Home ଖୋର୍ଦ୍ଧା ଜନ୍ମମାଟି ବଙ୍ଗୁଆରୀରେ ସାମ୍ୟବାଦୀ ନେତା ରାମକୃଷ୍ଣ ପତିଙ୍କୁ ଶ୍ରଦ୍ଧାଞ୍ଜଳି

ଜନ୍ମମାଟି ବଙ୍ଗୁଆରୀରେ ସାମ୍ୟବାଦୀ ନେତା ରାମକୃଷ୍ଣ ପତିଙ୍କୁ ଶ୍ରଦ୍ଧାଞ୍ଜଳି

121

ଭୁବନେଶ୍ୱର ୧୫ା୬ (ଓଡ଼ିଆ ପୁଅ) : ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନର ପ୍ରମୁଖ ସାରଥୀ, ପଟିଆ ବନ୍ଧର ବିଶ୍ୱକର୍ମା, ପୂର୍ବତନ ବିଧାୟକ ସ୍ୱର୍ଗତ ରାମକୃଷ୍ଣ ପତିଙ୍କ ୩୪ତମ ଶ୍ରାଦ୍ଧୋତ୍ସବ ତାଙ୍କ ଜନ୍ମମାଟି ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡ ଅନ୍ତର୍ଗତ ବଙ୍ଗୁଆରୀରେ ରଜ ସଂକ୍ରାନ୍ତି ଦିନ ସାମାଜିକ ଦୂରତା ଅବଲମ୍ବନ କରାଯାଇ ପାଳନ କରାଯାଇଛି। ପ୍ରଥମେ କୁଆଖାଇ ନଦୀରେ ତିଳତର୍ପଣ କରାଯିବାପରେ ଅଧ୍ୟାପକ ରମାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବେଦବିଦ୍ୱାନ ସୁରେନ୍ଦ୍ରନାଥ ଛୋଟରାୟ, ଅଭୟ ବଡ଼ଜେନା, ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା, ଶିକ୍ଷାବିତ୍ ଶତ୍ରୁଘ୍ନ ସାହୁ, ନିର୍ମଳ ସାହୁ, ବଂଶୀଧର ସାହୁ, ସୁଦାମ ସାହୁ, ସଙ୍ଗୀତଜ୍ଞ ବଶିଷ୍ଠ ନାୟକ, ଚିତ୍ରଶିଳ୍ପୀ ନିର୍ମଳ ନାୟକ, ସମବାୟ ସଙ୍ଗଠକ ଅକ୍ଷୟ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ବାରିକ, ସରୋଜ ପାଢୀ, ଭାଗୀରଥି ଭଟ୍ଟ, ମାନସ ରାଉତରାୟ, ଶୈଳେନ୍ଦ୍ର ରାଉତରାୟ, ଦେବେନ୍ଦ୍ର ସାହୁ, ମୁରଲୀଧର ସାହୁ, ପ୍ରଫୁଲ୍ଲ ସାହୁ ପ୍ରମୁଖ ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନରେ ଭାଗନେଇ ରାମକୃଷ୍ଣ ବାବୁ କୃଷକ, ଶ୍ରମିକ, ଖଟିଖିଆ, ମେହେନତି ମଣିଷର ସ୍ୱାର୍ଥ ରକ୍ଷା ପାଇଁ ଆଜୀବନ ସଂଘର୍ଷ କରି ବହୁବାର ପୋଲିସ୍‌ର ଲାଠିମାଡ଼ ଓ ନିର୍ଯ୍ୟାତନାର ଶିକାର ହୋଇ କାରାବରଣ କରିଥିଲେ। ତାଙ୍କ ଉଦ୍ୟମରେ ପଟିଆ ବନ୍ଧ ନିର୍ମାଣ ହୋଇ ପଟିଆ ୧୯ ମୌଜାର ଫସଲ ରକ୍ଷା ପାଇଁ ତାଙ୍କ ଉଦ୍ୟମ ତାଙ୍କୁ ଚିରସ୍ମରଣୀୟ କରି ରଖିଛି ବୋଲି ବକ୍ତାମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ସଂଗ୍ରାମୀଙ୍କ ସ୍ମୃତିରକ୍ଷା ପାଇଁ ଗ୍ରାମବାସୀଙ୍କ ତରଫରୁ ନିଜ ଗ୍ରାମରେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା। ଏହା ବ୍ୟତୀତ ସରକାରଙ୍କ ତରଫରୁ ମଞ୍ଚେଶ୍ୱରଠାରୁ କାନପୁର ପର୍ଯ୍ୟନ୍ତ ଯାଇଥିବା ନଦୀବନ୍ଧ ରାସ୍ତା ପଟିଆବନ୍ଧକୁ ରାମକୃଷ୍ଣ ମାର୍ଗ ଘୋଷଣା ସହ ରାଜଧାନୀ ଭୁବନେଶ୍ୱରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ କରାଗଲା। ବିଧାୟକ ସୁଶାନ୍ତ କୁମାର ରାଉତ, ରାମକୃଷ୍ଣ ବାବୁଙ୍କ ଉପରେ ଖବରକାଗଜରେ ଏକ ପ୍ରବନ୍ଧ ଲେଖିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରି ରାଜକିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.