Home ଜିଲ୍ଲା ପରିକ୍ରମା ଜମିବାଡି ବିବାଦରୁ ଆକ୍ରମଣ, ୧୧ ଆହତ

ଜମିବାଡି ବିବାଦରୁ ଆକ୍ରମଣ, ୧୧ ଆହତ

28

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର କୋରକୋରା ଗ୍ରାମରେ ଶୁକ୍ରବାର ସକାଳ ପ୍ରାୟ ୬ଟା ସମୟରେ ଜମିବାଡି ବିବାଦରୁ ଆକ୍ରମଣ ହୋଇ ୧୧ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ଗୟାଧର ସାହୁ ଓ ମହେଶ୍ୱର ସାହୁଙ୍କ ମଧ୍ୟରେ ପୈତୃକ ଘରଡିହ ସୀମାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ବହୁବାର ମାପଚୁପ ହୋଇ ମଧ୍ୟ ବିବାଦ ଥମିନଥିଲା। ମହେଶ୍ୱର ବିବାଦୀୟ ଘରଡିହରେ ପୂର୍ବରୁ ଥିବା ନିଜ ଆବାସ ଯୋଜନା ଗୃହ ପଛପଟ ଗୁହାଳକୁ ଭାଙ୍ଗି ନୂତନ ଘର ନିର୍ମାଣ ପାଇଁ ପିଲର ଗାତ ଖୋଳିବାରୁ ସାନି ବିବାଦ ସୃଷ୍ଟି ହୋଇଥିଲା। ଏଥିନେଇ ସରପଞ୍ଚଙ୍କ ଇଜିଲାସରେ ବିବାଦ ସମାଧାନ ପାଇଁ ଗତ ସୋମବାର ବୈଠକ ବସିଥିଲା। ପଞ୍ଚାୟତ ନିଷ୍ପତ୍ତିକୁ ମହେଶ୍ୱର ଗ୍ରହଣ କରିଥିବା ବେଳେ ଗୟାଧର ଏଡାଇ ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲା। ସେହିଦିନ ଥାନାରେ ଉଭୟପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ୨ ଦିନ ମଧ୍ୟରେ ଗୟାଧର ଅମିନ ଆଣି ସୀମା ନିର୍ଦ୍ଧାରଣ କରିବାକୁ ସମୟ ଦିଆଯାଇଥିଲା। ଏଥିରେ ବ୍ୟତିକ୍ରମ ହେଲେ ୨ ଦିନ ପରେ ମହେଶ୍ୱର ଗ୍ରାମବାସୀଙ୍କୁ ଡକାଇ ସୀମା ଚିହ୍ନଟ କରିବାକୁ ସୁଯୋଗ ଦିଆଯାଇଥିଲା। ଗୟାଧର ଅମିନ ନଆଣିବାରୁ ମହେଶ୍ୱର ଗୁରୁବାର ଦିନ ଗ୍ରାମବାସୀଙ୍କୁ ଡକାଇ ସୀମା ଚିହ୍ନଟ ନେଇଥିଲା। ଆଜି ସକାଳେ ଗ୍ରାମବାସୀଙ୍କ ଉପସ୍ଥିତିରେ ମହେଶ୍ୱର ପୁଅ ରବିନ୍ଦ୍ର ପିଲର ଗାତ ଖୋଳୁଥିବା ବେଳେ ପୂର୍ବ ପ୍ରସ୍ତୁତି କ୍ରମେ ଗୟାଧର, ୨ ପୁତ୍ର ଶରତ, ମନୋଜ ଓ ସ୍ୱାମୀ ପରିତ୍ୟକ୍ତା କନ୍ୟା ମମିତା ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ମହେଶ୍ୱର ଓ ୨ ପୁତ୍ରଙ୍କ ସମେତ ମୋଟ ୧୧ ଜଣ ଗ୍ରାମବାସୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ମହେଶ୍ୱରଙ୍କ ଅଭିଯୋଗ କ୍ରମେ ପୁଲିସ ଗୟାଧର ଓ ୨ ପୁତ୍ରଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ଏଥିନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.