Home ଜିଲ୍ଲା ପରିକ୍ରମା ଜଳାଶୟ ଆବର୍ଜନା କୁଣ୍ଡ ପାଲଟିବାରୁ ଜଳ ହେଲା ଜହର

ଜଳାଶୟ ଆବର୍ଜନା କୁଣ୍ଡ ପାଲଟିବାରୁ ଜଳ ହେଲା ଜହର

58

ନୟାଗଡ ୨୩/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି। ଯେଉଁଥିରେ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ହେଉଛି। ଏପରିକି ପବିତ୍ର ଗଙ୍ଗାନଦୀ ଜଳକୁ ସ୍ୱଚ୍ଛ କରିବା ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ ଅନେକ ଯାଗାରେ ସ୍ୱଚ୍ଛ ଭାରତ ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ପରିବେଶ ଓ ଜଳାଶୟ ବି ପ୍ରଦୂଷିତ ହେବାର ଦେଖାଯାଉଛି। ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚାୟତ ଲତାର ହଜବନ୍ଧ ଜଳାଶୟରେ। ଜଳାଶୟଟି ଆବର୍ଜନା କୁଣ୍ଡ ପାଲଟିଛି। ରାଜରାଜୁଡା ଅମଳରୁ ୭ ଏକର ବିଶିଷ୍ଟ ହଜବନ୍ଧ ଜଳାଶୟ ରହିଛି। ଯେଉଁ ଜଳାଶୟରେ ବଡ ଲତାର ଓ ସାନ ଲତାର ଗ୍ରାମବାସୀମାନେ ସ୍ନାନାଦି କର୍ମ କରିଥାନ୍ତି। ଏହି ଜଳାଶୟର ନିକଟରେ ରହିଛି ହନୁମାନ ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର ଓ ବ୍ରାହ୍ମଣୀଦେବୀ ଠାକୁରାଣୀ ମନ୍ଦିର। କିନ୍ତୁ ଜଳାଶୟଟି ଆବର୍ଜନା କୁଣ୍ଡ ପାଲଟିବା ଯୋଗୁଁ ସ୍ନାନ କଲେ ଦେହ ହାତ କୁଣ୍ଡେଇ ହେବା ସହ ବିଭିନ୍ନ ଚର୍ମ ରୋଗ ହେଉଛି। ଜଳାଶୟର ଜଳ ଜହର ପାଲଟିବା ଯୋଗୁଁ ଏବେ ପରିତକ୍ତ ଅବସ୍ଥାରେ ରହିଅଛି।

ଅଥଚ ବ୍ରଜରାଜପୁର ଗ୍ରାମପଞ୍ଚାୟତର ୨୦ ଗୋଟି ୱାର୍ଡ ପାଇଁ ୩୫ ଗୋଟି ଆବର୍ଜନା କୁଣ୍ଡ ଲକ୍ଷାଧିକ ଟଙ୍କା ବ୍ୟୟରେ କିଣା ଯାଇଛି। ଆବର୍ଜନା କୁଣ୍ଡରୁ ଆବର୍ଜନା ସଂଗ୍ରହ ପାଇଁ ଏକ ଟ୍ରାକ୍ଟର କୁ ବିନିଯୋଗ କରି ଅର୍ଥ ଖର୍ଚ୍ଚ ଚାଲିଛି। ହେଲେ ବଡ ଲତାର ଓ ସାନ ଲତାର ୪ ଗୋଟି ୱାର୍ଡ ମଧ୍ୟରେ ଆବର୍ଜନା କୁଣ୍ଡ ଦେଖିବାକୁ ମିଳୁନାହିଁ। ଏ ସର୍ମ୍ପକେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୁନେଶ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଦେଖିବାକୁ ପଡିବ କାହିଁକି ଲତାର ଗ୍ରାମରେ ଆବର୍ଜନା କୁଣ୍ଡ ବସାଯାଇନାହିଁ। ଏ ସର୍ମ୍ପକରେ ସରପଞ୍ଚ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ପଞ୍ଚାୟତର ଶ୍ୟାମଘନପୁର, ଚମ୍ପତିପୁର, ବାଙ୍କପୁର, ଚନ୍ଦ୍ରମାଦେଇପୁର, ଗୋଳାପୋଖରୀ, ବ୍ରଜରାଜପୁର, ହିଞ୍ଜଳଗାଡିଆ, ବାମଡା, କୁଞ୍ଜବନ, ଇଚ୍ଛାପୁର ୧୬ ଗୋଟି ୱାର୍ଡରେ ଆବର୍ଜନା କୁଣ୍ଡ ବସାଯାଇଛି। ମାସକରେ ଥରେ କୁଣ୍ଡରେ ଥିବା ଆବର୍ଜନାକୁ ଟ୍ରାକ୍ଟର ଯୋଗେ ସଂଗ୍ରହ କରାଯାଉଛି। କିନ୍ତୁ ଲତାର ଗ୍ରାମରେ ଥିବା ୪ ଗୋଟି ୱାର୍ଡ ର ୱାର୍ଡ ମେମ୍ବରଙ୍କୁ ଆବର୍ଜନା କୁଣ୍ଡନେଇ ଗାଁରେ ବସାଇବା ପାଇଁ କୁହାଯାଇଥିଲା। କିନ୍ତୁ ୱର୍ଡ ମେମ୍ବର ମାନେ ଦାୟିତ୍ୱ ନେଲେ ନାହିଁ। ଯାହାଫଳରେ ଲତାରରେ ଆବର୍ଜନାକୁଣ୍ଡ ବସିପାରିନାହିଁ। ଟ୍ରାକ୍ଟର ଯୋଗେ ଅନ୍ୟ ଆବର୍ଜନା କୁଣ୍ଡରୁ ଆବର୍ଜନା ସଂଗ୍ରହ ହେଉଥିବା କାହାର ଦୃଷ୍ଟି ଗୋଚର ହେଉନଥିବା ଅଭିଯୋଗ ହେଉଛି। ଜିଲ୍ଲା ସ୍ତରରେ ସ୍ୱାଚ୍ଛ ଭାରତ ତଦାରଖ କରୁଥିବା ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.