତେବେ ଏ ସମସ୍ତ ବିଦ୍ୟାର୍ଥୀଙ୍କୁ ଜାଲ୍ ପ୍ରମାଣପତ୍ର ଯୋଗାଇ ନାମ ଲେଖା ଦିଗରେ ଏକ ର‌୍ୟାକେଟ୍ କାମ କରୁଥିବାର ଅଭିଯୋଗ ଆସିଥିଲା । ଶାସକ ଦଳର ୨ ଜଣ ଯୁବନେତା ଏହି ର‌୍ୟାକେଟ୍‌ରେ କିଙ୍ଗପିନ୍ ବୋଲି ଅଭିଯୋଗ ଆସିଥିଲା । ଜାଲ୍ ପ୍ରମାଣପତ୍ରରେ ନାମ ଲେଖାଇ ଧରାପଡିଥିବା କେତେକ ଛାତ୍ର ସିଧାସଳଖ ଏହି ୨ ଶାସକ ଦଳର ଯୁବନେତାଙ୍କ ନାମ ନେଇଥିଲେ । ଅପରପକ୍ଷେ ଜିଲା ବିକଳାଙ୍ଗ ମଂଚ ପକ୍ଷରୁ ଏଥିନେଇ ଗଭୀର ଉଦ୍‌ବେଗ୍ ପ୍ରକାଶ ପାଇଥିଲା । ଭିନ୍ନକ୍ଷମଙ୍କ ହକ୍ ଛଡାଇ ନିଆଯାଉଥିବା ଅଭିଯୋଗ କରି ମଂଚ ପକ୍ଷରୁ ଆନ୍ଦୋଳନ ଓ ଆମରଣ ଅନଶନ କରିବାର ଧମକ ଦିଆଯାଇଥିଲା । ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ଏହି ଜାଲ୍ ପ୍ରମାଣପତ୍ର ଯୋଗୁଁ ବହୁ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଥିବାବେଳେ ନିଜର ବ୍ୟକ୍ତିଗତ ଓ ଆର୍ଥିକ ସ୍ୱାର୍ଥ ସାଧନା ପାଇଁ ଯେଉଁ ମାଷ୍ଟରମାଇଣ୍ଡ ନେପଥ୍ୟ ନାୟକ ସାଜିଥିଲେ; ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.