ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ରାଜ୍ୟରେ ଛତୁ ଫୁଟିବା ଭଳି ୟୁଟ୍ୟୁବ ଚ୍ୟାନେଲ ଖୋଲା ଯାଉଛି । ବର୍ତ୍ତମାନ ଇଲୋକୋଟ୍ରନିକ୍ସ ଯୁଗରେ ସାଧାରଣ ଜନତା ମୋବାଇଲ ମାଧ୍ୟମରେ ବିଭିନ୍ନ ଖବର ଅନ୍ତର ରଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବଡ଼ବଡ଼ ଛାପା ଗଣମାଧ୍ୟମ ନିଜର ଟିଭି ଚ୍ୟାନେଲ ଖୋଲି ଖବର ପ୍ରସାରଣ କରୁଥିବା ବେଳେ ଅନେକ ୟୁଟ୍ୟୁଚ୍ୟାନେଲ ଏହାକୁ ଏକ ସାମାଜିକ ଅନୁଷ୍ଠାନ ପ୍ରଚାର କରି ଜନସାଧାରଣଙ୍କୁ ଶୋଷଣର ମାଧ୍ୟମ ସାଜିଛନ୍ତି । ଏହିସବୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବର୍ଗର କଳାକାର, ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟ କରାଇ ଦେବା, ଲୋନ କରାଇ ଦେବା, ବିଭିନ୍ନ ସଂସ୍ଥାରେ କର୍ମଚାରୀ ନିଯୁକ୍ତି କରାଇ ଦେବା, ଆତ୍ମପ୍ରଚାର ଆଶାୟୀ ଆର୍ଥୀକ ସ୍ୱଚ୍ଛଳ ବ୍ୟକ୍ତି ବିଶେଷଙ୍କୁ ଠାବ କରି ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଠକୁଥିବାର ଦେଖା ଯାଉଛି । ନିଜର ଟିଭି ଚ୍ୟାନେଲ ମାଧ୍ୟମରେ ମିଥ୍ୟା ଓ କଳାକାରନାମାକୁ ସତ୍ୟର ରୂପ ଦେଇ ସାମ୍ବାଦିକତା ପଦର ଅପମର୍ଯ୍ୟଦା କରିବାକୁ ପଛାଉ ନାହାନ୍ତି । ଖବରରୁ ପ୍ରକାଶ ଆଜକୁ ଅଢେଇବର୍ଷ ପୂର୍ବେ ଭଦ୍ରକ ଜିଲ୍ଲା ବାଗୁରାଇସ୍ଥ ଡ଼ଗମୁଣ୍ଡ ଅଞ୍ଚଳରେ ଜନୈକ ଭଦ୍ରମୁଖା ଧାରୀ ମହିଳା ଟିଭି ଚ୍ୟାନେଲ ଖୋଲି ଏହା ମାଧ୍ୟମରେ ସମ୍ବାଦ ପରିବେଷଣ, ପ୍ରାମାଣିକ ଚଳଚିତ୍ର ନିର୍ମାଣ, ସ୍ୱେଚ୍ଛାସେବୀ କାର୍ଯ୍ୟ, ପ୍ରତିଭା ସମ୍ମାନ, ଋଣ କରାଇଦେବା, ସୁବିଧାରେ ଜମିବାଡ଼ି କିଣାଇ ଦେବା, ବେକାରୀମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ଆଦି କାର୍ଯ୍ୟରେ ଲିପ୍ତ ରହି ବହୁ ଲୋକଙ୍କୁ ଆର୍ଥିକ ଶୋଷଣ କରୁଥିବାର ଅଭିଯୋଗ ମିଳିଛି । ପ୍ରାଥମିକ ସ୍ତରରେ ଟିଭି ଚ୍ୟାନେଲ ଅଫିସ ନାମରେ ବଡ଼ବଡ଼ ହୋଡ଼ିଂ, ପ୍ରଚାର ପ୍ରସାର କରି ସାଧାରଣଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି । ବିଶ୍ୱାସରେ ଅନେକ ଯୁବକ ଯୁବତୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ, ସମ୍ମାନ ଲୋଭୀ, ଅସହାୟ ବ୍ୟକ୍ତିମାନେ ଶୋଷଣର ଶିକାର ହୋଇଛନ୍ତି । ସଂସ୍ଥାର ମାଲିକାଣୀ ଓ ନିର୍ଦ୍ଦେଶକ ବାହାରକୁ ଭଦ୍ରତା ଓ ଚାକଚକ୍ୟର ମୁଖା ପିନ୍ଧି ଭିତରେ ସମସ୍ତ ପ୍ରକାର ଦୁର୍ନୀତି, କଳାକାରନାମାରେ ଲିପ୍ତ ରହୁଛନ୍ତି । ପ୍ରଥମତଃ ଏହି ସଂସ୍ଥାର କର୍ମଚାରୀ ମାନଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇ ସେମାନଙ୍କୁ ପାରିଶ୍ରମିକ ଦେବାରେ ହଇରାଣ ହରକତ କରୁଛନ୍ତି । ଅଢେଇ ବର୍ଷ ମଧ୍ୟରେ ଏହି ସଂସ୍ଥା ବିଭିନ୍ନ ସ୍ଥାନକୁ ଅଫିସ ସ୍ଥାନାନ୍ତର କରୁଥିବା ବେଳେ କୌଣସି କର୍ମଚାରୀ ଦୀର୍ଘଦିନ କର୍ମସଂସ୍ଥାନ ପାଇ ପାରୁ ନାହାନ୍ତି । ସଂସ୍ଥାର ସାଧାରଣ କର୍ମଚାରୀଙ୍କ କଥାକୁ କିଏ ପଚାରେ; ଏହି ସଂସ୍ଥାରେ ଖୋଦ ମୁଖ୍ୟ ସମ୍ପାଦକ ଥିବା ଜନୈକ ବରିଷ୍ଠ ସାମ୍ବାଦିକ ମଧ୍ୟ ଠକାମୀରୁ ବାଦ ପଡ଼ି ନାହାନ୍ତି ।
ଏହି ସଂସ୍ଥାର ଭଦ୍ରକ ଅଫିସରେ କିଛିମାସ ପୂର୍ବେ ସଂପୃକ୍ତ ମୁଖ୍ୟ ସମ୍ପାଦକଙ୍କୁ ବଡ଼ ପଦବୀର ବସାଇ ତାଙ୍କ ଠାରୁ ଧାରସୂତ୍ରରେ ମୋଟାଅଙ୍କର ଟଙ୍କା ନେଇ ଫାଙ୍କିବା ଏବଂ ହାତାହାତି ଘଟଣା ପରେ ଟଙ୍କା ଫେରସ୍ତ ଦେବା ଭଳି ଘଟଣା ଲୋକଲୋଚନରେ ଏହି ସଂସ୍ଥାର କଳାକାରନାମା ପର୍ଦାଫାଶ କରିବାରେ ସହାୟକ ହୋଇଛି । ଏମାନେ ମଧ୍ୟ ସରକାରୀ କର୍ମଚାରୀଙ୍କ ଦୁର୍ବଳତାର ସୁଯୋଗ ନେଇ ଶୋଷଣ କରିବାକୁ ପଛାଉ ନାହାନ୍ତି । ଏହି କ୍ରମରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦକ୍ଷିଣବାଡ଼ ଗ୍ରାମର ଅଶୋକ ଜେନା ନାମକ ଜନୈକ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମନରେ ବିଶ୍ୱାସ ଜନ୍ମାଇ ଧାମରାରେ ଜମି କିଣି ଏକ ବଡ଼ ପ୍ରେଜେକ୍ଟ ଜରିଆରେ ଲୋକଙ୍କୁ କର୍ମ ନିଯୁକ୍ତି ଦେବା ଆଳରେ ୬ ଲକ୍ଷ ଟଙ୍କା ପ୍ରାଥମିକ ଖର୍ଚ୍ଚ ନିମନ୍ତେ ତାଙ୍କ ଠାରୁ ଠକି ନେଇଛନ୍ତି । ଠକାମୀ ଜଣା ପଡ଼ିବା ପରେ ସଂପୃକ୍ତ ବ୍ୟକ୍ତି କୋର୍ଟରେ ଆଶ୍ରୟ ନେଇଛନ୍ତି । ଭଣ୍ଡାରୀପୋଖରୀ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଠାରୁ ଋଣ କରାଇ ଦେବା ଆଳରେ ୧ଲକ୍ଷ ୫ହଜାର ନେଇ ଟାଉନଥାନାରେ ଅଭିଯୋଗ ପରେ ଫେରାଇବା, ଧାମନଗରର ଜନୈକ ବିଧବା ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ନେଇ ଠକିବା, ଭଦ୍ରକର ହୋଟେଲ ମାଲିକଙ୍କ ଠାରୁ ଟଙ୍କା ନେଇ ନଫେରାଇବା, ଦିଲ୍ଲୀରେ ରହୁଥିବା ଜନୈକ ଓଡ଼ିଆ ଯୁବକଙ୍କ ଠାରୁ ନିଜ ପ୍ରୋଜେକ୍ଟରେ ବଡ଼ ପଦବୀ ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକିନେବା ପରି ଘଟଣା ଦିନକୁ ଦିନ ଲୋକଲୋଚନକୁ ଆସିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ କିଛି ବ୍ୟକ୍ତି ନିଜକୁ ଯୁଟ୍ୟୁବ ଚ୍ୟାନଲର ମାଲିକ, ସାମାଜିକ କର୍ମୀ, ମାନବାଧିକାର କର୍ମୀ ଆଦି ପଦପଦବୀରେ ଭୂଷିତ କରାଇ ସମସ୍ତ ପ୍ରକାର ଦୁର୍ନୀତି କୁକର୍ମ କରିବାକୁ ପଚାଉ ନାହାନ୍ତି । ସାଧାରଣ ଲୋକଙ୍କୁ ମଧ୍ୟ ହାତୀ ଦେବୁ ଘୋଡ଼ା ଦେବୁ କହି ଠକାଇବାରେ ଉସ୍ତାଦ ପାଲଟିଛନ୍ତି ତଥାକଥିତ ଆତ୍ମପ୍ରଚାର ବ୍ୟକ୍ତି । ଭଦ୍ରକରେ ଥିବା ଏହି ୟୁଟ୍ୟୁବ ସଂସ୍ଥାର ନିର୍ଦ୍ଦେଶକ ଥିବା ଜନୈକ ବ୍ୟକ୍ତି ନିଜର ପ୍ରକୃତ ନାମକୁ ବଦଳାଇ ଛଦ୍ମନାମରେ କାର୍ଯ୍ୟକରି ଆଇନ ଆଖିରୁ ଖସିଯିବା ତଥା ଆଇନର ଗଳାବାଟରେ ନିଜର ବ୍ୟବସାୟକୁ ଚଳାଇବାରେ ମାହିର ହୋଇ ଥିବାରୁ ଏହି ସଂସ୍ଥାର ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ଗୁମର ଖୋଲି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।