ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଶିକ୍ଷା ବିଭାଗରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ଜାଲ୍ ଶିକ୍ଷକଙ୍କୁ ଧରିବା ପାଇଁ ପ୍ରମାଣପତ୍ର ଯାଂଚ ପ୍ରକ୍ରିୟାକୁ ତ୍ୱରାନ୍ନିତ କରୁଥିବା ବେଳେ ଜାଲ ପ୍ରମାଣପତ୍ର ଧାରୀ ଶିକ୍ଷକଙ୍କ ଖୋଦ ଶିକ୍ଷା ବିଭାଗ ରକ୍ଷକ ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ । ସୂଚନା ଅନୁଯାୟୀ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୫ ମସିହା ଜାନୁଆରୀ ୩ ତାରିଖରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ବାରିଆଲ ଟୁଡ଼ୁ ନାମକ ଜଣେ ବ୍ୟକ୍ତିଙ୍କୁ ସ୍ୱେଚ୍ଛାସେବା ସହାୟକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ପ୍ରଥମେ ବନ୍ତ ବ୍ଲକ ଆଗରପଡ଼ାସ୍ଥ ପୁରୁଷଣ୍ଢ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ । ପରବର୍ତ୍ତୀ ସମୟରେ ସେ ଉକ୍ତ ବିଦ୍ୟାଳୟ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ମାତ୍ର ସୂଚନା ଅଧିକାର ଆଇନ ବଳରେ ତାଙ୍କ ଚାକିରୀ ପ୍ରମାଣପତ୍ରର ସମସ୍ତ ତଥ୍ୟ ହସ୍ତଗତ ହେବା ପରେ ସେ ଜାଲ୍ ଆବାସିକ ପ୍ରମାଣପତ୍ର ଦେଇ ଚାକିରୀ ପାଇଥିବା ଜଣାପଡ଼ିଥିଲା । ସେ ଚାକିରୀ ପାଇଁ ଆବେଦନ କରିଥିବା ସମୟରେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତ ଅନୁଯାୟୀ ନିଜ ଜିଲ୍ଲାର ପ୍ରାର୍ଥୀହିଁ କେବଳ ଆବେଦନ କରିବା କଥା କିନ୍ତୁ ଶ୍ରୀ ଟୁଡ଼ୁ କେନ୍ଦୁଝର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ସ୍ଥଳେ ଭଦ୍ରକ ଜିଲ୍ଲାର ଏକ ଜାଲ ଆବାସିକ ପ୍ରମାଣପତ୍ର ପ୍ରଦାନ କରି ଚଂଚକତାର ସହ ଚାକିରୀକୁ ହାତେଇଥିଲେ । ଉକ୍ତ ଜାଲ ପ୍ରମାଣପତ୍ର ବଳରେ ସେ ଆଜକୁ ୧୬ ବର୍ଷ ଧରି ଚାକିରୀ କରି ଆସୁଛନ୍ତି ।
ତାଙ୍କ ବିରୁଦ୍ଧରେ ଏସଂପର୍କରେ ବିଧିବଦ୍ଧ ଅଭିଯୋଗ ଆସିବା ପରେ ବନ୍ତ ବ୍ଲକ ଶିକ୍ଷାଧିକାରୀ ନିଜ ପତ୍ରାଙ୍କ ୧୬୧୧/୦୯.୦୭.୨୦୨୧ ମୂଳେ ଅଭିଯୋଗର ତଦନ୍ତ ପାଇଁ ତାଙ୍କ ବିଭାଗର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ ଓ ଏପିଆଇଓ ଅଜୟ କୁମାର ପୃଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ତଦନ୍ତ ଅଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ ଶ୍ରୀ ଟୁଡ଼ୁ ନିଯୁକ୍ତିଦାତା(ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ)ଙ୍କ ଦ୍ୱାରା କାର୍ଯାନୁଷ୍ଠାନ ପରିସର ଭୂକ୍ତ ହେବା କଥା । କିନ୍ତୁ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁକମ୍ପା ଯୋଗୁଁ ତଦନ୍ତ କରିଥିବା ଦୁଇ ଅଧିକାରୀଙ୍କ ରିପୋର୍ଟ ଦାଖଲକୁ ୩ମାସ ବିତିଯାଇଥିଲେ ସୁଦ୍ଧା ଶ୍ରୀ ଟୁଡ଼ୁଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ । କାରଣ ଏହା ଜିଲ୍ଲା ଶିକ୍ଷାଧିକାରୀଙ୍କ ହସ୍ତଗତ ହୋଇ ନାହିଁ । ଅପରପକ୍ଷରେ ଶ୍ରୀ ଟୁଡ଼ୁଙ୍କୁ ପଦନ୍ନୋତି ଦେଇ ଶିକ୍ଷା ବିଭାଗ ଚର୍ଚ୍ଚାରେ ଅଛି । ଉପରୋକ୍ତ ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ତଦନ୍ତ ରିପୋର୍ଟ ଗତ ଶନିବାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମେଲ ଯୋଗେ ପଠାଇଥିବା କହୁଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଆଜି ସୁଦ୍ଧା ଏହା ପାଇ ନଥିବା କହିଛନ୍ତି । ଶିକ୍ଷା ବିଭାଗର ଏହିପରି କାର୍ଯ୍ୟକଳାପ ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲୋଟି ଥିବା ବେଳେ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ସଂସ୍କାରର ପ୍ରୟାସ ପ୍ରହସନରେ ପରିଣତ ହୋଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।