Home ଜିଲ୍ଲା ପରିକ୍ରମା ଛତାବର-ନିଳୋକ ପୂର୍ତ୍ତ ରାସ୍ତାରେ ସରିଲାନି କଲର୍ଭଟ ନିର୍ମାଣ, ଯାତାୟତ ବିପନ୍ନ

ଛତାବର-ନିଳୋକ ପୂର୍ତ୍ତ ରାସ୍ତାରେ ସରିଲାନି କଲର୍ଭଟ ନିର୍ମାଣ, ଯାତାୟତ ବିପନ୍ନ

48

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷାଋତୁ ପୂର୍ବରୁ ପ୍ରଶସ୍ତିକରଣ ହୋଇ ନିର୍ମାଣ କରାଯାଉଥିବା ଛତାବର-ନିଳୋକ ପୂର୍ତ୍ତ ରାସ୍ତାର କଲର୍ଭଟ ନିର୍ମାଣ କାର୍ଯ୍ୟ ଠିକଣା ସମୟରେ କରାଯାଇନଥିବା ଯୋଗୁଁ ଯାନବାହନ ଚଳାଚଳ ଓ ଜନସାଧାରଣଙ୍ ଯାତାୟତ ବିପନ୍ନ ହୋଇପଡିଛି । ଛତାବର ଠାରୁ ୪ କିମି ଦୂରରେ ବିଶୋଳ ନିକଟରେ କରାଯାଉଥିବା କଲର୍ଭଟ (ଛୋଟ ପୋଲ) ର ନିକଟରେ ଛାତ ପଡିସାରିଥିବାବେଳେ ସଂଯୋଗ କରାଯାଇନାହିଁ । ଫଳରେ ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଏଠାରେ ଥିବା ଅଣଓସାରିଆ କାମଚଳା ବିକଳ୍ପ ବୁଲାଣି ରାସ୍ତା (ଡାଇଭର୍ସନ) ଟିରେ ଯାନବାହନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡିଛି । ଭଦ୍ରକରୁ ମଂଜୁରୀରୋଡ୍ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍‌ଗୁଡିକ ସମେତ ଟ୍ରକ୍ ଚଳାଚଳ ଏହି ସ୍ଥାନରେ କାଠିକର ହୋଇପଡିଛି । ଏପରିକି ଏହି ରାସ୍ତାରେ ଯାତାୟତ କରୁଥିବା ୪ ଚକିଆ ଓ ମୋଟର ସାଇକେଲ ଚଳାଚଳ ମଧ୍ୟ କଷ୍ଟକର ହୋଇପଡିଛି । ଯଦିଓ ଚଳିତ ବର୍ଷ ମୌସୁମୀ ବର୍ଷା ବିଳମ୍ବ ହୋଇଛି, ତଥାପି ରାସ୍ତାକାର୍ଯ୍ୟ ଯାତାୟତ ଉପଯୋଗୀ କରିବା ପାଇଁ ଯଥେଷ୍ଟ ସମୟ ଥିଲା । ଠିକା ସଂସ୍ଥା ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ଏଥିପାଇଁ ଠିକଣା ସମୟରେ କାର୍ଯ୍ୟ ସାରିବାକୁ ପଦକ୍ଷେପ ନେଇନଥିବାରୁ ଏଭଳି ସମସ୍ୟା ଉପୁଜିଛି । ଏହି କଲର୍ଭଟ ନିକଟସ୍ଥ ବିକଳ୍ପ ରାସ୍ତାରେ ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେଲେ ଉଭୟ ଠିକାଦାର ଓ ପୂର୍ତ୍ତଯନ୍ତ୍ରୀ ଦାୟୀ ରହିବେ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ପୂର୍ତ୍ତ ରାସ୍ତା ଏବେ ନିର୍ମାଣାଧୀନ ଥିବାବେଳେ ମନ୍ଥର ଗତିରେ ଓ ବିଭାଗୀୟ ଯନ୍ତ୍ରୀଙ୍କ ବିନା ତଦାରଖରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି । ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ୧୬ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ଭଣ୍ଡାରିପୋଖରୀ, ବନ୍ତ ଓ ଭଦ୍ରକ-କେନ୍ଦୁଝର ଜିଲା ସହ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା । ଚଳିତ ବର୍ଷାଋତୁରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଯାତାୟତ ସମୟରେ ଅସୁବିଧାରେ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.