Home Coronavirus Outbreak ଜନଧନ ଓ ଉଜ୍ଜ୍ୱଳା ଯୋଜନାରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଳାହାଣ୍ଡି ଜିଲ୍ଲାର ହିତାଧିକାରୀ

ଜନଧନ ଓ ଉଜ୍ଜ୍ୱଳା ଯୋଜନାରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଳାହାଣ୍ଡି ଜିଲ୍ଲାର ହିତାଧିକାରୀ

1162

ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକଡାଉନ ଜାରି ହୋଇଛି। ଫଳରେ ଗରିବ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ଏହି ସଙ୍କଟପୂର୍ଣ୍ଣ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସାଧାରଣତଃ ପରିବାର ଚଳାଇବାର ବୋଝ ମହିଳାଙ୍କ ଉପରେ ରହୁଥିବାରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କେନ୍ଦ୍ରରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯାଉଛି। ତିନି ମାସ ପାଇଁ ମହିଳା ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ଠାରୁ ଏହି ସୁବିଧା ପାଇବେ। ଫଳରେ ଜନ ଧନ ଯୋଜନାର ମହିଳା ହିତାଧିକାରୀ ତିନି ମାସକୁ ୧୫୦୦ ଟଙ୍କା ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ତିନି ମାସରେ ତିନୋଟି ଗ୍ୟାସ ରିଫିଲ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଇତିମଧ୍ୟରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ବହୁ ସଂଖ୍ୟକ ହିତାଧିକାରୀ ଉପରୋକ୍ତ ଦୁଇଟି ଯୋଜନାରେ ପ୍ରଥମ ଦଫା ସହାୟତା ପାଇସାରିଛନ୍ତି। ସେମାନେ ବ୍ୟାଙ୍କ ଓ ଜନସେବା କେନ୍ଦ୍ର ଆଗରେ ସାମାଜିକ ଦୂରତା ରକ୍ଷା କରିବା ସହିତ ଧାଡ଼ି ବାନ୍ଧି ନିଜ ନିଜ ସହାୟତା ଅର୍ଥ ଗ୍ରହଣ କରିଛନ୍ତି। ଲକଡାଉନ ବେଳେ କାମଧନ୍ଦା ନଥିବାରୁ ଏପରି ଆର୍ଥିକ ସହାୟତା ସେମାନଙ୍କୁ ପରିବାର ଚଳାଇବାରେ ବିଶେଷ ସହାୟକ ହୋଇପାରିବ ବୋଲି ହିତାଧିକାରୀମାନେ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାର ଜଣେ ହିତାଧିକାରୀ ପ୍ରମିଳା ନାଗ କହିଛନ୍ତି ଯେ ଜନ ଧନ ଯୋଜନାରେ ୫୦୦ ଟଙ୍କା ପାଇଛି। ଉଜ୍ଜ୍ୱଳା ଯୋଜନାରେ ୮୦୦ ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି। ଏବେ କାମ ଧନ୍ଦା ନଥିବା ବେଳେ ଏହି ଅର୍ଥ ପରିବାର ଚଳାଇବାରେ ବେଶ ସହାୟକ ହୋଇପାରିବ। ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଆଉ ଜଣେ ମହିଳା ହିତାଧିକାରୀ ରାଜେଶ୍ୱରୀ ନାଗ କହିଛନ୍ତି କାମଦାମ ନଥିବା ବେଳେ ଏହି ସହାୟତା ପାଇଥିବାରୁ ଆମେ ସୁବିଧାରେ ଚଳିପାରିବୁ। ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଭବାନୀପାଟଣା ଠାରୁ ୨୧ କିମି ଦୂର ମେଦିନିପୁର ଗ୍ରାମର ୫୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ରିଫିଲ କରାଯାଇଛି। ଗ୍ୟାସ ଏଜେନ୍ସି ପକ୍ଷରୁ ହିତାଧିକାରୀଙ୍କ ଘର ପାଖରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଏଭଳି ଅସୁବିଧା ସମୟରେ ମାଗଣାରେ ରୋଷେଇ ଗ୍ୟାସ ଯୋଗାଇ ଦେଇଥିବାରୁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା କେନ୍ଦ୍ରୀୟ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଉପକୃତ ହୋଇଥିବା ବହୁ ହିତାଧିକାରୀ ମଧ୍ୟ ସହାୟତା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ କୋଭିଡ-୧୯ ଲକଡାଉନ କାରଣରୁ କାମଧନ୍ଦା ହରାଇଥିବା ଦେଶର ଗରିବ ଲୋକଙ୍କ କଲ୍ୟାଣ ଲାଗି ଗତ ୨୬ ମାର୍ଚ୍ଚ, ୨୦୨୦ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ତଦନୁଯାୟୀ, ବିଭିନ୍ନ ଜନହିତକାରୀ ଯୋଜନାରେ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବର୍ତମାନସୁଦ୍ଧା ୧୬.୦୧ କୋଟି ହିତାଧିକାରୀଙ୍କୁ ଡିବିଟି ଜରିଆରେ ୩୬, ୬୫୯ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇସାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.